ଯୁଯୁମୁରା: ହାତୀବାରି ଗ୍ରିଡ ଅନ୍ତର୍ଗତ ମୁଣ୍ଢେରରେ ଥିବା ହେଭି ସୁଇଚ୍‌କୁ ମଙ୍ଗଳବାର ଭୋର ୪ଟାରେ ଏକ ହାଇୱା (ଓଡି ୧୫ସି-୬୩୮୫) ଧକ୍କା ଦେବାରୁ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ସାଧୁପଡ଼ା, ଆଷାଢୁପଡା, ଚଷାପଡ଼ା, ବ୍ରାହ୍ମଣୀପାଲି, ଜଡ଼ାମୁଣ୍ଡା, ଧଧଲୋମୁଣ୍ଡା, କୁମକା, ମୁଣ୍ଢେର, ଠର୍ଲି, ଭବାନୀପାଲି ଗାଁକୁ ବିଦ୍ୟୁତ ସରବରାହ ଠପ୍ ହୋଇଯାଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସନ୍ଧ୍ୟା ହେଲେ ଅଞ୍ଚଳରେ ବଣୁଆ ହାତୀ ଭୟ ରହୁଛି। ପୁଣି ଚାର୍ଜ ଅଭାବରୁ ଅଧିକାଂଶ ମୋବାଇଲ୍ ବନ୍ଦ ରହିଛି। ସ୍ଥାନୀୟ ଅଞ୍ଚଳର ଲୋକମାନେ ସେମାନଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

ଏ ସଂକ୍ରାନ୍ତରେ ହାତୀବାରି ସେକ୍ସନ କନିଷ୍ଠ ଯନ୍ତ୍ରୀ ବିଭୁ ସୁନ୍ଦର ମହାନ୍ତିଙ୍କୁ ପଚାରିବାରେ, ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ସରବରାହ ସ୍ଵାଭାବିକ ହେବ ବୋଲି କହିଥିଲେ।
ସୂଚନାଯୋଗ୍ୟ, ଗତ ୧୯ ତାରିଖ ସନ୍ଧ୍ୟାରେ ଜାମଟାଳ-କୁମ୍‌କା ରାସ୍ତାରେ ଥିବା ଏକ ପଥର ଖାଦାନରେ ବିସ୍ଫୋରଣ ଯୋଗୁ ପଥର ବାଜି ବିଦ୍ୟୁତ୍‌ ଜମ୍ପର(୧୧ କେଭି) ଓ ପିନ୍‌ ଉଡ଼ି ଯାଇଥିଲା। ଯେଉଁ କାରଣରୁ ହାତୀବାରି ଗ୍ରିଡ୍‌ର ୨ଟି ଫ୍ୟୁଜ୍‌ ମଧ୍ୟ ଉଡ଼ି ଯାଇଥିଲା। ଫଳରେ ପୂରା ଅଞ୍ଚଳରେ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ରହିଥିଲା। ଏଭଳି ଘଟଣା ନୂଆ ନୁହେଁ। ମାସେ ମଧ୍ୟରେ ୬ରୁ ୭ ଥର ଘଟିସାରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବିଦ୍ୟୁତ୍‌ ବିଭାଗ ମଧ୍ୟ ଏ ବିଷୟରେ ସବୁ ଜାଣି ନଜାଣିବା ଛଳନା କରୁଛି ସେମାନେ କହିଛନ୍ତି। ବାରମ୍ବାର ଏଭଳି ହେଉଥିବା ସତ୍ତ୍ବେ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।