ବଢ଼ିବନି ମୂର୍ତ୍ତି ଉଚ୍ଚତା, ନିଷ୍ପତ୍ତି ବଦଳାଇବାକୁ ମନାକଲେ ସରକାର

ପାର୍ବଣର ଭିଡ଼ ସଂକ୍ରମଣର ମୁଖ୍ୟ କାରଣ: ଏସ୍‌ଆର୍‌ସି

ଭୁବନେଶ୍ବର : ଦଶହରାରେ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ବଢ଼ିବ ନାହିଁ। ପରଦା ହଟିବ ନାହିଁ କି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ନାହିଁ। ରାଜ୍ୟ ସରକାର ପୂର୍ବରୁ ନେଇଥିବା ଏହି ନିଷ୍ପତ୍ତି ବଳବତ୍ତର ରହିବ। କଟକର ଲୋକ ପ୍ରତିନିଧି ଓ ପୂଜା କମିଟି ସରକାରଙ୍କ ସହ ଆଲୋଚନା କଲା ପରେ ନିଷ୍ପତ୍ତି ନେବାକୁ ସରକାର ଦୁଇ ଦିନ ସମୟ ନେଇଥିଲେ। ସେହି ଅନୁଯାୟୀ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ‌ଶୁଣାଇଛନ୍ତି। କିନ୍ତୁ ପୂର୍ବ ନିଷ୍ପତ୍ତି ଠିକ୍ ବୋଲି ଯୁକ୍ତି ବାଢ଼ିଛନ୍ତି।

ସ୍ବତନ୍ତ୍ର ରିଲିଫ୍‌ କମିସନର୍ ପ୍ରଦୀପ କୁମାର ଜେନା ଏକ ପ୍ରେସ୍‌ ବାର୍ତ୍ତାରେ କହିଛନ୍ତି ଯେ ସବୁଠି ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ପ୍ରଥମ ଲହର ପରେ ଦ୍ୱିତୀୟ ଲହର ଏବେ ଚାଲିଛି। ଆଗକୁ ତୃତୀୟ ଲହର ଆସିବାର ଆଶଙ୍କା ବି ଅଛି। ଏହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୯ ତାରିଖରେ ରାଜ୍ୟ ସରକାର ପାର୍ବଣ ଗାଇଡ୍‌ଲାଇଇନ ଜାରି କରିଥିଲେ। ମୂର୍ତ୍ତି ଉଚ୍ଚତା, ସାଜସଜା ନେଇ ସରକାରଙ୍କ ତରଫରୁ କଟକଣା ଜାରି କରାଯାଇଥିଲା। ସେହି ଗାଇଡ୍‌ଲାଇନ ବଳବତ୍ତର ରହିବ। ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ।

ଏସ୍‌ଆର୍‌ସି ଆହୁରି କହିଛନ୍ତି ଯେ ଆମେ ଏବେ ଅତି କଠିନ ସମୟ ଦେଇ ଗତି କରୁଛୁ। ତେଣୁ ଏଭଳି କଠିନ ସମୟରେ ଧୈର୍ଯ୍ୟ ଦେଖାଇବା ନିହାତି ଜରୁରୀ। ପୂଜା କମିଟିର ଆବେଗକୁ ଆମେ ହୃଦୟଙ୍ଗମ କରିଛୁ। କିନ୍ତୁ ପାର୍ବଣରେ ଭିଡ଼ ହିଁ ସଂକ୍ରମଣର ମୁଖ୍ୟ କାରଣ। ଅବହେଳା ଯୋଗୁ ଓନମ ଓ କୁମ୍ଭମେଳା ପରେ ସେଠାରେ ପୁଣି ସଂକ୍ରମଣ ବୃଦ୍ଧି ପାଇଲା। ସେଥିରୁ ଆମକୁ ଅନେକ କିଛି ଶିଖିବାର ଅଛି। ଲୋକଙ୍କ ସ୍ବାର୍ଥରେ ଗାଇଡ୍‌ଲାଇନ ଜାରି କରାଯାଇଛି ଓ ଆମ ସମସ୍ତଙ୍କୁ ତାହା ମାନି ନିରାଡ଼ମ୍ବର ଭାବେ ପୂଜା ପାଳନ କରିବାକୁ ପଡ଼ିବ। ମୁମ୍ବାଇ ଓ ନୂଆଦିଲ୍ଲୀରେ ମଧ୍ୟ କୋଭିଡ୍‌ ପାଇଁ ପାର୍ବଣରେ ମୂର୍ତ୍ତିର ଉଚ୍ଚତା କମ୍ ରଖିବାକୁ କୁହାଯାଇଛି।

ଶ୍ରୀ ଜେନା କହିଛନ୍ତି ଯେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅଛି। ଏଥିପାଇଁ ସମସ୍ତେ କୋଭିଡ୍ ସତର୍କତା ମାନି ପରିବାର ସହ ନୂଆଁଖାଇ ପାଳନ କରନ୍ତୁ। ମନ୍ଦିର ପରିସର ଭିତରେ ଭିଡ଼ କରନ୍ତୁ ନାହିଁ। ଏହା ସହ ନିଜ ପରିବାର, ଗାଁ, ଜିଲ୍ଲା ଓ ରାଜ୍ୟକୁ ସୁରକ୍ଷିତ ରଖିବାକୁ ସେ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ମାସ ୯ ତାରିଖରେ ରାଜ୍ୟ ସରକାର ପାର୍ବଣ ପାଇଁ ଗାଇଡ୍‌ଲାଇନ୍ ଜାରି କରିଥିଲେ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଣେଶ ପୂଜା, ଦୁର୍ଗା ପୂଜା ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ପାଇଁ ବିଭିନ୍ନ କଟକଣା ଜାରି କରାଯାଇଥିଲା। ମଣ୍ଡପରେ ପୂଜାର୍ଚ୍ଚନା ପାରମ୍ପରିକ ରୀତିନୀତିରେ କରିବାକୁ ଅନୁମତି ମିଳିଛି। କିନ୍ତୁ ମଣ୍ଡରେ ସର୍ବସାଧାରଣ ଦର୍ଶନ କରିବାକୁ ଅନୁମତି ଦିଆଯାଇ ନାହିଁ। ପୂଜା ମଣ୍ଡପରେ ଏକା ସମୟରେ ସର୍ବାଧିକ ୭ ଜଣ ଉପସ୍ଥିତ ରହିବେ ଓ ସମସ୍ତେ କୋଭିଡ୍‌ କଟକଣା ମାନିବେ। ମଣ୍ଡପର ତିନି ପାର୍ଶ୍ବରେ ପରଦା ପଡ଼ିବ। ସେହିପରି ମୂର୍ତ୍ତି ବିସର୍ଜନ ପାଇଁ କୌଣସି ପ୍ରକାର ଶୋଭାଯାତ୍ରା ହେବନି କି ବାଦ୍ୟଯନ୍ତ୍ର ବାଜିବନି।

ସମ୍ବନ୍ଧିତ ଖବର