ରେଙ୍ଗାଳି: ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଆଗୁଆ ଭରିଗଲାଣି ରେଙ୍ଗାଳି ଜଳଭଣ୍ଡାର। ଗତବର୍ଷ ଆଜିର ତାରିଖରେ ଏହି ଜଳଭଣ୍ଡାରର ଜଳସ୍ତର ୧୧୦ ମିଟର ରହିଥିଲା। ହେଲେ ଆଜି ସକାଳ ସୁଦ୍ଧା ଜଳସ୍ତର ୧୧୯ ମିଟରରେ ପହଞ୍ଚିଛି। ଜୁଲାଇ ଆରମ୍ଭରୁ ରେଙ୍ଗାଳି ଜଳଭଣ୍ଡାର ଏମିତି ଫୁଲୁଥିବାରୁ ଦିନେ ଦୁଇଦିନ ଭିତରେ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି। ବ୍ରାହ୍ମଣୀ ନଦୀର ଜଳସ୍ତର ଜୁନ୍‌ ୨୦ ତାରିଖ ପରେ ବୃଦ୍ଧି ପାଇବାରେ ଲାଗିଛି। ଅନୁଗୁଳଜିଲ୍ଲା କଣିହାଁ ବ୍ଲକ୍‌ ରେଙ୍ଗାଳି ଡ୍ୟାମ୍‌ ନିର୍ମାଣ ପରେ ଜଳସ୍ତର ସବୁ ରେକର୍ଡ ଭାଙ୍ଗିଛି। ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଜଳସ୍ତର ସର୍ବନିମ୍ନ ୧୦୯.୭୨ ମିଟର ରହିବା ଆବଶ୍ୟକ। 

Advertisment

ଏହି ଜଳଭଣ୍ଡାରର ପୂର୍ଣ୍ଣ ଜଳଧାରଣ କ୍ଷମତା ୧୨୩.୫ ମିଟର ରହିଥିଲା ବେଳେ ଆଜି ଅପରାହ୍‌ଣ ୨ଟା ସୁଦ୍ଧା ଜଳସ୍ତର ୧୧୯.୨୨ ମିଟରରେ ପହଞ୍ଚିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪୨୬୩.୧୮ ଘନ ମିଟର ଜଳ ପ୍ରବେଶ କରୁଥିବା ଜଣାପଡ଼ିଛି। ଏପଟେ ପାୱାର୍‌ ଚ୍ୟା‌ନେଲ୍‌ ମାଧ୍ୟମରେ ପ୍ରତି ସେକେଣ୍ଡରେ ୭୬୦.୫୫ ଘନ ମିଟର ଜଳ ନିଷ୍କାସିତ ହେଉଛି। ପ୍ରତି ଘଣ୍ଟାରେ ପାଞ୍ଚଟି ଟର୍ବାଇନ୍‌ରୁ ୨୫୦.୨୦ ମେଗାୱଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ରେଙ୍ଗାଳି ଡ୍ୟାମ୍‌ର ଉପର ମୁଣ୍ଡରେ ଥିବା ମନ୍ଦିରା ଡ୍ୟାମ୍‌ ୧୦ଟି ଗେଟ୍‌ ଖୋଲି ବ୍ରାହ୍ମଣୀ ନଦୀରୁ ବନ୍ୟାଜଳ ନିଷ୍କାସନ କରୁଛି। ରେଙ୍ଗାଳିରେ ଗତକାଲି ଜଳସ୍ତର ୧୧୮ ମିଟର ପାଖାପାଖି ରହିଥିଲା ବେଳେ ଆଜି ଗୋଟିଏ ଦିନ ଭିତରେ ଜଳସ୍ତର ପ୍ରାୟ ୧ ମିଟର ବଢ଼ିଛି। ତେଣୁ ଦିନେ ଦୁଇଦିନ ଭିତ‌ରେ ଏହି ଜଳଭଣ୍ଡାରର ଜଳସ୍ତର ପୂର୍ଣ୍ଣ ଜଳଧାରଣ କ୍ଷମତା ପାଖାପାଖି ପହଞ୍ଚିବାର ସମ୍ଭାବନା ରହିଛି। ଯେକୌଣସି ସମୟରେ ଡ୍ୟାମ୍‌ର ଗେଟ୍‌ ଖୋଲାଯାଇପାରେ ବୋଲି ବନ୍ୟା ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ଡ୍ୟାମ୍‌ର ଗେଟ୍‌ ପୂଜା ହେବାର କାର୍ଯ୍ୟକ୍ରମ ରହିଛି।