ଅତି ପ୍ରବଳ ବର୍ଷା ସମ୍ଭାବନା: ଅରେଞ୍ଜ ଓ ରେଡ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ରହିଛି। ଏହି ଜିଲ୍ଲାଗୁଡ଼ିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ସମୟରେ ଅକସ୍ମାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ସେହିପରି ମାଟିରାସ୍ତା ଧସିଯିବା, ପାହାଡ଼ିଆ ଅଞ୍ଚଳରେ ଭୂ-ସ୍ଖଳନ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇପାରେ। ଏଥିଯୋଗୁଁ ପନିପରିବା ଚାଷ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟବାସୀଙ୍କୁ ସତର୍କ କରାଇ ଦିଆଯାଇଛି।

ଏଥିସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ବର, ସୁନ୍ଦରଗଡ଼, ଝାରସୁଗୁଡ଼ା,ବରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ରହିଛି।

ସମ୍ବନ୍ଧିତ ଖବର