ଫେବ୍ରୁଆରି ପହିଲାରୁ ବାଇକ୍‌ ପଛରେ ବସିଲେ ହେଲ୍‌ମେଟ୍‌ ବାଧ୍ୟ

ରାଜପଥର ପ୍ରତି ୩୦ କିମିରେ ମୋବାଇଲ ଭ୍ୟାନ୍, ୩ ମାସ କଣ୍ଟ ପୂରିବା ପରେ ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର : ଏଣିକି ବାଇକ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ବାଧ୍ୟତାମୂଳକ ଭାବେ ଲାଗୁ ହେବ ହେଲ୍‌ମେଟ୍‌ ପିନ୍ଧିବା ନିୟମ। ଆସନ୍ତା ଫେବ୍ରୁଆରି ପହିଲାରୁ ସାରା ରାଜ୍ୟରେ ଏହି ନିୟମକୁ କଡ଼ାକଡ଼ି ଲାଗୁ କରାଯିବ। ନୂଆଦିଲ୍ଲୀରେ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଯୋଗଦେଇ ଫେରିବା ପରେ ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଦୁର୍ଘଟଣା ରୋକିବାକୁ ଜାତୀୟ ଓ ରାଜ୍ୟ ପଥର ପ୍ରତି ୩୦ କିଲୋମିଟର ବ୍ୟବଧାନରେ ମୋବାଇଲ ଭ୍ୟାନ୍ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ସଡ଼କ ସୁରକ୍ଷା ପରିଷଦ ବୈଠକ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବେହେରା କହିଥିଲେ ଯେ ଟ୍ରାଫିକ୍‌ ନିୟମ ଅନୁଯାୟୀ ବାଇକ୍‌ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ୍‌ ପିନ୍ଧିବା ନିୟମ ରହିଛି। କିନ୍ତୁ ରାଜ୍ୟରେ ଏହାକୁ କଡ଼ାକଡ଼ି ଲାଗୁ କରାଯାଇନଥିଲା। ଏବେ ବାଇକ୍ ଚାଳକଙ୍କ ସମେତ ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ୍‌ ନ ପିନ୍ଧିଲେ ତଣ୍ଡ ଗଣିବେ। ଗତବର୍ଷ ଡିସେମ୍ବର ୧ ତାରିଖରୁ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି କାଗଜପତ୍ର ଠିକ କରିବାକୁ କୋହଳ କରାଯାଇଛି। ଆସନ୍ତା ଫେବ୍ରୁଆରି ୨୯ ତାରିଖରେ ଏହି କଣ୍ଟ ପୂରିବ ଓ ମାର୍ଚ୍ଚ ପହିଲାରୁ ଜୋରଦାର ଯାଞ୍ଚ କାର୍ଯ୍ୟ ଚାଲିବ। ସେହିପରି ବେପରୁଆ ଗାଡ଼ି ଚାଳନା ଓ ଅଧିକ ବେଗରେ ଗାଡ଼ି ଚଳାଇବା ଯାଞ୍ଚ ପାଇଁ ଉଭୟ ଜାତୀୟ ଓ ରାଜ୍ୟ ରାଜପଥର ପ୍ରତି ୩୦ କିଲୋମିଟର ବ୍ୟବଧାନରେ ସ୍କ୍ବାଡ୍‌ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ସରକାରଠୁ ଆର୍ଥିକ ସହାୟତା ମିଳିଲେ ଯାଇ ସ୍କ୍ବାଡ୍‌ ନିୟୋଜିତ କରାଯିବ। ଏବେ ବି ରାଜ୍ୟର ବିଭିନ୍ନ ରାସ୍ତାରେ ଥିବା ଦୁର୍ଘଟଣା ପ୍ରବଣ ସ୍ଥାନ ତଥା ବ୍ଲାକ୍ ସ୍ପଟ୍‌ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଥିଲେ।

ଶ୍ରୀ ବେହେରା କହିଛନ୍ତି ଯେ ଜରିମାନା କୋହଳ ନେଇ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଆଲୋଚନା ହୋଇଛି। କିନ୍ତୁ ଏ ନେଇ ଆଇନରେ ପରିବର୍ତ୍ତନ ଆଣିବା ପାଇଁ କିଛି ନିଷ୍ପତ୍ତି ହୋଇନାହିଁ।

ସମ୍ବନ୍ଧିତ ଖବର