ଥରୁଛି ସାରା ଓଡ଼ିଶା, ବର୍ଷା ବଢ଼ାଇଲା ଶୀତ

ଆଜି ରାତିଠୁ ବର୍ଷା କମିବ, ଥଣ୍ଡା ବଢ଼ିବ

ଭୁବନେଶ୍ବର: ସକାଳୁ ସନ୍ଧ୍ୟା। ଥଣ୍ଡାରେ ଥରୁଛି ସାରା ଓଡ଼ିଶା‌। କେଉଁଠି ସର୍ବନିମ୍ନ ତାପମାତ୍ରା କମ୍ ରହିଛି, ବର୍ଷା କଷ୍ଟ ଅସହ୍ୟ କରିଦେଲାଣି। ଆଉ କେଉଁଠି ବର୍ଷା କମ୍ ରହିଥିଲେ ହେଁ ପାଗ କୋହଲା କାରଣରୁ ଲୋକେ ଥରୁଛନ୍ତି। ସ୍ଥିତି ଏମିତି ଯେ ଲୋକେ ଘରୁ ବାହାରିବା ବି ମୁସ୍କିଲ ହୋଇପଡ଼ିଛି। ବାରିପଦାରୁ ସୋନପୁର ଅଥବା ଭୁବନେଶ୍ବରରୁ ବଲାଙ୍ଗୀର, ସବୁଠି ଏଭଳି ସ୍ଥିତି। ଦିନର ସର୍ବୋଚ୍ଚ ତାପମାତ୍ରା ହଠାତ୍‌ ହ୍ରାସ ପାଇଛି। ଏକାଥରକେ ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ଖସି ଆସିଥିବାରୁ ସାରା ରାଜ୍ୟରେ ଜନଜୀବନ ପ୍ରଭାବିତ ହୋଇଛି। ଏଭଳି ସ୍ଥିତି ଆହୁରି ୧୨ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ। ଶନିବାର ମଧ୍ୟାହ୍ନଠାରୁ କିଛି ସ୍ଥାନରେ ବର୍ଷା କମିବ। ତେବେ ୫ ତାରିଖ ସକାଳ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ କୋହଲା ପାଗ ଜାରି ରହିବ। ଏହାପରେ ପାରଦ ଖସିବ। ଆସନ୍ତା ୪୮ ଘଣ୍ଟା ପରେ ରାତିର ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରି ଖସିବ। ତେଣୁ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୧୩ ଜିଲ୍ଲାକୁ ‌ୟେଲୋ ୱାର୍ଣ୍ଣିଂ‌
୭ ତାରିଖ ଯାଏ ଘନ କୁହୁଡ଼ି ସମ୍ଭାବନା

ଆକଳନ ଅନୁଯାୟୀ ୪ ତାରିଖ ମଧ୍ୟାହ୍ନ ସୁଦ୍ଧା କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ଭଦ୍ରକ, ବାଲେଶ୍ବର, ଯାଜପୁର, କୋରାପୁଟ, କଟକ, ଖୋର୍ଧା, ସୋନପୁର, ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ହୋଇପାରେ। ୫ ତାରିଖ ସକାଳ ପର୍ଯ୍ୟନ୍ତ ବି ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୭ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପଡ଼ିବ। ଗୋଟିଏ ଦୁଇଟି ସ୍ଥାନରେ ୨୦୦ ମିଟରରୁ ଅଧିକ ବାଟ ଦୃଶ୍ୟମାନ ହେବନି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁ‌ରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପ ଓ ଝିପିଝିପି ବର୍ଷା ହୋଇଥିବାରୁ କୋହଲା ପାଗ ଲାଗି ରହିଥିଲା। ଦିନର ତାପମାତ୍ରା ବିଶେଷ ଭାବେ କମିବା ହେତୁ ଏଭଳି ସ୍ଥିତି ଥିଲା। ତେବେ ଆସନ୍ତାକାଲିଠାରୁ ଅନେକ ସ୍ଥାନରେ ବର୍ଷା ଓ କୋହଲା ପାଗର ପ୍ରକୋପ କମିବ। ଆଜି ସକାଳୁ ରାଜ୍ୟକୁ ବଙ୍ଗୋପ ସାଗରୀୟ ପବନ ବହୁଥିଲା। ସନ୍ଧ୍ୟା ପରେ ଅନୁମାନ କରାଯାଉଛି ଯେ ଉତ୍ତରା ପଶ୍ଚିମ ପବନ ସିଧା ବହିବ ଏବଂ କିଛି ପବନ ଆରବ ସାଗର ଦେଇ ଆସିବ। ‌ତେଣୁ ଉତ୍ତର ଓଡ଼ିଶାରେ ରାତିର ତାପମାତ୍ରା କମିବ ଓ ଥଣ୍ଡା ବଢ଼ିବ। ପଶ୍ଚିମ ଓଡ଼ିଶାରେ ଶନିବାର ପର୍ଯ୍ୟନ୍ତ ପାଗ ମେଘୁଆ, କୋହଲା ଓ କିଛି ବର୍ଷା ହେବାର ସମ୍ଭାବନା ରହିଛି। ୫ ତା‌ରିଖରୁ ଉତ୍ତରା ପବନ ରାଜ୍ୟକୁ ସିଧା ବହିବାକୁ ଥିବାରୁ ରାଜ୍ୟରେ ରାତିର ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ।

