ସରକାର-ପୂଜା କମିଟି ବୈଠକ ଶେଷ: ୨ଦିନ ଭିତରେ ମୂର୍ତ୍ତି ଉଚ୍ଚତା ଓ ପରଦା ଉଚ୍ଛେଦକୁ ନେଇ ନିଷ୍ପତ୍ତି ନେବେ ସରକାର

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଆଖିଆଗରେ ରଖି ସରକାର ପାର୍ବଣରେ ୪ ଫୁଟ ଉଚ୍ଚତାର ମୂର୍ତ୍ତି ଏବଂ ମଣ୍ଡପରେ ପରଦା ଟାଣି ପୂଜା କରିବାକୁ ନିର୍ଦେଶ ଦେଇଥିଲେ | ସରକାରଙ୍କ ଏହି ନିର୍ଦେଶ ପରେ ଏହାକୁ ପୂଜା କମିଟିମାନେ ବିରୋଧ କରିବା ସହ ଏହି କଟକଣା କୋହଳ କରିବା ପାଇଁ ଦାବି କରିଥିଲେ | ଆଜି ଏ ନେଇ ସରକାର ଏବଂ ପୂଜା କମିଟି ମଧ୍ୟରେ ବୈଠକ ହୋଇଥିବା ବେଳେ ଆଗାମୀ ୨ଦିନ ଭିତରେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି |

ବୈଠକ ଶେଷ ହେବା ପରେ କଟକ ମହାନଗର ଶାନ୍ତି କମିଟି ମୁଖ୍ୟ ପ୍ରଭାତ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ୨ ଦିନ ମଧ୍ୟରେ ସରକାର ମୂର୍ତ୍ତିର ଉଚ୍ଚତା ଏବଂ ପରଦା ଉଚ୍ଛେଦକୁ ନେଇ ନିଷ୍ପତ୍ତି ନେବେ । ଗଣେଷ ପୂଜା ସୁଦ୍ଧା ନିଷ୍ପତ୍ତି ନିଆଯିବ | ଏହା ସହ ଦୁର୍ଗା ପୂଜା ସମୟରେ ରାଜ୍ୟରେ କରୋନା ସ୍ଥିତି ଦେଖି ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ । ପୂଜା ମଣ୍ଡପରେ ୩ ପଟ ପରଦା ରହିବ କି ନାହିଁ ଅକ୍ଟୋବର ମାସ ଦୁର୍ଗା ପୂଜା ସମୟରେ ସଂକ୍ରମଣ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ସରକାର । ବୈଠକରେ ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ଶାନ୍ତି କମିଟି ଓ ଦୁର୍ଗା ପୂଜା କମିଟି ସ୍ବାଗତ କରିଥିବା କହିଛନ୍ତି ପ୍ରଭାତ ରଞ୍ଜନ ତ୍ରିପାଠୀ |

ଏହା ସହ ସେ କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ବୃଦ୍ଧି ପ୍ରସଂଗରେ ସରକାର ପ୍ରାୟତଃ ସହମତି ପ୍ରକାଶ କରିଛନ୍ତି । ଉଚ୍ଚତା ବୃଦ୍ଧିରେ କୌଣସି ସମସ୍ୟା ନାହିଁ ବୋଲି ସରକାରଙ୍କ ମତ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ଶାନ୍ତି କମିଟିର ଦେବେନ୍ଦ୍ର ସାହୁ ଓ ଭିକାରି ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର