୬ମାସର ଝିଅକୁ ବ୍ରେନ୍‌ ଟ୍ୟୁମର

ସହାୟତା ପାଇଁ ବାପାଙ୍କ ଆକୁଳ ନିବେଦନ

ଭୁବନେଶ୍ୱର : ଝିଅଟିଏ ଜନ୍ମ ହୋଇଥିଲା ବୋଲି ପରିବାର ଲୋକ ଖୁସିରେ ବିଭୋର ହୋଇଯାଇଥିଲେ। ଭାବିଥିଲେ, ଘରକୁ ଲକ୍ଷ୍ମୀ ଆସିଛି। କିନ୍ତୁ ଝିଅ ୬ ମାସର ହେଉଣୁ ପରିବାର ମୁଣ୍ଡରେ ଚଡ଼କ ପଡ଼ିଛି। ୬ ମାସର କୁନି ଶିଶୁ ଏମ୍‌ ପଲ୍ଲବୀକୁ ବ୍ରେନ୍‌ ଟ୍ୟୁମର୍‌ ହୋଇଥିବା ବେଳେ ତା’ର ଡାହାଣ ହାତ ଓ ଗୋଡ଼ ନିଶ୍ଚଳ ହୋଇଯାଇଛି। ଶରୀରର ଏକ ପାର୍ଶ୍ୱ ପାରାଲିସିସ୍‌ ହୋଇଯାଇଛି। ଚିକିତ୍ସା ପାଇଁ ୩ ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ପଲ୍ଲବୀଙ୍କ ବାପା ଏମ୍‌ ଦୁର୍ଗାରାଓ ଅଭାବରୁ ଟଙ୍କା ଯୋଗାଡ଼ କରି ନପାରି ଭାଙ୍ଗି ପଡ଼ିଛନ୍ତି। ପାଖରେ ଏତେ ଟଙ୍କା ନଥିବାରୁ ଝିଅର ଅପରେସନ୍‌ ପାଇଁ ଲୋକଙ୍କ ନିକଟରେ ନେହୁରା ହୋଇଛନ୍ତି। କଟକ ବକ୍ସିବଜାରସ୍ଥିତ ପଟାପୋଲର ବାସିନ୍ଦା ଦୁର୍ଗାରାଓ ନିଜ ଝିଅ ପାଇଁ ଏତେ ଟଙ୍କା ଯୋଗାଡ଼ କରିବାକୁ ଅସମର୍ଥ ହେବା ପରେ ଶେଷରେ ଲୋକଙ୍କ ସହାୟତା ଲୋଡ଼ିଛନ୍ତି। ନିକଟରେ ସେ ଝିଅକୁ ଏସ୍‌ସିବି ମେଡିକାଲ୍‌ରେ ଭର୍ତି କରିଥିଲେ। ମାତ୍ର ସେଠାରେ ତାଙ୍କୁ ବେଡ୍‌ ମିଳିଲା ନାହିଁ। ଶେଷରେ ଡାକ୍ତର ବି ଅପରେସନ୍‌ ପାଇଁ ୪/୫ ମାସ ଲାଗିବ ବୋଲି କହିଲେ। ଏଣେ ଝିଅର ଏଭଳି ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ପରିବାରବର୍ଗଙ୍କ ଆଖିରୁ ନିଦ ହଜିଯାଇଛି। ସେପଟେ ଡାକ୍ତରଙ୍କ ଏଭଳି ଆଶ୍ୱାସନା ତାଙ୍କ ପରିବାରବର୍ଗଙ୍କ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି। ତେଣୁ ଦୁର୍ଗାରାଓ ଝିଅକୁ ଏସ୍‌ସିବିରୁ ଫେରାଇ ଆଣି ଘରେ ରଖିଛନ୍ତି। ତେବେ ଝିଅ ଦିନ ରାତି କାନ୍ଦୁଥିବାରୁ ପରିବାରବର୍ଗ ଏକଦମ ନିଃସହାୟ ହୋଇପଡ଼ିଛନ୍ତି। ଝିଅର ଅପରେସନ୍‌ ପାଇଁ ସହାୟତା ନିମନ୍ତେ ଏମ୍‌ ଦୁର୍ଗାରାଓଙ୍କୁ ମୋବାଇଲ୍‌ ନଂ ୭୦୬୪୩୫୩୫୧୮ରେ ଯୋଗାଯୋଗ କିମ୍ବା ତାଙ୍କ ବ୍ୟାଙ୍କ୍‌ ଅଫ୍‌ ବରୋଦା ଆକାଉଣ୍ଟ୍‌ ନଂ ୦୦୪୭୦୧୦୦୦୧୪୬୯୫ରେ ସହାୟତାମୂଳକ ଅର୍ଥରାଶି ଦେବା ପାଇଁ ଦୁର୍ଗାରାଓ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର