ମୂର୍ତ୍ତି ଉଚ୍ଚତା କଟକଣା ଉଠିବ!

ଶାନ୍ତି କମିଟି କର୍ମକର୍ତ୍ତା, କଟକ ଲୋକ ପ୍ରତିନିଧିଙ୍କ ସହ ସରକାରଙ୍କ ଆଲୋଚନା

କଟକ : ପାର୍ବଣରେ ୪ ଫୁଟ୍ ଉଚ୍ଚର ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ପ୍ରତିବାଦରେ କଟକରେ ଜନମତ ତୀବ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ଆଜି ରାଜ୍ୟ ସରକାର କଟକର ଲୋକ ପ୍ରତିନିଧି ଏବଂ ଶାନ୍ତି କମିଟିର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରିଛନ୍ତି। ମୂର୍ତି ଉଚ୍ଚତା କଟକଣାକୁ ଉଠାଇବା ଲାଗି ସରକାର ରାଜି ହୋଇଥିବା କୁହାଯାଉଛି। ଆଜି ସରକାର ଏସଂପର୍କରେ ‌ଘୋଷଣା କରିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଦଶହରା ସମୟରେ ମଣ୍ଡପରେ ପରଦା ଟଣା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି।

ଏହି ବୈଠକରେ ସାଂସଦ ସୁବାସ ସିଂହ, ବିଧାୟକ ତଥା ବିଜେଡିର ରାଜ୍ୟ ସଂଗଠନ ସଂପାଦକ ପ୍ରଣବପ୍ରକାଶ ଦାସ, ବିଧାୟକ ଚନ୍ଦ୍ରସାରଥି ବେହେରା, ସୌଭିକ ବିଶ୍ବାଳ, କଟକ ମହାନଗର ପୂଜା କମିଟି ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ, କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସଂପାଦକ ଭିକାରି ଦାସ, କାର୍ଯ୍ୟକର୍ତ୍ତା ଆଡଭୋକେଟ ବିଜୟ ଦାଶ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁ, ସଂପାଦକ ପ୍ରଫୁଲ୍ଲ ସାହୁ, କାର୍ଯ୍ୟକର୍ତ୍ତା ନିରଂଜନ ସାହୁ (ଶିବ), ଧର୍ମେଶ ନାୟକ, ରଂଜନ କୁମାର ବିଶ୍ବାଳ, ବିଜୟ ବେହେରା, ନରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରସଙ୍ଗରେ ମତ ରଖିଥିଲେ। ଲୋକଙ୍କ ଭାବାବେଗ ଦୃଷ୍ଟିରୁ ମୂର୍ତ୍ତି କଟକଣା ହଟାଇବା ପାଇଁ ବୈଠକରେ ମତ ରଖାଯାଇଥିବା ବେଳେ ସରକାର ଆସନ୍ତାକାଲି କଣ ଘୋଷଣା କରୁଛନ୍ତି, ତାହା ଉପରେ ନଜର ରହିଛି।

ସୂଚନାଯୋଗ୍ୟ ଯେ ୪ ଫୁଟ୍ ମୂର୍ତ୍ତି ଓ ପରଦା ଟଣା ଭଳି ନିଷ୍ପତ୍ତିକୁ ବିରୋଧ କରି କଟକରେ ଅସନ୍ତୋଷ ତୀବ୍ର ହେବାକୁ ଲାଗିଛି। ପ୍ରାୟ ୪୦ଟି ସାମାଜିକ ସଂଗଠନ ଜାରି ରଖିଛନ୍ତି। ପରିସ୍ଥିତି ଅସ୍ବାଭାବିକ ରୂପ ନେଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା କଟକର ଲୋକ ପ୍ରତିନିଧି ଓ ଶାନ୍ତି କମିଟିର କର୍ମକର୍ତ୍ତା ମାନଙ୍କୁ ଡାକି ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର