ଭୁବନେଶ୍ବର: ସୋ’ରୁମ୍ ଭିତରେ ପ୍ରବଳ ଭିଡ଼। ପେମେଣ୍ଟ କାଉଣ୍ଟର ସାମ୍ନାରେ ବି ଲମ୍ବା ଧାଡ଼ି। ଗହଣା କାଉଣ୍ଟର ସାମ୍ନାରେ ମଧ୍ୟ ଭିଡ଼। ଗ୍ରାହକଙ୍କୁ ସେମାନଙ୍କ ମନ ପସନ୍ଦ ଗହଣା ଦେଖାଇବାରେ ସେଲ୍ସପର୍ସନମାନେ ମଧ୍ୟ ବ୍ୟସ୍ତ। ଆଜି ସନ୍ଧ୍ୟା ସମୟରେ ସୁନା ଦୋକାନଗୁଡ଼ିକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ବୋଧହୁଏ ଚଳିତ ବର୍ଷ ଧନତେରସ୍ରେ ସୁନା ଦୋକାନଗୁଡ଼ିକରେ ସର୍ବାଧିକ ଭିଡ଼ ଦେଖିବାକୁ ମିଳିଛି। ଆସନ୍ତାକାଲି ମଧ୍ୟ ଏହିଭଳି ଭିଡ଼ ରହିବ ବୋଲି ଗହଣା ବ୍ୟବସାୟୀମାନେ କହୁଛନ୍ତି। ବଡ଼ ବଡ଼ ସୋ’ରୁମ୍ରେ ଏକସଙ୍ଗେ ୨୦୦-୨୫୦ ଗ୍ରାହକ କିଣାକିଣି କରୁଥିଲେ। ଗ୍ରାହକମାନେ ହାର, ମୁଦି, ଚେନ, ଚୁଡ଼ି, କାନଫୁଲ, ବ୍ରେସ୍ଲେଟ୍ ଅଧିକ ପରିମାଣରେ କିଣିଛନ୍ତି। ଆଜି ଗୋଟିଏ ଦିନରେ ଲୋକମାନେ ପ୍ରାୟ ତିନି କ୍ବିଣ୍ଟାଲ ସୁନା ଘରକୁ ବୋହିନେଇଛନ୍ତି। ଗୋଟିଏ ଦିନରେ ୧୫୦-୧୬୦ କୋଟି ଟଙ୍କାର ବେପାର ହୋଇଥିବା ଅନୁମାନ କରାଯାଉଛି ଯାହା ଗତବର୍ଷ ଧନତେରସ୍ରେ ହୋଇଥିବା ୧୪୦ କୋଟି ଟଙ୍କାର ବେପାର ତୁଳନାରେ ଅଧିକ। ରାଜ୍ୟର ଅଧାରୁ ଅଧିକ ସୁନା ଭୁବନେଶ୍ବର ବଜାରରେ ବିକ୍ରି ହୋଇଛି। ଭୁବନେଶ୍ବର ବ୍ୟତୀତ ରାଉରକେଲା, ବ୍ରହ୍ମପୁର, ଅନୁଗୁଳ, ଯାଜପୁର, ବାଲେଶ୍ବର, ସମ୍ବଲପୁର ଆଦି ସ୍ଥାନରେ ମଧ୍ୟ ବିପୁଳ ସୁନା ବିକ୍ରି ହୋଇଛି।
ଆଗକୁ ବିବାହ ଋତୁ ଆସୁଛି। ଏଥିସହିତ ସୁନାର ଦାମ୍ ୫୬,୧୦୦ ଟଙ୍କାକୁ ହ୍ରାସ ପାଇଛି। ତା’ ସହିତ ସୋ’ରୁମ୍ରେ ଲୋଭନୀୟ ଅଫର। ଏହି ସୁଯୋଗକୁ ଗ୍ରାହକମାନେ ହାତଛଡ଼ା କରିବାକୁ ଚାହିନାହାନ୍ତି। ଗତବର୍ଷ ଧନତେରସ୍ ତୁଳନାରେ ଆଜି ୧୫-୨୦ ପ୍ରତିଶତ ଅଧିକ ବିକ୍ରି ହୋଇଥିବା କୁହାଯାଉଛି। ଲାଲ୍ଚାନ୍ଦ୍ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି ଯେ ଗତବର୍ଷ ତୁଳନାରେ ଚଳିତ ବର୍ଷ ବିକ୍ରିରେ ୨୫ରୁ ୫୦ ପ୍ରତିଶତ ବୃଦ୍ଧି ହେବ ବୋଲି ଆମେ ଆଶା ରଖିଛୁ। ଆଗକୁ ବିବାହ ଋତୁ ଥିବାରୁ ଲୋକମାନେ ସୁନା କିଣୁଥିବା ବେଳେ ଆକର୍ଷଣୀୟ ଅଫରର ସୁଯୋଗ ନେଇ କିଛି ଲୋକ ସୁନା କିଣୁଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବାରୁ କିଛି ଲୋକ ନିବେଶ କରିବା ଲାଗି ମଧ୍ୟ ସୁନା କିଣୁଛନ୍ତି ବୋଲି ସେ କହିଛନ୍ତି।
