ଥଣ୍ଡାରେ ଥରୁଛି ଓଡ଼ିଶା, ୧୦ ଡିଗ୍ରି ତଳେ ୧୩ଟି ସହର

ଭୁବନେଶ୍ବର: ପୁଣି ଖସିଲା ପାରଦ। ଗତକାଲି ଅପେକ୍ଷା ଆଜି ରାଜ୍ୟର ଅର୍ଧାଧିକ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିଛି। ସୋନପୁରଠାରେ ହାଡଭଙ୍ଗା ଜାଡ଼ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି ଶୀତ। ୨୪ ଘଣ୍ଟା ମଧ୍ୟରେ ଏଠାରେ ପାରଦ ପାଖାପାଖି ଦୁଇ ଡିଗ୍ରି କମିଛି। ଗତକାଲି ଏଠାରେ ୬.୮ ଡିଗ୍ରି ରେକର୍ଡ କରାଯାଇଥିଲା। ଆଉ ଆଜି ୪.୮ ଡିଗ୍ରିକୁ ଖସି ଆସିଛି। ଚଳିତ ମାସରେ ପ୍ରଥମ ଥର ପାଇଁ ସୋନପୁରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦାରିଙ୍ଗବାଡ଼ି ଓ ଗଞ୍ଜାମର କେତେକ ସ୍ଥାନରେ ତୁଷାରପାତ ହୋଇଥିବା ‌ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫୁଲବାଣୀରେ ବି ପ୍ରବଳ ଥଣ୍ଡା। ଏଠାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରିକୁ ଖସିଛି। ଅନୁରୂପ ଭାବେ ଦାରିଙ୍ଗବାଡିରେ ବି ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରହିଥିଲା। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ତଳେ ରହିଛି। ମୋଟାମୋଟି ଭାବେ ଆଜି ରାଜ୍ୟର ୧୩ଟି ସହରର ପାରଦ ୧୦ ଡିଗ୍ରି ତଳକୁ ଖସିଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର କହିଛନ୍ତି ଯେ ଆସନ୍ତା ୫ରୁ ୬ ଦିନ ପାଇଁ ଓଡିଶାରେ ବର୍ଷା ନାହିଁ। ବାରିପଦା, ହୀରାକୁଦ, ତାଳଚେର, ଭବାନୀପାଟଣା, କୋରାପୁଟ, ମାଲକାନଗିରି ଆଦି ସହରରେ ହାଲୁକା କୁହୁଡ଼ି ହୋଇଛି। କେବଳ ଟିଟିଲାଗଡ଼ରେ ଘନ କୁହୁଡ଼ି ହୋଇଥିଲା। ଆସନ୍ତା ୨ ଦିନ ଯାଏ ଅଧିକାଂଶ ସହରରେ ହାଲୁକାରୁ ସ୍ୱଳ୍ପ କୁହୁଡ଼ି ହେବ। ୫୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବନି। କେତେକ ପାହାଡିଆ ଅଞ୍ଚଳରେ ଘନ କୁହୁଡ଼ି ହୋଇପାରେ। ଉପକୂଳ ଓଡ଼ିଶାରେ ସେଭଳି ହେବାର ସମ୍ଭାବନା କ୍ଷୀଣ ରହିଛି। ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେଭଳି ପରିବର୍ତନ ଦେଖିବାକୁ ମିଳିବନି। ୧ରୁ ୨ ଡିଗ୍ରି ଏପାଖ ସେପାଖ ହୋଇପାରେ। ୧୪ ତାରିଖଠାରୁ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ୧୩ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ବାଲେଶ୍ବର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୟାଗଡ଼, ଢେଙ୍କାନାଳ, କଟକ, ଖୋର୍ଧା, କନ୍ଧମାଳ ଓ ପୁରୀ ଏବଂ ୧୪‌ରେ ଅନୁଗୁଳ, ନୟାଗଡ଼, କନ୍ଧମାଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଥଣ୍ଡା ହେବ। ତାପମାତ୍ରାରେ ସେଭଳି କୌଣସି ପରିବର୍ତନ ହେବନି। ବରଂ ସର୍ବନିମ୍ନ ତାପମାତ୍ରା ଧୀ‌ରେ ଧୀରେ ବଢ଼ିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ।

ସମ୍ବନ୍ଧିତ ଖବର

Comments are closed.