ବ୍ୟାସନଗର: ପଶ୍ଚିମା ଝଡ଼ରେ ଗତକାଲି ସନ୍ଧ୍ୟାରେ ବ୍ୟାସନଗର ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅପରାହ୍ଣ ୫.୩୦ ରୁ ଆରମ୍ଭ ହୋଇଥିବା ଝଡ଼ବତାସରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ଦୋକାନର ନାମଫଳକ ଓ କେତେକ ସେଡ୍ ଭାଙ୍ଗିପଡ଼ିଛି। ସେହିପରି ବ୍ୟାସନଗର ଷ୍ଟାଡିୟମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଷ୍ଟାଡିୟମରେ ଚାଲିଥିବା ଦିବାରାତ୍ର ତେଜ ହୋଣ୍ଡା ପ୍ରିମିୟମ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ଅସ୍ଥାୟୀ ଆଲୋକ ତୋରଣ ଲଗାଯାଇଥିଲା। ଝଡ଼ବତାସରେ ଅଧିକାଂଶ ତୋରଣ ଭାଙ୍ଗି ଯାଇଥିବା ବେଳେ ଅତିଥିଙ୍କ ପାଇଁ ନିର୍ମାଣ ହୋଇଥିବା ମଞ୍ଚ ମଧ୍ୟ ଭୁଶୁଡ଼ି ପଡ଼ିଥିଲା। ପବନର ଗତି ଏତେ ଥିଲା ଯେ, ଖେଳ ପଡ଼ିଆରେ ପଡ଼ିଥିବା ଚୌକି ପ୍ରାୟ ଦୁଇଶହ ମିଟର ଦୂରକୁ ଉଡ଼ିଯାଇଥିଲା।
୧୨ ନମ୍ବର ୱାର୍ଡ ଦଣ୍ଡିକିରି ଗ୍ରାମରେ ଚାଲିଥିବା ଅଷ୍ଟପ୍ରହରୀ ମଞ୍ଚ ଓ ଲାଇଟ୍ ତୋରଣ ଭୁଶୁଡ଼ି ପଡ଼ିଛି। ହେଲେ ଏହି ଦୁର୍ଘଟଣାରୁ କୀର୍ତ୍ତନ ଦଳ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭଟିଆ ଗ୍ରାମ ପ୍ରବେଶ ପଥ ରାସ୍ତା କଡ଼ରେ ଥିବା ଗୋଟିଏ ଶିରିଶ ଗଛ ଉପୁଡ଼ି ପଡ଼ିଛି। ସେହିପରି ପୌରାଞ୍ଚଳର ୧୧ ଟି ବସ୍ତିରେ ଚାଳିଆ ଘର ଓ ଜରିପାଲ ମାରି ରହୁଥିବା ଲୋକମାନଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ଝଡ଼ବତାସ ପ୍ରଭାବରେ ବହୁ ସମୟ ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯିବାରୁ ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। କିଛି ସ୍ଥାନରେ ବିଳମ୍ବରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲେ ମଧ୍ୟ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ଅଧିକାଂଶ ସ୍ଥାନକୁ ବିଦ୍ୟୁତ୍ ଯୋଗାଣ ସମ୍ଭବ ହୋଇପାରିନଥିଲା। ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ନହେବାରୁ ପାନୀୟଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ସେହିପରି ସନ୍ଧ୍ୟାରେ ଝଡ଼ପବନ ହେବାରୁ ଛୋଟ ବ୍ୟବସାୟୀଙ୍କ କାରବାର ଠପ୍ ହୋଇଯାଇଥିଲା। ବ୍ୟାସନଗରର ବିଭିନ୍ନ ପରିବା ବଜାରରେ ବସୁଥିବା ବ୍ୟବସାୟୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ। ପଶ୍ଚିମା ଝଡ଼ ଓ ଅଦିନିଆ ବର୍ଷା ପାଇଁ ସହରବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/18-18.jpg)