ପୁରୀଠାରୁ ବାଲେଶ୍ବର ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ବିଶେଷକରି ଜଗତ୍‌ସିଂହପୁର, ‌କେନ୍ଦ୍ରାପଡ଼ା ସହ ଦକ୍ଷିଣ ଛତିଶଗଡ଼ ସୀମାନ୍ତବର୍ତୀ ଅଞ୍ଚଳରେ ବିଶେଷ ବର୍ଷା ହୋଇଛି। ୪ ତାରିଖରୁ ଦକ୍ଷିଣ ଓଡ଼ିଶା ସହ ଆଭ୍ୟନ୍ତରୀଣ ପଶ୍ଚିମ ଓଡ଼ିଶା, ମୟୂରଭଞ୍ଜ, ସୁନ୍ଦରଗଡ଼ରେ ହାଲୁକା ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ ଶୁଖିଲା ଓ ଖରାଟିଆ ରହିପାରେ। ୫ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ବଢ଼ିବ। କୋହଲା ପାଗ କମିବ। ତେବେ ଉତ୍ତର ପଶ୍ଚିମ ଓଡ଼ିଶାରେ କୋହଲା ପାଗ ଲାଗିରହିବ। ୱେଷ୍ଟର୍ଣ୍ଣ ଡିଷ୍ଟ୍ରବାନ୍ସ ଯୋଗୁଁ ୭ ତାରିଖରୁ ବାୟୁର ଦିଗ ପରିବର୍ତନ ସହ ପାଗରେ ପରିବର୍ତନ ଆସିବ। ୮ ତାରିଖରେ ଉପକୂଳ ପାଗରେ ପୁଣି ପରିବର୍ତନ ହେବ। ମେଘୁଆ ପାଗ ରହିବ। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ୯ ତାରିଖ ପରେ ପୁଣି ଥଣ୍ଡା ଲେଉଟିବାର ସମ୍ଭାବନା ରହିଛି। ସାଧାରଣ ଭାବେ ରାଜ୍ୟରେ ଜାନୁଆରି ପ୍ରଥମ ସପ୍ତାହରେ ସବୁଠାରୁ ଅଧିକ ଥଣ୍ଡା ରହିଥାଏ। ତେବେ ଚଳିତବର୍ଷ ଜଣାପଡ଼ୁଛି ଯେ ଜାନୁଆରି ଦ୍ବିତୀୟ ସପ୍ତାହରେ ପ୍ରବଳ ଥଣ୍ଡା ହେବ।

ଗତ ୨୪ ଘଣ୍ଟା ମଧ୍ୟ‌ରେ ଦିନ ଓ ରାତିର ତାପମାତ୍ରା ପାଖାପାଖି ସମାନ ରହିଥିଲା। କେନ୍ଦୁଝରରେ ଦିନର ତାପମାତ୍ରା‌ ୧୬ ଡିଗ୍ରିକୁ ଖସିଆସିଛି। ଏଠାରେ ରାତିର ତାପମାତ୍ରା ୧୩ ଡିଗ୍ରି ରହିଥିଲା। ସେହିପରି ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୧୮.୮, ସୁନ୍ଦରଗଡ଼ରେ ୧୯, ବାଲେଶ୍ବରରେ ୧୯.୬, ବଲାଙ୍ଗୀରରେ ୧୯.୭, ସୋନପୁରରେ ୧୯.୮, ଚାନ୍ଦବାଲିରେ ୧୯.୯ ଡିଗ୍ରି ଥିଲା। ଅନ୍ୟ ସବୁଠି ତାପମାତ୍ରା ୨୦ ଡିଗ୍ରି ଉପରେ ରହିଥିଲା। ୭ଟି ସହରର ତାପମାତ୍ରା ୨୦ରୁ ୨୧ ଡିଗ୍ରି ଭିତରେ ଥିଲା। ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର