ସ୍ମାର୍ଟ ହେଲ୍‌ଥ କାର୍ଡ ବିତରଣ କେନ୍ଦ୍ରରେ ହିତାଧିକାରୀଙ୍କ ଲୋକଙ୍କ ଭିଡ଼

ମାଲକାନଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ମାଲକାନଗିରିରେ ସ୍ମାର୍ଟ ହେଲଥ୍‌ କାର୍ଡ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆଜି ଠାରୁ ଜିଲ୍ଲାରେ ଆନୁଷ୍ଠାନିକ ଭାବେ ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନ କରାଯାଇଛି। ଜିଲ୍ଲାରେ ଯଥେଷ୍ଟ ପରିମାଣର କାର୍ଡ ପହଁଚି ପାରିନଥିବାରୁ ଅଳ୍ପ କେତେକ ସ୍ଥାନରେ କାର୍ଡ ବଂଟନ କରାଯାଇଛି। କାର୍ଡ ବିତରଣ କେନ୍ଦ୍ରରେ ଲୋକଙ୍କ ଭିଡ଼ ଜମି ଥିବା ବେଳେ କାର୍ଡ ନେବା ଲାଗି ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସ୍ମାର୍ଟ ହେଲଥ୍‌ କାର୍ଡ ନେବା ଲାଗି ଭିଡ ଲାଗିଛି। କାର୍ଡ ବିତରଣ କେନ୍ଦ୍ରକୁ ଦେଖିଲେ ଲାଗୁଛି ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ଲୋକଙ୍କ ଲମ୍ବା ଧାଡି ଲମ୍ବିଛି। ରାଜ୍ୟବାସୀ ସ୍ମାର୍ଟ କାର୍ଡ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ପାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବା ପରେ ପ୍ରାଥମିକ ପର୍ଯ୍ୟୟରେ ମାଲାକନଗିରି ଜିଲ୍ଲାରେ କାର୍ଡ ବଂଟନ କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସମେତ ୮ ଜଣ ମନ୍ତ୍ରୀ ବିଭିନ୍ନ ସ୍ଥାନରେ କାର୍ଡ ବଂଟନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସ୍ମାର୍ଟ କାର୍ଡ ଟିଏ ପାଇବା ଲାଗି କାର୍ଡ ବିତରଣ କେନ୍ଦ୍ରରେ ଭିଡ ଲାଗିଥିବା ବେଳେ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି।

କାର୍ଡ ବିତରଣ କେନ୍ଦ୍ରରେ ହିତାଧିକାରୀ ପହଁଚିବା ମାତ୍ରେ ନଥି ପତ୍ର ଯାଂଚ କରାଯାଉଛି। ପରେ ଅନଲାଇନ ମାଧ୍ୟରେ ଆଇରିସ ସ୍କାନ କରାଯାଇ କାର୍ଡ ହସ୍ତାନ୍ତର କରାଯାଉଛି। ଆସନ୍ତା ସେପ୍ଟେଟର ୧ ତାରିଖ ଠାରୁ କାର୍ଡରୁ ହିତାଧିକାରୀ ଲାଭ ପାଇବେ। ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ସହ ରାଜ୍ୟ ତଥା ରାଜ୍ୟ ବାହାରର ୨୦୦ରୁ ଅଧିକ ଅନୁବନ୍ଧିତ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର କ୍ୟାସଲେସ୍‌ ଚିକିତ୍ସା ସେବା ମିଳିବ । ବିଶେଷ କରି କେନ୍ଦ୍ର ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ବିପିଏଲ କାର୍ଡଧାରୀ, ଅନ୍ତୋଦୟ ଓ ଅନ୍ନପୂର୍ଣ୍ଣା ହିତାଧିକାରୀ ଏବଂ ସ୍ୱଳ୍ପ ଆୟକାରୀ ପରିବାର ଏହି ସୁବିଧାର ଲାଭ ପାଇବେ। ସ୍ମାର୍ଟ କାର୍ଡ ନପାଇବା ଯାଏଁ ଏହି ସବୁ କାଗଜ ଦେଖାଇ ଚିକିତ୍ସା ସୁବିଧାର ଲାଭ ପାଇପାରିବେ ହିତାଧିକାରୀ । ଏଥିପାଇଁ ସବୁ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ମିତ୍ର ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର