ଦୁର୍ବଳ ହେଉଛି ଲଘୁଚାପ : ୨୧ ଯାଏଁ ବର୍ଷିବ
ଭୁବନେଶ୍ୱର : ଲଘୁଚାପ ସ୍ପଷ୍ଟ ଚିହ୍ନିତ ହେବା ପରେ ଆଜି ସକାଳେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରକୁ ଗତି କରିଛି। ତେବେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଗୋଟିଏ ସ୍ଥାନରେ ସ୍ଥିର ରହିଛି। ଇଆଡ଼େ ଆକାଶରେ ଖଣ୍ଡ ଖଣ୍ଡ ବାଦଲ ଖେଳି ପ୍ରବଳ ବର୍ଷାର ଆଶଙ୍କା ସୃଷ୍ଟି କରୁଥିବା ବେଳେ ସିଆଡ଼େ ଲଘୁଚାପ ଦୁର୍ବଳ ହେବାର ଲକ୍ଷଣ ପ୍ରକାଶ ପାଇଲାଣି। ଖୁବଶୀଘ୍ର ଏହା ଘନୀଭୂତ ହେବାର ସମ୍ଭାବନା ବି କମ୍। ଏହା ସତ୍ତ୍ୱେ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ଆଜି ଅପରାହ୍ଣଠାରୁ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷିବ। ପବନର ବେଗ ବି ଘଣ୍ଟା ପ୍ରତି ୬୫ କି.ମି. ପର୍ଯ୍ୟନ୍ତ ରହୁଥିବାରୁ ସମୁଦ୍ର ଅଶାନ୍ତ ହୋଇଉଠିଛି। ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରିଛି ପାଣିପାଗ କେନ୍ଦ୍ର।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ ଗତକାଲି କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଥାଇ ଲଘୁଚାପ ସ୍ପଷ୍ଟ ଚିହ୍ନିତ ହୋଇଥିଲା। ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ଆଜି ସକାଳେ ଏହା କେବଳ ସ୍ଥାନ ପରିବର୍ତନ କରିଛି। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଏହା ଘନୀଭୂତ ହୋଇ ଅତିବେଶିରେ ଅବପାତର ରୂପ ନେଇପାରେ। କିନ୍ତୁ ଆହୁରି ଘନୀଭୂତ ହୋଇ ଭୀଷଣ ଅବପାତରେ ପରିଣତ ହେବାର ସମ୍ଭାବନା କମ୍। ଏହି ଲଘଚାପ ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଆକାଶରେ ମେଘମାଳା ସୃଷ୍ଟି ହୋଇଛି। ଫଳତଃ ଲଘୁଚାପ ଦୁର୍ବଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି ଲଘୁଚାପ ଓଡ଼ିଶା ଭିତରକୁ ପଶି ଛତିଶଗଡ଼ମୁହାଁ ହେବ ବୋଲି ଯେଉଁ ପୂର୍ବାନୁମାନ କରାଯାଇଥିଲା, ସେଥିରେ ପରିବର୍ତନ ହେବାର ସମ୍ଭାବନା ରହିଛି। ସେହିପରି ଲଘୁଚାପର ସ୍ଥିତି ଏବଂ ଗତିରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।
ଡ. ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ଆଜି ରାତି, ଆସନ୍ତାକାଲି ସକାଳେ ଦକ୍ଷିଣ ଏବଂ ଏହାର ଆଖପାଖ ଉପକୂଳବର୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବିଶେଷ କରି ଗଞ୍ଜାମ, ଗଜପତିର କିଛି ସ୍ଥାନରେ ୧୨୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ। ଉପକୂଳ ପୁରୀ, ଜଗତ୍ସିଂହପୁର, କଟକ, କେନ୍ଦ୍ରାପଡ଼ା, ଖୋର୍ଧା ଆଦି ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ୧୯-୨୦ ତାରିଖ ବେଳକୁ ଉତ୍ତର ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ଉତ୍ତରର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଆଭ୍ୟନ୍ତରୀଣ ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ ଆଦି ଜିଲ୍ଲାରେ ବି ବର୍ଷା ହେବାର ସମ୍ଭାବନା ରହିଛି। ୨୦ରୁ ୨୧ ତାରିଖ ବେଳକୁ ଆଭ୍ୟନ୍ତରୀଣ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଆଦି ଜିଲ୍ଲାରେ ବର୍ଷା ହୋଇପାରେ। ଏଭଳି ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ। ତେବେ ଲଘୁଚାପର ସ୍ଥିତି ଏବଂ ଗତିରୁ ବର୍ଷାର ପରିମାଣ ନିର୍ଭର କରୁଛି। ଆସନ୍ତାକାଲି ସକାଳେ ଏହି ଲଘୁଚାପ ଓଡ଼ିଶା- ଆନ୍ଧ୍ର ଉପକୂଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।
ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୩୬ ମି.ମି. ବର୍ଷା ହୋଇଛି। ସେହିପରି ପୁରୀରେ ୧୨ ମି.ମି., ବାଲେଶ୍ୱରରେ ୯ ମି.ମି., ବାରିପଦାରେ ୮ ମି.ମି. ସହିତ କଟକ, ଭୁବନେଶ୍ୱରରେ ବର୍ଷା ହୋଇଛି।