ଭୁବନେଶ୍ବର: ପୁଣି ଲେଉଟିବ ଶୀତ। ଆସନ୍ତା ୨୨ ତାରିଖଠାରୁ ରାତିର ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବ। ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ରାତିର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିବ। ୨୪ ତାରିଖ ପରେ ଉପକୂଳ ଓଡ଼ିଶା ଉପରେ ବି କିଛିଟା ପ୍ରଭାବ ପଡ଼ିବ। ରାତିରେ ପାରଦ ଦୁଇ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଲା, ଘୂର୍ଣ୍ଣିଝଡ଼ ଓଡ଼ିଶା ଅତିକ୍ରମ କରିଥିବାରୁ ବୁଧବାରଠାରୁ ସାରା ରାଜ୍ୟରେ ଦିନର ତାପମାତ୍ରା ବଢ଼ିଛି। ଆଉ କୋହଲା ପାଗ ରହିବ ନାହିଁ। ଆଜିଠାରୁ ସାରା ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ବହିବାକୁ ଆରମ୍ଭ କରିଛି। ତେଣୁ ଥଣ୍ଡା ବଢ଼ିବ। ଦାରିଙ୍ଗବାଡ଼ି, କନ୍ଧମାଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ହ୍ରାସ ପାଇବ। ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ୨୩ ତାରିଖ ଯାଏ ସେଭଳି ପରିବର୍ତନ ହେବନି। ୨୪ ତାରିଖଠାରୁ କ୍ରମାଗତ ଭାବେ ୨ ଡିଗ୍ରି ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ତେବେ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ରାତିର ତାପମାତ୍ରା ବୁଧବାରଠାରୁ କ୍ରମାଗତ ଭାବେ ୫ ଡିଗ୍ରି ପର୍ଯ୍ୟନ୍ତ କମିବ। ଦୁଇ ଦିନ ହେଲା ଜାଡ଼ରେ ଥରୁଥିବା ଓଡ଼ିଶାବାସୀଙ୍କୁ ଆଜି ଟିକିଏ ଆଶ୍ବସ୍ତି ମିଳିଛି। ଦିନର ତାପମାତ୍ରା ବଢ଼ିବା ସହ ସୂର୍ଯ୍ୟଙ୍କ କିରଣ ଦେଖିବାର ସୁଯୋଗ ମିଳିଛି। ସବୁ ସହରର ଦିନର ତାପମାତ୍ରା ୩ରୁ ୮ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ହେଲେ ରାତିର ‌ତାପମାତ୍ରାରେ ଆଖିଦୃଶିଆ ହ୍ରାସ ପାଇନି। ସବୁ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିଲା। ଅନ୍ୟପକ୍ଷରେ ଅଦିନିଆ ବର୍ଷା ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମାଟିରେ ମିଶି ଯାଇଛି ଫସଲ। କଳାହାଣ୍ଡିରେ କପା ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ସମ୍ବଲପୁରରେ ବି ପଡ଼ିଛି ବାତ୍ୟାର ପ୍ରଭାବ। ଚାଷୀର ପରିଶ୍ରମ ବର୍ଷାରେ ଧୋଇ ହୋଇଯାଇଛି।