ପ୍ରବଳ ଜାଡ଼, ଆଖି ବୁଜିଲେ ୩

ସମ୍ବଲପୁର/ ଝରିଗାଁ: ପ୍ରବଳ ଥଣ୍ଡା ଯୋଗୁ ଆଜି ୩ ଜଣଙ୍କର ପ୍ରାଣହାନି ଘଟିଛି। ସମ୍ବଲପୁର ସହରର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରିଗାଁରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ସମ୍ବଲପରର ଅଇଁଠାପାଲି ଥାନା ରାନୀବନ୍ଧ ଗ୍ରାମର ଦିଲ୍ଲୀପ ଭୋଇ(୪୦) ଗତ ୧୬ ତାରିଖ ଦିନ ବିଳମ୍ବିତ ରାତିରେ ଘରୁ ବାହାରି ଆଉ ଫେରି ନଥିଲେ। ତେବେ, ୧୭ ତାରିଖ ଦିନ ରାତି ପ୍ରାୟ ୧୨ଟା ବେଳେ କେହି ଜଣେ ବ୍ୟକ୍ତି ଫୋନ କରି ପତ୍ରା ଜଙ୍ଗଲ ଲାଲୁପଡ଼ା ରାସ୍ତା କଡ଼ରେ ଏକ ମୃତଦେହ ପଡ଼ିଥିବା ନେଇ ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତ୍ୟୁର କାରଣ ସନ୍ଦେହଜନକ ନଥିବା ଜଣାପଡ଼ିଛି। ସେହିଭଳି ବୁର୍ଲା ଜ୍ୟୋତିବିହାର ସମ୍ମୁଖରେ ଜାତୀୟ ରାଜପଥ ୫୩ କଡ଼ରେ କୌଣସି ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ନେଇ ସୂଚନା ପାଇ ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୬୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଶୀତ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ପୁଲିସ ଆଶଙ୍କା କରୁଛି। ଏନେଇ ଆଇଁଠାପାଲି ଓ ବୁର୍ଲା ପୁଲିସ ପୃଥକ ପୃଥକ୍ ଦୁଇଟି  ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ,  ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରିଗାଁ ବ୍ଲକର ବାଣୁଆଗୁଡା ଗ୍ରାମର ଯମୁନା ହରିଜନ(୬୦) ପ୍ରବଳ ଥଣ୍ଡା ଯୋଗୁ ପ୍ରାଣ ହରାଇଛନ୍ତି।  ଏହି ମହିଳା  ଦୀର୍ଘ ୩୫ବର୍ଷ ତଳେ ନିଚ ଜାତିର ଜଣେ ବ୍ୟକ୍ତିଙ୍କୁ ବ୍ୟବହାର କରିଥିଲେ। ଫଳରେ, ତାଙ୍କ ପରିବାର ଲୋକ ତାଙ୍କ ସହିତ ସମ୍ପର୍କ ଛିନ୍ନ କରିଥିଲେ। ଯାହାକୁ ନେଇ ସାତ ଜନମର ସାଥୀ ହେବା ପାଇଁ ସ୍ବପ୍ନ ଦେଖିଥିଲେ ସେ ମଧ୍ୟ କିଛି ମାସ ପରେ ଯମୁନାଙ୍କୁ ଛାଡି ଅନ୍ୟତ୍ର ଚାଲିଗଲେ। ଏହାପର ଠାରୁ ଯମୁନା ମାନସିକ ଭାରସାମ୍ୟ ହରାଇ ଏତେତେଣେ ବୁଲିବାକୁ ଲାଗିଲେ। ଗତ ଦୁଇ ଦିନର ପ୍ରବଳ କଥଣ୍ଡାକୁ ସହ୍ୟ କରିନପାରି ଆଜି ଯମୁନା ଚିରଦିନ ପାଇଁ ଆଖି ବୁଜି ଦେଇଛନ୍ତି। ‌େତବେ, ମୃତ ଯମୁନାଙ୍କ ପରିବାର ଲୋକ ଲୋକ ସାମାଜିକ ବାସନ୍ଦ ଭୟରେ ଶବ ସତ୍କାର କରିବାକୁ ମନା କରି ଦେଇଥିଲେ। ପରେ ପ୍ରଶାସନିକ ଅଧିକାରୀ, ପୁଲିସ, ସ୍ବେଚ୍ଛାସେବୀ ଓ ଗଣମାଧ୍ୟମ ପ୍ରତିନିଧି  ଯମୁନାଙ୍କ ଶବ ସତ୍କାର କରିବାକୁ ଅଣ୍ଟା ଭଡିଥିଲେ। ମୃତ ଯମୁନାଙ୍କ ଶବ ପୋତି ଦିଆଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯମୁନାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର