ଭୁବନେଶ୍ବର: ସକାଳୁ ପାଗ ମେଘୁଆ ଥିଲା। ମଝିରେ ମଝିରେ ଖରା ହେଉଥିଲା ଏବଂ ପ୍ରବଳ ଗୁଳୁଗୁଳି ହେଉଥିଲା। କିନ୍ତୁ ଅପରାହ୍ଣ ପ୍ରାୟ ୨ଟା ବେଳକୁ ଅଚାନକ ବଦଳି ଯାଇଥିଲା ପାଣିପାଗର ମିଜାଜ୍‌। ଭୁବନେଶ୍ୱର ଆକାଶରେ ଘୋଟି ଆସିଥିଲା କାଳାହାଣ୍ଡିଆ ମେଘ। ପ୍ରଥମେ ଝିପିଝିପି ବର୍ଷା ହୋଇଥିଲା। ତା’ପରେ ଆରମ୍ଭ ହୋଇଥିଲା ପ୍ରବଳ ବଜ୍ରପାତ। କଳାହାଣ୍ଡିଆ ମେଘ ଭିତରେ ଆଲୋକିତ ହୋଇଯାଇଥିଲା ରାଜଧାନୀର ଆକାଶ। ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳିରେ ପ୍ରାୟ ୩ ଘଣ୍ଟା କାଳ ଥରିଥିଲା ରାଜଧାନୀ। ମିଳିଥିବା ସୂଚନାନୁସାରେ ସାରା ରାଜ୍ୟରେ ଆଜି ସଂଧ୍ୟା ସାଢ଼େ ୫ଟା ମଧ୍ୟରେ ୨୫୭୫୩ଟି ବିଜୁଳି ମାରିଥିଲା। ରିପୋର୍ଟ କହୁଛି, ଏଥିରୁ ଅଧିକାଂଶ ବିଜୁଳି ‌କେବଳ ଭୁବନେଶ୍ବର ସହରରେ ମାରିଛି। ଏହାକୁ ନେଇ ରାଜଧାନୀବାସୀ ଆତଙ୍କିତ ହୋଇପଡ଼ିଥିଲେ।

Advertisment

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ସାଧାରଣତଃ ବାଦଲ ଯେତେ ଦୂରତାରେ ରହିବ, ବିଜୁଳି ସେତେ ଅଧିକ ବିପଦଜ୍ଜନକ ହୋଇଥାଏ। ଆଜି ରାଜଧାନୀରେ ବାଦଲର ଉଚ୍ଚତା ୧୮ କିମିରୁ ଅଧିକ ଥିଲା। ଫଳରେ ଆଜି ରାଜଧାନୀରେ ବିଜୁଳି ବେଶ୍‌ ବିପଦଜ୍ଜନକ ଥିଲା। ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିଲା। ଏବେ ଏହା ସ୍ବାଭାବିକ ଅବସ୍ଥାକୁ ଫେରୁଛି। ଫଳରେ ବାୟୁମଣ୍ଡଳକୁ ଜଳୀୟବାଷ୍ପ ପ୍ରଚୂର ପରିମାଣରେ ମିଳୁଛି। ନିଷ୍କ୍ରିୟ ମୌସୁମୀ ଯୋଗୁଁ ରାଜ୍ୟର ତାପମାତ୍ରା ବୃଦ୍ଧିପାଇଥିଲା। ଉଭୟ ଉପାଦାନ ଏବେ ମିଶିଯିବା ଫଳରେ ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ବିଜୁଳି ମାରୁଥିବା ସେ କହିଛନ୍ତି। ସେହିଭଳି ମୂଷଳଧାରାରେ ହୋଇଥିବା ଲଗାଣ ବର୍ଷାରେ ‌ବେହାଲ ହୋଇପଡ଼ିଥିଲା ଭୁବନେଶ୍ବର। ରାଜଧାନୀରେ ଆଜି ସଂଧ୍ୟା ସୁଦ୍ଧା ସର୍ବାଧିକ ୧୨୬ ମିମି ବର୍ଷା ହୋଇଯାଇଛି। ସ୍ମାଟସିଟିର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ଅନେକ ଲୋକଙ୍କ ଘରେ ପାଣି ପଶିଯାଇଥିଲା। ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲିଥିଲା।

ଆଜି ସଂଧ୍ୟା ସାଢ଼େ ୫ଟା ଭିତରେ ଭୁବନେଶ୍ବରରେ ସର୍ବାଧିକ ୧୨୬ ମିମି ବର୍ଷା ହୋଇଥିବା ବେଳେ କଟକ ସହରରେ ୮୪.୪ ମିମି, ଖୋର୍ଧାରେ ୭୫ମିମି, ଅନୁଗୁଳରେ ୨୬ ମିମି ଲେଖାଏଁ ବର୍ଷା ରେକର୍ଡ ହୋଇଛି। ତେବେ ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ୧୦ ଜଣ ପ୍ରାଣ ହରଇଥିବା ଜଣାପଡ଼ିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ଏବେ ସେହି ଅଞ୍ଚଳରେ ରହିବା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳିରହିଛି। ସେହିପରି ଆସନ୍ତାକାଲି(ରବିବାର) ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବ ରାଜ୍ୟରେ ଆଜିଠାରୁ ଦେଖିବାକୁ ମିଳିଛି। ଆସନ୍ତାକାଲିଠାରୁ ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ। ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୪ ତାରିଖ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲା ଓ ୫ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ସୋନପୁର, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିଭଳି ରାଜ୍ୟର ଅବଶିଷ୍ଟ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପା‌ରେ। ୪ ତାରିଖ ଦିନ ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଆଦି ଜିଲ୍ଲାର କେତେକାଂଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହୁଛି। ୫ ତାରିଖରେ ବର୍ଷା ଟିକେ କମିବ ଓ ୬ ତାରିଖ ଆଡ଼କୁ ଆହୁରି କମିଯିବା‌ର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରିରେ ପାଖାପାଖି ରହିବ।