ସୀମାନ୍ତ ଜଂଗଲରେ ଏବେ ବି ଉଡୁଛି ଡ୍ରୋନ୍‌-ହେଲିକପ୍ଟର, ଗ୍ରାମବାସୀଙ୍କୁ ଜଙ୍ଗଲ ନ ଯିବା ପାଇଁ କହୁଛି ପୁଲିସ: ମାଓବାଦୀ

ମାଲକାନଗିରି: ଛତିଶଗଡ଼ର ଦଣ୍ଡକାରଣ୍ୟ ଦକ୍ଷିଣ ବସ୍ତର ଡିଭିଜନର ପ୍ରବକ୍ତା ଅଭୟ ଆଜି ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି। ଛତିଶଗଡର ପାମେଡ ଏବଂ କିଷ୍ଟରାମ ଅଂଚଳରେ ଲଗାତାରା ପୁଲିସ ବୋମା ବର୍ଷଣ କରିବା ସହ ଲୋକଙ୍କୁ ଅତ୍ୟାଚାର କରି ଚାଲିଛି। ଏଥିପାଇଁ ସମସ୍ତେ ଏକଜୁଟ ହୋଇ ପୁଲିସ ଏବଂ କେନ୍ଦ୍ର-ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କର ବୋଲି ଆହ୍ବାନ ଦେଇଛି। ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଗ୍ରାମରେ ରାତି ୧ଟାରୁ ପ୍ରାୟ ୨ଟା ମଧ୍ୟରେ ଲଗାତାର ୫୦ରୁ ଊର୍ଦ୍ଧ୍ବ ବୋମା ବର୍ଷଣ କରିଛି। ତେବେ ଏଥିରେ ଆମର ପିଏଲଜିଏର କୌଣସି ସଦସ୍ୟର କିଛି ବି କ୍ଷତି ଘଟିନଥିବା ପ୍ରବକ୍ତା ଅଭୟ ପ୍ରକାଶ କରିଛନ୍ତି। ଏଭଳି ବୋମା ବର୍ଷଣକୁ ଦକ୍ଷିଣ ବସ୍ତର ଡିଭିଜନ କମିଟି ତରଫରୁ ନିନ୍ଦା କରାଯାଇଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ନିର୍ଦେଶରେ ଆଇଜି ପି.ସୁନ୍ଦରରାଜ ଏହାକୁ ନେତୃତ୍ବ ନେଇ ଏଭଳି କାଣ୍ଡ ଘଟାଉଛନ୍ତି। ତେବ ପି.ସୁନ୍ଦରରାଜ କିନ୍ତୁ ଗଣମାଧ୍ୟମ ଆଗରେ କିଛି ଜାଣିନଥିବା କହନ୍ତି। ନକ୍ସଲଙ୍କୁ ଛତିଶଗଡରୁ ମୁଳତ୍ପାଟନ କରିବା ପାଇଁ ଯବାନ ଏଭଳି ଡ୍ରୋନ ଏବଂ ହେଲିକେପ୍ଟର ଆକାଶ ମାର୍ଗରେ ଲଗାତାର ଉଡାଇ ଲୋକଙ୍କୁ ଭୟଭୀତ କରାଉଛନ୍ତି। ଗ୍ରାମବାସୀମାନଙ୍କୁ ଜଂଗଲକୁ ଯିବାକୁ ମନା କରାଯାଉଛି। କୌଣସି ସମୟରେ ବୋମା ପଡିବାର ସମ୍ଭାବନା ରହିଥିବାରୁ ଲୋକେ ଜଂଗଲକୁ ଯାଆନ୍ତୁ ନାହିଁ ବୋଲି ଚେତାବନୀ ଦିଆଯାଉଛି। ବର୍ତ୍ତମାନ ମହୁଲ ଫୁଲର ଋତୁ ଆସିଥିବା ବେଳେ ଲୋକେ ଜଂଗଲକୁ ଯାଇ ମହୁଲ ଫୁଲ ଗୋଟାଇ ବେଶ ଦିପଇସା ରୋଜଗାର କରନ୍ତି। ଏଥିସହ ଲୋକେ ଜଂଗଲ ବିନା ବଞ୍ଚିପାରିବେ ନାହିଁ। ଜଂଗଲରେ ବିଭିନ୍ନ ସମୟରେ ବିଭିନ୍ନ ଜିନିଷ ଆଣିବା ସହ ଜମିବାଡିକୁ ମଧ୍ୟ ଯାଇଥାନ୍ତି।

ତେବେ ପୁଲିସର ମାତ୍ରାଧିକ ଅତ୍ୟାଚାର ଯୋଗୁଁ ଲୋକେ ଏବେ ତ୍ରାହୀ ତ୍ରାହୀ ଡାକ ଛାଡିଲେଣି ବୋଲି ନକ୍ସଲ କହିଛନ୍ତି। ଦିନରାତି ଡ୍ରୋନ ଏବଂ ହେଲିକପ୍ଟର ଉଠାଇ ପିଏଲଜିଏ ସଦସ୍ୟମାନଙ୍କୁ ସଫା କରିଦେବାକୁ ସରକାରଙ୍କର ଏହି ଚାଲକୁ ସଫଳ ହେବାକୁ ଦେବେ ନାହିଁ ବୋଲି ନକ୍ସଲ କହିଛି। ଦିନରାତି ହେଲିକପ୍ଟର ଗ୍ରାମଗୁଡିକ ଉପରେ ବୁଲୁଥିବାରୁ କୌଣସି  ସମୟରେ ବୋମା ପଡିବାର ଭୟ ଯୋଗୁଁ ଲୋକେ ଘରୁ ପଦାକୁ ବାହାରି ପାରୁନଥିବା କୁହାଯାଇଛି। ତେବେ ଏହାକୁ ସମସ୍ତେ ବିରୋଧ କରନ୍ତୁ ବୋଲି ନକ୍ସଲ ସଂଗଠନ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର