ଭୁବନେଶ୍ବର ହ୍ୟାଙ୍ଗରରେ ହେଲିକପ୍ଟର ସୁରକ୍ଷିତ ନୁହେଁ

ଫନି ନେଇ କ୍ୟାବିନେଟ୍‌ ସଚିବ-ମୁଖ୍ୟ ସଚିବଙ୍କ ସମୀକ୍ଷା

ଭୁବନେଶ୍ବର : ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ଫନିର ମୁକାବିଲା ପାଇଁ ଭାରତୀୟ ବାୟୁସେନା ଆଧୁନିକ ହେଲିକପ୍ଟର ଯୋଗାଇ‌ ଦେଉଛି। କିନ୍ତୁ ସେଗୁଡ଼ିକ ଭୁବନେଶ୍ବର ବିମାନବନ୍ଦରର ହ୍ୟାଙ୍ଗରରେ ରଖାଯିବ ନାହିଁ। ଭୀଷଣ ପବନ ଯୋଗୁଁ ହେଲିକପ୍ଟର ରଖିବା ସହିତ ବ୍ୟବହାର ବିପଦପୂର୍ଣ୍ଣ ବୋଲି ଏହାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଏର(ଏସ୍‌ଓପି) ବୟାନ କରୁଛି। ଏଣୁ ରାଞ୍ଚି କିମ୍ବା ଅନ୍ୟ କେଉଁ ନିକଟ ତଥା ସୁରକ୍ଷିତ ସ୍ଥାନରେ ହେଲିକପ୍ଟର ରଖିବାକୁ ସ୍ଥିର ହୋଇଛି। ଯାହାଫଳରେ ଏହା ବାତ୍ୟାଞ୍ଚଳରେ ଘଣ୍ଟାଏ କିମ୍ବା ଦୁଇଘଣ୍ଟା ମଧ୍ୟରେ ଉପଲବ୍ଧ ହୋଇପାରିବ।

ଆଜି କ୍ୟାବିନେଟ୍‌ ସଚିବ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ମଧ୍ୟରେ ଫନି ପରିସ୍ଥିତିର ମୁକାବିଲା ନେଇ ସମୀକ୍ଷା ବୈଠକ ପରେ ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଥିଲେ। ଫନି ପାଇଁ ରାଜ୍ୟ ସରକାର ୧୧.୩୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଯେଉଁ ଲକ୍ଷ୍ୟ ସ୍ଥାପନ କରିଛନ୍ତିି, ସେଥିମଧ୍ୟରୁ ଆଜି ଅପରାହ୍‌ଣ ସୁଦ୍ଧା ପ୍ରାୟ ୪.୫ ଲକ୍ଷ ସ୍ଥାନାନ୍ତର ହୋଇସାରିଛନ୍ତି। ଏ ଦିଗରେ ଉଦ୍ୟମ ଜାରି ରହିଛି। ରାଜ୍ୟରେ ମୋଟ ୮୭୯ଟି ବାତ୍ୟା ଆଶ୍ରୟସ୍ଥଳୀ ସହିତ ରେଡ୍‌କ୍ରସର ମଧ୍ୟ ନିଜସ୍ବ ବାତ୍ୟାଶ୍ରୟସ୍ଥଳୀମାନ ରହିଛି। ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ଖାଦ୍ୟ, ସ୍ବାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ୫୦ଜଣ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି।

ରାଜ୍ୟରେ ଆଳୁର ଅଭାବ ଓ ଦରବୃଦ୍ଧି ସଂପର୍କରେ ଏସ୍‌ଆରସି କହିଲେ, ରାଜ୍ୟରେ ପ୍ରାୟ ୭ ଦିନ ପର୍ଯ୍ୟନ୍ତ ଆବଶ୍ୟକ ପରିମାଣର ଆଳୁ ଗଚ୍ଛିତ ରହିଛି। ଏହା ସତ୍ତ୍ବେ ପଶ୍ଚିମବଙ୍ଗ ଓ କେନ୍ଦ୍ର ସରକାରଙ୍କୁ ଆଳୁର ଚାହିଦା ସଂପର୍କରେ ଅବଗତ କରାଯାଇଛି। ତେବେ କଳାବଜାରି ଚାଲିଥିବା ସଂପର୍କରେ ସେ କହିଲେ ଯେ ବାତ୍ୟା ଭୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଚୁର ପରିମାଣରେ ଖର୍ଦି କରି ଘରେ ନ ରଖିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ସମୀକ୍ଷା ବୈଠକର ସୂଚନାନୁସାରେ ଫନି ପ୍ରଭାବରେ ବର୍ଷା ବିତ୍ପାତ ଉପୁଜିପାରେ, ଯାହାଫଳରେ କୋଲାବ, ଇନ୍ଦ୍ରାବତୀ, ବଂଶଧାରା ନଦୀମାନଙ୍କରେ ଅଚାନକ ବନ୍ୟା ଆସିବାର ଆଶଙ୍କା ରହିଛି। ବାତ୍ୟା ସମୟରେ ଜରୁରୀକାଳୀନ ଯୋଗାଯୋଗ ବ୍ୟବସ୍ଥା ଅବ୍ୟାହତ ରଖିବା ପାଇଁ ସାଟେଲାଇଟ୍‌ ଫୋନ୍‌ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏବଂ ଓଡ୍ରାଫ୍‌ ୟୁନିଟ୍‌କୁ ଯୋଗାଇ ଦିଆଯାଇଛି। ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଉପକୂଳବର୍ତୀ ୭ଟି ଜିଲ୍ଲା ସମେତ ମୋଟ ୯ଟି ଜିଲ୍ଲାର ୧୦ ହଜାର ଗ୍ରାମ ଓ ୫୨ଟି ସହରାଞ୍ଚଳରେ ଅନୁଭୂତ ହୋଇପାରେ ବୋଲି ବୈଠକରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର