ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ: ପାହାଡ଼ରୁ ଖସୁଛି ଅତଡ଼ା

ଗଜପତି ଓ ଫୁଲବାଣୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି, ଶତାଧିକ ଏକର ଚାଷଜମି ଜଳମଗ୍ନ, ବାଲିଚର

ପାରଳାଖେମୁଣ୍ଡି/ ରା.ଉଦୟଗିରି/ କାଶୀନଗର : ଲଘୁଚାପ ଜନିତ ଲଗାଣ ବର୍ଷା ଗଜପତି ଓ କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ହୋଇଛି। ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ହେବା ସହିତ ଶତାଧିକ ଏକର ଜମି ଜଳମଗ୍ନ ହୋଇଯାଇଛି।

ଗଜପତି ଜିଲ୍ଲାର ଗୁମ୍ମା ଓ ନୂଆଗଡ଼ ବ୍ଲକ୍‌ ଅଞ୍ଚଳରେ ଆଜି ଭୂସ୍ଖଳନ ହୋଇଥିଲା। ଆଜି ଭୋର୍ ପ୍ରାୟ ୩ଟାରେ ବଡ଼‌କଳକୋଟ ପଞ୍ଚାୟତ ଜାଙ୍ଗରିତୁଳ ଗ୍ରାମରେ ହଠାତ୍ ଭୂସ୍ଖଳନ ହୋଇଥିଲା। ପାହାଡ଼ ଉପରୁ ବଡ଼ ପଥର ଓ ମାଟି ଅତଡ଼ା ଖସି ପଡ଼ିଥିଲା। ନିମିଷକରେ ଘର ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବା ସହ ସମସ୍ତ ଜମି ଜଳାର୍ଣ୍ଣବ ପାଲଟିଥିଲା। ସେହିପରି ବଡ଼କଳାକୋଟ ଓ ସାନକଳାକୋଟ ଗ୍ରାମର ଚାଷଜମି ସହ ଜଙ୍ଗଜଙ୍ଗଲ ଗ୍ରାମରେ ବି ଚାଷଜମିରେ ପାଣି ପଶିଯାଇଥିଲା। ଦୁମ୍ବଡ଼ା ପଞ୍ଚାୟତରେ ପର୍ବତରୁ ପାଣି ଆସି ମାରାଣ୍ଡ ଓ ଗାଡ଼େବଗର୍ଜଙ୍ଗ ଗ୍ରାମ‌ରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ତୁମୁଲ ଓ ସେରଙ୍ଗ ପଞ୍ଚାୟତରେ ଜମି ନଷ୍ଟ ହୋଇଯାଇଥିବା ବେଳେ ଗୁମ୍ମା-ସେରଙ୍ଗ ରାସ୍ତା ଓ ରାଣୀପେଣ୍ଠା-ଗୁମ୍ମା ମୁଖ୍ୟରାସ୍ତା ପାରସମ୍ବା ଛକରେ ଗଡ଼ ପଡ଼ି ରାସ୍ତା ଅବରୋଧ ହୋଇଥିଲା।

ଏହି ଜିଲ୍ଲାର ନୂଆଗଡ଼ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ମଧ୍ୟ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ଗତ ସପ୍ତାହରେ ପରିମଳ ପଞ୍ଚାୟତ ଅଧୀନ ନୂଆପଲ୍ଲୀ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ବେଳେ ଗତକାଲି ରାତିରୁ ଲୋକେ ଘରଦ୍ବାର ଛାଡ଼ି ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ, ଘୋଡ଼ାଶାଳ ନିକଟସ୍ଥ ହାତୀନଗାରେ ପାହାଡ଼ରୁ ପଥର ଓ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ଚାଉଳ ଓ ସିମେଣ୍ଟ୍ ବୋଝେଇ ଗାଡ଼ି ସେଠାରେ ଫସି ରହିଛି। ଡୁମୁକୁଳି, କାକତବନ୍ଧ ଓ ଅନୂସାହି ଗ୍ରାମରେ ଥିବା ୫୦ରୁ ୬୦ ଏକର ଜମିରେ ବାଲି ଓ ପଥର ଭର୍ତ୍ତି ହୋଇ ରହିଥିବା ବେଳେ ଆଣ୍ଠୁଏ ପାଣି ସୁଅ କାଟୁଛି। ଫଳରେ ୫୦୦ରୁ ଅଧିକ ଚାଷୀଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ଏହାସହ ପାହାଡ଼ ଉପରେ ୧୦୦ ଏକର କାଜୁବାଡ଼ ଚାଷ ବି ଉଜୁଡ଼ିଯାଇଛି।

ସେହିପରି ସୁଡ୍ରୁକୁମ୍ପା, ରାଣୀପଥର ଓ କୋଟଗଡ଼ର ସୁବର୍ଣ୍ଣଗିରି ଘାଟିରେ ଭୂସ୍ଖଳନ ହୋଇ ରାସ୍ତା ଉପରେ ମାଟି ଜମି ରହିଥିବା ସୂଚନା ମିଳିଛି। ଚକାପାଦ ଓ ଘୁ.ଉଦୟଗିରି ବ୍ଲକ୍‌ରେ ଅଧିକାଂଶ ରାସ୍ତା ଧୋଇ ହୋଇ ଯାଇଛି। ଫୁଲବାଣୀ ସହରର ଡ୍ରେନ୍‌ଗୁଡ଼ିକ ଅଚଳ ହୋଇ ପଡ଼ିଥିବାରୁ ବର୍ଷାଜଳ ନିଷ୍କାସିତ ହୋଇ ନପାରି ଦୋକାନବଜାର ଓ ଘରେ ପାଣି ପଶିଛି। ସହରର ବ୍ୟୟବହୁଳ ନାରାୟଣୀ ପାର୍କର ପାଚେରି ମଧ୍ୟ ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଛି।

 

 

ସମ୍ବନ୍ଧିତ ଖବର