ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ଓ ତତ୍‌ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟର ବ୍ୟାପ୍ତି ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ରହିବା ସହ ଦକ୍ଷିଣ-ପଶ୍ଚିମ ଦିଗରେ ଢଳି ରହିଛି। ଆଗକୁ ଏହା ଆହୁରି ଘନୀଭୂତ ହୋ‌ଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଓ ଝାଡ଼ଖଣ୍ଡ ମଧ୍ୟ ଦେଇ ଆଗାମୀ ୨ରୁ ୩ ଦିନ ଗତି କରିବ। ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିସ୍ତୃତି ବର୍ଷା ସହ ଉତ୍ତର ଓଡ଼ିଶାର କେତକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା(୭ରୁ ୨୦ ସେମି) ଓ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା(୨୦ ସେମିରୁ ଅଧିକ) ହୋଇପାରେ। ରବିବାର ମଧ୍ୟ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

ଆକଳନ ଅନୁଯାୟୀ, ଶନିବାର ପୂର୍ବାହ୍ନ ସୁଦ୍ଧା ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରେଡ୍‌ ୱାର୍ଣ୍ଣିଂ ଏବଂ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ, ଦେବଗଡ଼, କେନ୍ଦ୍ରାପଡ଼ା, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୧୬ରୁ ୨୦ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଏସ୍‌ଆରସିଙ୍କ ପକ୍ଷରୁ ଅନୁଗୁଳ, ବରଗଡ଼, ବାଲେଶ୍ବର, ଭଦ୍ରକ, କଟକ, ଢେଙ୍କାନାଳ, ଦେବଗଡ଼, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇ ଦିଆଯାଇଛି।

ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରି ସ୍ଥିତି ଉପୁଜିପାରେ। ନଦୀ ଓ କେନାଲଗୁଡ଼ିକର ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ ମୁଖ୍ୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା, ପାହାଡ଼ିଆ ଅଞ୍ଚଳରେ ପାହାଡ଼ ଧସିବା ପରି ସମସ୍ୟା ଏଡ଼ାଇବା ଦିଗରେ ପଦକ୍ଷେପ ନେବେ। ବନ୍ୟା ମୁକାବିଲା ପାଇଁ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି। ବର୍ଷା/ବନ୍ୟା ଜଳ ଯେପରି ଯୁଦ୍ଧକାଳୀନ ଭିତ୍ତିରେ ନିଷ୍କାସନ ହୋଇପାରିବ ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ସମ୍ଭାବ୍ୟ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ୧୬ରୁ ୨୦ ତାରିଖ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ଉତ୍ତରପଶ୍ଚିମ ବଙ୍ଗୋପସାଗରକୁ ବାରଣ କରାଯାଇଛି। ଲଘୁଚାପ ସହ ସକ୍ରିୟ ମୌସୁମୀ ପ୍ରଭାବରେ ଘଣ୍ଟା ପ୍ରତି ୩୫ରୁ ୪୫ କିମି ବେଗରେ ପବନ ବହିପାରେ। ସ୍ଥଳ ବିଶେଷରେ ପବନର ବେଗ ୫୫ କିମି ଛୁଇଁବାର ସମ୍ଭାବନା ରହିଥିବାରୁ ସମୁଦ୍ର ଭିତରେ ରହିଥିବା ମତ୍ସ୍ୟଜୀବୀମାନେ ତୁରନ୍ତ ଫେରି ଆସିବାକୁ କୁହାଯାଇଛି। ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ଯାଜପୁର ଜିଲ୍ଲାର ଜେନାପୁରଠାରେ ୧୫୦ ମିମି, ଗଞ୍ଜାମର ବେଲଗୁଣ୍ଠାରେ ୧୨୯.୪, ରାୟଗଡ଼ା ଜିଲ୍ଲାର ଗୁଡ଼ାରିରେ ୧୨୮.୬, କେନ୍ଦୁଝର ଜିଲ୍ଲାର ତେଲକୋଇଠାରେ ୧୨୬.୬, ଢେଙ୍କାନାଳ ଜିଲ୍ଲାର ଭୁବନଠାରେ ୧୧୮ ମିମି ବର୍ଷା ହୋଇଛି।