ଭବାନୀପାଟଣା : ଧର୍ମଗଡ଼ ପୁଲିସ ଶନିବାର ଏକ ବଲେରୋ ଗାଡ଼ିରୁ ହେଲମେଟ୍ ଚାଲାଣ କାଟିଛି। ବଲେରୋଟି ବ୍ୟକ୍ତିଗତ ମାଲିକାନାରେ ରହିଛି। ଗାଡ଼ି ଓ ମାଲିକ ଭବାନୀପାଟଣାରେ ଥିବା ବେଳେ ଧର୍ମଗଡ଼ ପୁଲିସ ଏଭଳି ଚାଲାଣ ନେଇ ନୋଟିସ୍ ଦେବା ପରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।
ଭବାନୀପାଟଣା ସହରସ୍ଥିତ ଗୋଦାମପଡ଼ାର ମାନଭଞ୍ଜନ ମିଶ୍ରଙ୍କ ବଲେରୋ (ଓଆର୍ ୦୮ ଏଫ-୧୧୧୩) ବ୍ୟକ୍ତିଗତ ମାଲିକାନାରେ ଅଛି। ଶନିବାର ଧର୍ମଗଡ଼ ପୁଲିସ ଏଏସ୍ଆଇ ଗୟା ସେନାପତି ଏହି ଗାଡ଼ି ନାମରେ ହେଲମେଟ୍ ନଥିବା ଦର୍ଶାଇ ହଜାରେ ଟଙ୍କା ଚାଲାଣ କାଟିବା ପରେ ମୋବାଇଲକୁ ସୂଚନା ଆସିଥିଲା। ଚାଲାଣରେ ଉମା ରାଉତ ଡ୍ରାଇଭର ଥିବା ଦର୍ଶାଯାଇଛି। କମରସିଆଲ୍ ଗାଡ଼ି ହୋଇନଥିବା ସତ୍ତ୍ବେ ଡ୍ରାଇଭର ଦର୍ଶାଯାଇଥିବାରୁ ଗାଡ଼ି ମାଲିକ ଚକିତ ହୋଇଛନ୍ତି। ଉମା ରାଉତ ନାମକ ତାଙ୍କ ପାଖରେ କୌଣସି ଡ୍ରାଇଭର ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ବଲେରୋ ଗାଡ଼ି ନାମରେ କିଭଳି ବିନା ହେଲମେଟ୍ ଜରିମାନା ନିମନ୍ତେ ଚାଲାଣ କଟାଗଲା ତଦନ୍ତ ସାପେକ୍ଷ।
କଳାହାଣ୍ଡି ପୁଲିସ ଏସ୍ପି ଡା. ଶ୍ରବଣା ବିବେକ ଏମଙ୍କୁ ପଚାରିବାରୁ, ଘଟଣାର ଯାଞ୍ଚ କରିବା ପରେ କ’ଣ ହୋଇଛି ଜଣାପଡ଼ିବ ବୋଲି କହିଥିଲେ।