ଖିମ୍ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମ୍ଜୀ ଗଣମାଧ୍ୟମକୁ କହିଛନ୍ତି ଯେ ଚଳିତ ବର୍ଷ ଧନତେରସରେ ଭଲ ବିକ୍ରି ହୋଇଛି। ଆମର ସମସ୍ତ ଷ୍ଟୋର୍ଗୁଡ଼ିକରେ ଗ୍ରାହକ ସଂଖ୍ୟାରେ ୨୦% ବୃଦ୍ଧି ଅନୁଭବ କରୁଛୁ ଏବଂ ସୋ’ରୁମ୍ ପରିଦର୍ଶନ କରୁଥିବା ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତନିସ୍କର ଏରିଆ ମ୍ୟାନେଜର ଅରିନ୍ଦମ ପ୍ରମାଣିକ କହିଛନ୍ତି ଯେ ଆମର ସବୁ ଷ୍ଟୋରରେ ଗ୍ରାହକଙ୍କ ଭିଡ଼ ରହିଛି। ସବୁ ବର୍ଗର ଗହଣା ବିକ୍ରି ହେଉଛି। ବିଶେଷ କରି ବିବାହ ଉଦ୍ଦେଶ୍ୟରେ ଅଧିକ ଗ୍ରାହକ ସୁନା କିଣୁଛନ୍ତି। ସେମାନେ ମୁଖ୍ୟତଃ ହାର, ଚୁଡ଼ି ଓ ଚେନ୍ କିଣୁଛନ୍ତି। ଛୋଟ ଜିନିଷ କିଣୁଥିବା ଗ୍ରାହକମାନେ କାନଫୁଲ, ହାତ ମୁଦି, ପେଣ୍ଡାଣ୍ଟ ଓ ହାଲୁକା ଗହଣା କିଣୁଛନ୍ତି। ହୀରା ଗହଣାର ବିକ୍ରି ମଧ୍ୟ ବହୁତ ଭଲ ରହିଛି। ହୀରାରେ ଲୋକମାନେ କାନଫୁଲ ଓ ହାତ ମୁଦି ଅଧିକ କିଣୁଥିବା ସେ କହିଛନ୍ତି। ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସର ସିଇଓ ଶୁଭଙ୍କର ସେନ୍ କହିଛନ୍ତି ଯେ ମୂଲ୍ୟ ଦୃଷ୍ଟିରୁ ବିକ୍ରିରେ ୧୦-୧୨ ପ୍ରତିଶତ ବୃଦ୍ଧି ଆଶା କରାଯାଉଛି। ସୁନା ଦାମ୍ ସାମାନ୍ୟ ଉଚ୍ଚା ରହିବା ଏବଂ କିଛି ଦିନ ପୂର୍ବରୁ ସେଥିରେ ଦେଖାଦେଇଥିବା ଅସ୍ଥିରତା ସତ୍ତ୍ବେ ବ୍ୟବସାୟ ବହୁତ ଭଲ ରହିଛି। ହୀରା ଗହଣା ବିକ୍ରିରୋ ୨୫-୩୦ ପ୍ରତିଶତ ବୃଦ୍ଧି ହୋଇଥିବା ଆଶା କରାଯାଉଛି ବୋଲି ସେ କହିଛନ୍ତି। ଏଥର ଧନତେରସରେ ପୁରୁଷଙ୍କ ଗହଣା ବିକ୍ରିରେ ବୃଦ୍ଧି ପରିଲକ୍ଷିତ ହୋଇଛି। ନୂଆ ପିଢ଼ିର ଗ୍ରାହକମାନେ ୱେଷ୍ଟର୍ଣ୍ଣ ଡିଜାଇନକୁ ଅଧିକ ପସନ୍ଦ କରୁଛନ୍ତି। ପ୍ଲାଟିନମ ବିକ୍ରିରେ ୧୫-୨୦ ପ୍ରତିଶତ ବିକ୍ରି ହୋଇଛି। ଯୁବବର୍ଗର ଗ୍ରାହକମାନେ ପ୍ଲାଟିନମ୍ ଓ ରୋଜ ଗୋଲ୍ଡ ଗହଣାକୁ ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି।