ଲଗାଣ ବର୍ଷା: ‘ରାଜ୍ୟ ବିପତ୍ତି’ ‌ଘୋଷିତ, ହୀରାକୁଦରେ ୬ ଗେଟ୍ ଖୋଲିଲା

୭ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବେ ଜିଲ୍ଲାପାଳ, ଗଞ୍ଜାମରେ କାନ୍ଥ ପଡ଼ି ତିନି ବର୍ଷର ଝିଅର ମୃତ୍ୟୁ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତ ୧୧ତାରିଖରୁ ଲାଗି ରହିଥିବା ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହେବା ପରେ ରାଜ୍ୟ ସରକାର ଏହାକୁ ରାଜ୍ୟ ଭିତ୍ତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି। କେଉଁ ଜିଲ୍ଲାରେ କେତେ କ୍ଷୟକ୍ଷତି ହୋଇଛି, କେତେ ଲୋକ ମରିଛନ୍ତି, କେତେ ପ୍ରାଣୀ ଧନ ମରିଛନ୍ତି, କେତେ ଫସଲ ନଷ୍ଟ ହୋଇଛି, କେତେ ଜମି ଜଳାର୍ଣ୍ଣବ ହୋଇଛି ତା’ର ପ୍ରାରମ୍ଭିକ ରିପୋର୍ଟ ୨୨ତାରିଖ ସୁଦ୍ଧା ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ, ‌ଏହି ବର୍ଷାରେ ୨୦ଟି ଜିଲ୍ଲାରେ ୧୧୧ଟି ବ୍ଲକର ୩୬୯୬ଟି ଗାଁ, ୨୭ଟି ସହରାଞ୍ଚଳର ୨୦ଲକ୍ଷ ୪୬ହଜାର ୧୨୨ଜଣ ପ୍ରଭାବିତ ହୋଇଛନ୍ତି। ୧୩୫୩୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୮୭୦ଟି ଘର ଭାଙ୍ଗିଛି। ବର୍ଷାରେ ଆଜି ସୁଦ୍ଧା ୪ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ରାମଚନ୍ଦ୍ରପୁର ଗାଁର ଲିପି ନାୟକ ନାମ୍ନୀ ଜଣେ ତିନି ବର୍ଷର ଝିଅର କାନ୍ଥ ପଡ଼ି ମୃତ୍ୟୁ ହୋଇଛି। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଲୋକ ଜଳବନ୍ଦୀ ହୋଇ ରହିଥିବାରୁ ପ୍ରଶାସନ ପକ୍ଷରୁ ରିଲିଫ ବଣ୍ଟାଯିବା ସହ ଡାକ୍ତରୀ ଟିମ୍ ପଠାଯାଇଛି। କେତେକ ସ୍ଥାନରେ ପ୍ରାଣୀଧନ ବହୁତ ମରିଛନ୍ତି। ଧାନ ଫସଲ ଏବଂ ଅନ୍ୟାନ ଶସ୍ୟ ମଧ୍ୟ ନଷ୍ଟ ହୋଇଛି। ତେଣୁ ଏହାର ସବିଶେଷ ରିପୋର୍ଟ ଦେଇ ତୁରନ୍ତ ସହାୟତା ଯୋଗାଇଦେବାକୁ ଏସ୍‌ଆର୍‌ସି କହିଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ ଓଡ଼ିଶା ରିଲିଫ କୋଡ୍‌ର ଅନୁଚ୍ଛେଦ-୩ ଅନୁସାରେ ତିନି ଦିନ ଧରି ପ୍ରବଳ ବର୍ଷା ହେଲେ କିମ୍ବା ଅନବରତ ବର୍ଷା ବା ମାସକର ହାରାହାରି ବର୍ଷା ପରିମାଣ ତୁଳନାରେ ତିନି ଗୁଣା ଅଧିକ ବର୍ଷା ବ୍ଲକ ଓ କୌଣସି ଅଞ୍ଚଳରେ ହୋଇଥିଲେ ତାକୁ ‘ପ୍ରବଳ ବର୍ଷା’ ଭାବେ ବିବେଚନା କରାଯିବ। ରାଜ୍ୟ ସରକାର ଏହି ‘ପ୍ରବଳ ବର୍ଷା’କୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ତେଣୁ ବର୍ଷା ଯୋଗୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ କ୍ଷୟକ୍ଷତି ନିମନ୍ତେ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଗତିଶୀଳ କରିବା ଓ ରିଲିଫ କାର୍ଯ୍ୟ ପାଇଁ ଆବଶ୍ୟକ ଅର୍ଥ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ କରାଯାଇପାରିବ।

ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରଦାନ କଲେ ପାଣ୍ଠି ଆବଣ୍ଟନ କରାଯାଇପାରିବ ବୋଲି ଶ୍ରୀ ଜେନା ଜିଲ୍ଲାପାଳମାନଙ୍କୁ କହିଛନ୍ତି। ଚଳିତମାସ ୨୨ତାରିଖ ସୁଦ୍ଧା କ୍ଷୟକ୍ଷତି ଆକଳନ ରିପୋର୍ଟ ମିଳିଲେ ଯଥାସମ୍ଭବ ଶୀଘ୍ର ପ୍ରଭାବିତ ଲେକାଙ୍କୁ ସହାୟତା ଦେବାକୁ ନିଷ୍ପତ୍ତି ହୋଇଛି। ତେବେ କ୍ଷୟକ୍ଷତି ଆକଳନ ସମୟରେ ଭାଙ୍ଗି ଯାଇଥିବା ଘର ଓ ନଷ୍ଟ ହୋଇଥିବା ଫସଲର ଜିଓ ଟ୍ୟାଗିଂ କରିବା ସହ ଫଟୋରେ ସମୟ ଉଲ୍ଲେଖ ରଖିବାକୁ କୁହାଯାଇଛି। ଯଦି ଘର ସମ୍ପୂର୍ଣ୍ଣ ଅବା ଅଧିକ ଭାଙ୍ଗିଯାଇଛି, ତେବେ କ୍ଷୟକ୍ଷତି ଆକଳନବେଳେ ହିତାଧିକାରୀଙ୍କ ସହ ସେହି ଘରର ଫଟୋ ଉଠାଇବାକୁ ପରାମର୍ଶ ଦିଆଯାଇଛି। ସେଭଳି ହିତାଧିକାରୀଙ୍କୁ ପୋଷାକ, ବାସନକୁସନ ଆଦି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫସଲ ନଷ୍ଟ ହୋଇଥିଲେ ତା’ର ଆକଳନ ମିଳିତ ଭାବେ ରାଜସ୍ୱ, କୃଷି, ଉଦ୍ୟାନକୃଷି କର୍ମଚାରୀମାନେ କରିବେ। ଫସଲ ଆକଳନ ଯେପରି ଠିକ୍ ରହିବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି।

ଲଗାଣ ବର୍ଷାରେ ଯଦି କେହି ପ୍ରାଣ ହରାଇଥାନ୍ତି, ତାଙ୍କୁ ସହାୟତା ଦେବା ନିମନ୍ତେ ଅନଲାଇନରେ ଆବେଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଶୀଘ୍ର ଅନୁକମ୍ପାମୂଳକ ସହାୟତା ମଞ୍ଜୁର କରାଯାଇପାରିବ। କ୍ଷୟକ୍ଷତି ସୀମିତ ପରିମାଣରେ ହୋଇଥିବାରୁ ଏସ୍‌ଆରସିଙ୍କ ପାଣ୍ଠିକୁ ଅପେକ୍ଷା ନ କରି ଆବଶ୍ୟକ ସହାୟତା ବଣ୍ଟନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ରିପୋର୍ଟ ମିଳିବା ପରେ ହିଁ ଏସଆରସିଙ୍କ ଦ୍ୱାରା ପାଣ୍ଠି ଯୋଗାଇ ଦିଆଯିବ। ଘର ନଷ୍ଟ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି ପାଇଛି। ସୋମବାର ସଂଧ୍ୟା ୬ଟାରେ ୬୨୫.୧୦ ଫୁଟ୍ ଥିବା ହୀରାକୁଦ ଜଳସ୍ତର ୨୪ ଘଣ୍ଟାରେ ପ୍ରାୟ ୨ ଫୁଟ୍‌ ବୃଦ୍ଧି ପାଇ ମଙ୍ଗଳବାର ସଂଧ୍ୟା ୬ଟା ବେଳକୁ ୬୨୭.୦୪ ଫୁଟ୍‌ରେ ପହଞ୍ଚିଛି। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ମଙ୍ଗଳବାର ସଂଧ୍ୟା ୫ଟା ବେଳେ ହୀରାକୁଦର ୬ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।

ସୂଚନା ଅନୁସାରେ; ସଂଧ୍ୟା ୬ଟା ବେଳେ ଜଳଭଣ୍ଡାରକୁ ହାରାହାରି ୧,୭୬,୫୬୦ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧,୨୭,୦୮୭ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ସେଥିରୁ ସ୍ପିଲ୍‌ୱେ ଦେଇ ୯୭,୨୩୦ କ୍ୟୁସେକ୍‌, ପାୱାର୍ ଚାନେଲ୍ ଦେଇ ୨୬,୫୫୪ କ୍ୟୁସେକ୍, ବରଗଡ଼ କେନାଲ୍ ଦେଇ ୨୭୬୧ କ୍ୟୁସେକ୍‌, ଶାସନ କେନାଲ୍ ଦେଇ ୨୦୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୬୦ କ୍ୟୁସେକ୍‌, ଶିଳ୍ପ ସଂସ୍ଥା ପାଇଁ ୨୮୨ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ସେହି ସମୟରେ ହୀରାକୁଦ ତଳ ମୁଣ୍ଡ ବେଲଗାଁଠାରେ ୪୯,୮୦୦ କ୍ୟୁସେକ୍‌, ପଥର୍ଲାରେ ୩‌,୦୫,୮୬୮ କ୍ୟୁସେକ୍‌, ଖଇରମାଳରେ ୪ ଲକ୍ଷ ୬୬ ହଜାର କ୍ୟୁସେକ୍‌, ବରମୂଳଠାରେ ୫ ଲକ୍ଷ ୪୩ ହଜାର କ୍ୟୁସେକ୍‌ ଓ ମୁଣ୍ଡଳିଠାରେ ୪ ଲକ୍ଷ ୭୪ ହଜାର ୬୨୪ କୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୪୬.୪୬ ମିଲିମିଟର୍‌ ଓ ତଳମୁଣ୍ଡରେ ୧୨୨.୯୪ ମିଲିମିଟର୍‌ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

 

ସମ୍ବନ୍ଧିତ ଖବର