ପୁରୀ: ନଭେମ୍ବର ୧୦ ତାରିଖରେ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ପକ୍ଷରୁ ଆଜି ହେଲିକପ୍ଟର୍ ମକ୍ଡ୍ରିଲ୍ କରାଯାଇଛି। ସୂଚନା ଅନୁସାରେ, ସ୍ଥାନୀୟ ତାଳବଣିଆ ହେଲିପ୍ୟାଡ୍ଠାରେ ଏହି ମକ୍ଡ୍ରିଲ୍ କରାଯାଇଥିଲା। ହେଲିକପ୍ଟର ଏକାଧିକ ଥର ଆକାଶମାର୍ଗରେ ଚକ୍କର କାଟିବା ସହ ହେଲିପ୍ୟାଡ୍ରେ ଅବତରଣ କରିଥିଲା। ଏଥିସହିତ, ବାୟୁସେନାର ବରିଷ୍ଠ ଅଧିକାରୀମାନେ ହେଲିପ୍ୟାଡ୍ର ପ୍ରସ୍ତୁତି ନେଇ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ତାଳବଣିଆ ହେଲିପ୍ୟାଡ୍ରେ ନୂଆ ଫାଟକ ଲଗାଇବାକୁ ଯୋଜନା କରାଯାଇଛି। ସେହି ଅନୁସାରେ ନିର୍ମାଣ କାମ ଜାରି ରହିଛି। ସୁରକ୍ଷା ଦାୟିତ୍ବରେ ରହୁଥିବା ଅଧିକାରୀଙ୍କ ରହଣି ଓ କଣ୍ଟ୍ରୋଲ୍ ରୁମ୍ ପାଇଁ ତାଳବଣିଆ ହେଲିପ୍ୟାଡ୍ରେ ଅସ୍ଥାୟୀ ଘରର ନିର୍ମାଣ ଚାଲିଛି। ଶ୍ରୀମନ୍ଦିର ସିଂହଦ୍ବାରରେ ରାଷ୍ଟ୍ରପତିଙ୍କ ପାଇଁ ଅସ୍ଥାୟୀ ଘର ନିର୍ମାଣ କରାଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ପୁଲିସ ପକ୍ଷରୁ ବି ଆଜି କାର୍କେଡ୍ ରିହର୍ସାଲ୍ କରାଯାଇଛି। ପୁଲିସ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଆଜି ସ୍ଥିତି ସମୀକ୍ଷା କରିଛନ୍ତି। ଏ ସମ୍ପର୍କରେ ପୁରୀ ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ କହିଛନ୍ତି, ଏହିଦିନ ୨୪ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯିବ। ୫ଜଣ ଏସ୍ପି ବା କମାଣ୍ଡାଣ୍ଟ୍ ପାହ୍ୟାର ଅଧିକାରୀ, ଅତିରିକ୍ତ ଏସ୍ପି ବା ଡେପୁଟି କମାଣ୍ଡାଣ୍ଟ୍ ପାହ୍ୟାର ୭ଜଣ ଅଧିକାରୀ, ୧୮ଜଣ ଡିଏସପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍ ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯିବ। ସେହିଭଳି ୩୦ଜଣ ପୁଲିସ ଇନ୍ସପେକ୍ଟର, ୧୧୦ଜଣ ଏସ୍ଆଇ ଓ ଏଏସ୍ଆଇ, ୩ଶହ ଜଣ ହୋମଗାର୍ଡ଼ଙ୍କୁ ବି ନିୟୋଜିତ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି ବୋଲି ଡ. ସିଂହ କହିଛନ୍ତି।