୩ ଯାଏ ପ୍ରବଳ ବର୍ଷା: ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶା‌ରେ ପ୍ରବଳ ବର୍ଷା ଲାଗି ରହିବ। ବୁଧବାର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଝାରସୁଗୁଡ଼ା, ସୁନ୍ଦରଗଡ଼, ‌ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିସହ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ବଜ୍ରପାତ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୩୦ ତାରିଖରେ ମଧ୍ୟ କେନ୍ଦୁଝର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଓ ଦେବଗଡ଼ରେ ୭୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ପରବର୍ତ୍ତୀ ଦୁଇ ଦିନରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ।

ପ୍ରବଳ ବର୍ଷା ଓ କାଳବୈଶାଖୀକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଆଜି ସତର୍କ ସୂଚନା ଜାରି ହୋଇଛି। ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୩ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ‌ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରଶାସନିକ ପ୍ରସ୍ତୁତି କରାଯାଉ। ବର୍ଷା ପରିମାଣ ସମ୍ପର୍କରେ ପ୍ରତି ମୁହୂର୍ତ୍ତରେ ଖବର ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ରାୟଗଡ଼ାର ପଦ୍ମପୁରରେ ୧୨ସେମି ବର୍ଷା ହୋଇଥିବା ବେଳେ ରାୟଗଡ଼ାର ଗୁଡ଼ାରିରେ ୧୦, କଳାହାଣ୍ଡିର ଥୁରାମପୁରରେ ୭, ଯାଜପୁରରେ ୬, ରାୟଗଡ଼ାର ବିଷମକଟକ, କାଶୀପୁର, ମୟୂରଭଞ୍ଜର ବିଜତଳାରେ ୪ସେମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି। ଆଜି ଦିନରେ ଢେଙ୍କାନାଳ ଜିଲ୍ଲାରେ ୧୦୦ ମିମି ବର୍ଷା ହୋଇଥିବା ବେଳେ ପାରଳାଖେମୁଣ୍ଡିରେ ୫୦, କଟକରେ ୩୦.୪, ଖୋର୍ଧାରେ ୨୨, ଯାଜପୁରରେ ୨୦, ଭୁବନେଶ୍ବରରେ ୫.୬ ମିମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର