ଜାଡ଼ରେ ଥରୁଛି କନ୍ଧମାଳ, ଫୁଲବାଣୀର ତାପମାତ୍ରା ୭.୮ଂ

ଫୁଲବାଣୀ:ପୁଣି ଖସିଲା ପାରଦ। ଓଡିଶାର ସବୁଠାରୁ ଥଣ୍ତା ସହର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ଆଜି ରହିଛି ୭.୮। ଗତ ୨୪ ତାରିଖରେ ୮ ଓ ୨୫ ତାରିଖରେ ୮.୫ ଥିବା ବେଳେ ଗତକାଲି ଟିକେ ବଢି ୯ ଡିଗ୍ରୀ ଥିଲା। ଆଜି ପୁଣି ପାରଦ ଖସି ଆସିଛି। ଫଳରେ କନ୍ଧମାଳ ଜାଡ଼ରେ ଥରୁଛି। ଓଡିଶାର କାଶ୍ମୀର ଦାରିଙ୍ଗବାଡିର ଆଜିର ତାପମାତ୍ରା ୮.୨ ରହିଛି। ପ୍ରବଳ ଶୀତ ସାଙ୍ଗକୁ ସକାଳେ ଓ ସ˚ଧୢାରେ କୁହୁଡି ଲାଗି ରହୁଛି। ଯାହା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଶୀତର ପ୍ରକୋପ ଏତେ ମାତ୍ରାରେ ରହୁଛି ଯେ ସକାଳ ୯ଟା ପର୍ଯ୍ୟନ୍ତ ପଦାକୁ ବାହାରିବା ସମ୍ଭବ ହେଉ ନାହିଁ। ଜଙ୍ଗଲ ପାଖ ଗାଁରେ ବସବାସ କରୁଥିବା ଲୋକଙ୍କ ଅବସ୍ଥା ନ କହିବା ଭଲ। ସେସବୁ ସ୍ଥାନରେ ଦିନ ୧୨ଟା ପର୍ଯ୍ୟନ୍ତ ଶୀତ ଲାଗି ରହୁଛି। ଜିଲ୍ଲାର ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ରାଇକିଆ, ଗୋଛାପଡା, ବାଲନ୍ଦାପଡା, ଫିରିଙ୍ଗିଆ, ବ୍ରାହ୍ମଣୀଗାଁ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୮ରୁ ୧୦ ମଧୢରେ ରହିଛି। ଗତକାଲି ପରି ଆଜି ମଧ୍ୟ ୧୬ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଖସିବ। ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲକା କୁହୁଡ଼ି ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର