ଦୁର୍ଗମ ଅଞ୍ଚଳରେ ରାସ୍ତା ନାହିଁ : ହେଲିକପ୍ଟରରେ ଗୁରୁତର ଯବାନଙ୍କୁ ଅଣାଗଲା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଂଚଳର ଯଡାମ୍ବ ପଞ୍ଚାୟତ ଅନ୍ତର୍ଗତ କୁନ୍ତରପଦର ସ୍ଥିତ ଆଇଆରବିଏନ କ୍ୟାମ୍ପରେ ଆଜି ସକାଳେ ଗୋଟିଏ ହେଲିପକ୍ଟର ହଠାତ୍ ଅବତରଣ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ହେଲିପକ୍ଟର କୌଣସି ନକ୍ସଲ ଅପରେସନ ପାଇଁ ଏଠାରେ ଓହ୍ଲାଇ ନଥିଲା। ସେଣ୍ଟ୍ରି ପଏଣ୍ଟରୁ ଖସି ଆହତ ଜଣେ ଯବାନଙ୍କୁ ଉଦ୍ଧାର କରିବାକୁ ଏଭଳି ଜରୁରି ଅବତରଣ କରିଥିବା ସୂଚନା ମିଳିଛି। ଦୁର୍ଗମ ଅଞ୍ଚଳରେ ଜଣେ ଯବାନଙ୍କ ଜୀବନ ରକ୍ଷା ପାଇଁ ମାଲକାନଗିରି ଜିଲ୍ଲା ପୁଲିସର ଏଭଳି ତ୍ବରିତ୍ବ ପଦକ୍ଷେପ ଯବାନଙ୍କ ମନୋବଳକୁ ବଢ଼ାଇଛି।

ସକାଳ ପ୍ରାୟ ୧୧ଟା। ଚତ୍ରକୋଣ୍ଡା ବ୍ଲକର ଜଳବନ୍ଦୀ ଅଞ୍ଚଳରେ ଦୁଇଟି ହେଲିପକ୍ଟର ଉଡ଼ୁଥିବା ଦେଖିବାକୁ ମିଳିଥିଲା। ନକ୍ସଲଙ୍କ ଏହି ଗଡ଼ରେ ଦୁଇ ଦୁଇଟି ହେଲିପକ୍ଟର ପଇଁତରା ମାରିବା ଘଟଣା ଲୋକଙ୍କୁ ଚକିତ ଓ ଆଶଙ୍କିତ କରିଥିଲା। ବିଚ୍ଛିନ୍ନାଞ୍ଚଳରେ ନକ୍ସଲ ଅପରେସନ ପାଇଁ ହେଲିକପ୍ଟର ଦୁଇଟି ଆସିଥିବା ପ୍ରାଥମିକ ଅନୁମାନ କରାଯାଇଥିଲା। ତେବେ କେଇ ମିନିଟ ମଧ୍ୟରେ ହେଲିପକ୍ଟର ଦୁଇଟି ପୁଣି ଚାଲି ଯାଇଥିଲା। ଯାହାକି ବିଚ୍ଛିନ୍ନାଞ୍ଚଳବାସୀଙ୍କ କୌତୂହଳକୁ ବଢ଼ାଇ ଦେଇଥିଲା। ଅଧିକ ଖବର ନେବା ପାଇଁ ଖୋଳତାଡ଼ କରିବାକୁ ଅସଲ କଥା ପଦାକୁ ଆସିଥିଲା।

ଆଇଆରବିଏନ କ୍ୟାମ୍ପରେ ସେଣ୍ଟ୍ରି ପଏଣ୍ଟରୁ ଖସି ପଡ଼ିବାରୁ ଯବାନ ଅଜିତ ହରିଜନ ଗୁରୁତର ଆହତ ହୋଇଥିଲେ। ଆହତ ଯବାନଙ୍କୁ ମେଡିକାଲ ନେବା ପାଇଁ ପ୍ରସ୍ତୁତି କରିଥିଲେ ସାଥୀ ଯବାନ। କିନ୍ତୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ସଡ଼କ ପଥରେ ଏହି କ୍ୟାମ୍ପ ପ୍ରାୟ ଦେଢ଼ ଶହ କିଲୋମିଟର ଦୂର ଆନ୍ଧ୍ର ସୀମାକୁ ଲାଗି ରହିଛି। ତେଣୁ ସ୍ଥଳ ପଥରେ ମେଡିକାଲ ନେବା ପାଇଁ ବହୁ ସମୟ ଲାଗଯିବ। ସେହିପରି ନକ୍ସଲଙ୍କ ଦବଦବା ଯୋଗୁଁ ଜଳପଥରେ ନେବା ଆଦୌ ସୁରକ୍ଷିତ ନଥିଲା। ଏମିତି ସ୍ଥିତିରେ ଏସପି ଜଗମୋହନ ମୀନାଙ୍କୁ ଘଟଣା ସଂପର୍କରେ ସୂଚନା ଦିଆଯାଇଥିଲା। ପରିସ୍ଥିତି ସଂପର୍କରେ ଅବଗତ କରାଇବା ପରେ ଏୟାର ଲିଫ୍ଟ ପାଇଁ ଯୋଜନା କରିଥିଲେ ଏସପି। ଏହାପରେ ଜଗଦଲପୁର ସ୍ଥିତ ଏୟାର ଫୋର୍ସରୁ ଦୁଇଟି ହେଲିକପ୍ଟରକୁ ଡକାଯାଇଥିଲା। କୁନ୍ତରପଦର ଯିବାକୁ କୌଣସି ଅଧିକାରୀ ନଥିବା ବେଳେ ନିଜେ ଏସପି ହେଲିକପ୍ଟର ଯୋଗେ କ୍ୟାମ୍ପକୁ ଯାଇ ଗୁରୁତର ଯବାନଙ୍କୁ ଆଣି ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପ୍ରକାଶଥାଉକି, ଦୁର୍ଗମ କୁନ୍ତରପଦରରେ ଆଇଆରବିଏନ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏଠାରେ ଏହି କ୍ୟାମ୍ପ ହେବା ଫଳରେ ନକ୍ସଲଙ୍କ ଗତିବିଧି ଏଠାରେ ପ୍ରାୟତଃ ନାହିଁ। କିନ୍ତୁ ଏତେ ଦୁର୍ଗମ ଅଂଚଳରେ ଯବାନ କଳାପାଣି ଠାରୁ ବି ଅଧିକ କଷ୍ଟକର ଜୀବନ ବିତାଉଛନ୍ତି। ତେବେ ଅସମୟରେ ଏସ୍‌ପି ନିଜେ ଏହି କ୍ୟାମ୍ପରେ ପହଞ୍ଚି ଗୁରୁତର ଯବାନଙ୍କୁ ବଂଚାଇବାକୁ ଉଦ୍ଧାର କରିବା ଘଟଣା ନୂଆ ଉଦାହରଣ ସୃଷ୍ଟି କରିଛି। ପ୍ରାଥମିକ ଚିକିତ୍ସା ପରେ ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଏସପି ଶ୍ରୀ ମୀନା ପ୍ରକାଶ କରିଛନ୍ତି। ଆବଶ୍ୟକ ପଡ଼ିଲେ ବାହାରକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର