ଲଗାଣ ବର୍ଷା ଧୋଇନେଲା ମାଟିବନ୍ଧ, ୩ ଗାଁ ବିଚ୍ଛିନ୍ନ!

ରଣପୁର : ଆଦିବାସୀଙ୍କ ସାମାଜିକ ଥଇଥାନ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ନାନାଦି ଯୋଜନାରେ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ସରକାରୀ କଳର ମନମାନୀ ଓ ରାଜନେତାଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁ ଅନେକ ଯୋଜନାର ସଫଳ ରୂପାୟନ ହେବା ପରିବର୍ତ୍ତେ ଅଧପନ୍ତରିଆ ଭାବେ ପଡ଼ିରହୁଥିବା ଦେଖିବାକୁ ମିଳୁଛି। ଏହାର ଜ୍ବଳନ୍ତ ଉଦାହରଣ ରଣପୁର ବ୍ଲକ୍‌ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବନ୍ଧମୁଣ୍ତା ପଞ୍ଚାୟତ। ତେବେ ଏହି ପଞ୍ଚାୟତ ଅଧୀନ ରାଆଁଳା ଗାଁରେ ନିର୍ମିତ ମାଟିବନ୍ଧ ଲଗାଣ ବର୍ଷାରେ ଧୋଇ ହୋଇଯାଇଥିବା ବେଳେ ଏବେ ରାଆଁଳା ସମେତ ବଡ଼ଚାକୁଣ୍ତାଝର, ଡିମିରିବାଡ଼ି ଆଦି ୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ଜଣାଯାଇଛି।

ସୂଚନା ଥାଉକି, ବନ୍ଧମୁଣ୍ତା ପଞ୍ଚାୟତ ଅଧୀନ ରାଆଁଳାସ୍ଥିତ ମା’ ଖିଲାମୁଣ୍ତା ମନ୍ଦିର ରାସ୍ତାରେ ବଡ଼ନଈ ନାମକ ଏକ ନଦୀ ପ୍ରବାହିତ ହେଉଛି। ଯାହାକି ନିକଟସ୍ଥ ଭେଟବର ଡ୍ୟାମ୍‌ ସହିତ ମିଶିଛି। ତେବେ ସମଗ୍ର ବନ୍ଧମୁଣ୍ତା ପଞ୍ଚାୟତ ସମେତ ଜଙ୍ଗଲ ପାଣି ଉକ୍ତ ବଡ଼ନଈ ଦେଇ ବୋହି ଯାଉଥିବାରୁ ୫ ବର୍ଷ ତଳେ ସ୍ଥାନୀୟ ବ୍ଲକ୍‌ ଦ୍ବାରା ଏକ ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ରାଜନୈତିକ ଚକ୍ରାନ୍ତ ଓ ପ୍ରଶାସନିକ ଅବହେଳା ଯୋଗୁ ଉକ୍ତ ପୋଲ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ିରହିଛି। ଆଦିବାସୀଙ୍କ ଗମନାଗମନ ଦୃଷ୍ଟିରୁ ନିର୍ମାଣ ହୋଇଥିବା ଲକ୍ଷାଧିକ ଟଙ୍କା ବ୍ୟୟରେ ଉକ୍ତ ଅର୍ଦ୍ଧନିର୍ମିତ ପୋଲ ଏବେ ନଷ୍ଟ ହେବାକୁ ବସିଥିବା ବେଳେ ଯାତାୟାତ ନିମନ୍ତେ ଉକ୍ତ ଅଞ୍ଚଳର ଗ୍ରାମବାସୀ ଏକ ମାଟିବନ୍ଧ ପକାଇଥିଲେ। ହେଲେ ଆଜି ଦିନତମାମ ଲଗାଣ ଯୋଗୁ ଉକ୍ତ ମାଟିବନ୍ଧଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ଉପରୋକ୍ତ ଅଞ୍ଚଳର ଗ୍ରାମବାସୀ ଜଙ୍ଗଲରୁ ସଂଗୃହୀତ ବାଉଁଶ, କାଠ ଓ ନିଜ ଶ୍ରମଦାନ ଦେଇ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଥିବା ଦେଖିବାକୁ ମିଳିଛି।

ଅପରପକ୍ଷେ, ଆଦିବାସୀଙ୍କ ଉଦ୍ଦେଶ୍ୟରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଧପନ୍ତରିଆ ପୋଲ କାହା ସ୍ବାର୍ଥରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଉକ୍ତ ପୋଲଟିରେ ଢଳେଇ ପଡ଼ିଯାଇଥିଲେ ହେଁ ଉଭୟ ପାର୍ଶ୍ବରେ ମାଟି ଫିଲିଂ ବ୍ୟବସ୍ଥା ନ ଥିବାରୁ ପୋଲର ଉଭୟ ପାର୍ଶ୍ବ ଧୋଇଯାଇଛି। ଫଳରେ ପୋଲର ଉଭୟ ପାର୍ଶ୍ବରେ ପାଣି ବୋହିଯାଉଛି। ଗମନାଗମନରେ ବାଧା ସୃଷ୍ଟି ହୋଇଛି। ତୁରନ୍ତ ଏଥି ପ୍ରତି ଧ୍ୟାନ ଦେବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଅନ୍ୟଥା ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର