ମିଳିମିଶି ଫନି ମୁକାବିଲା କରିବାକୁ ଆହ୍ବାନ

ବାତ୍ୟା ସ୍ଥିତି ସଂପର୍କରେ କ୍ୟାବିନେଟ୍‌ ସଚିବଙ୍କୁ ଅବଗତ କରାଇଲେ ମୁଖ୍ୟ ସଚିବ

ଭୁବନେଶ୍ବର : ସାମୁଦ୍ରିକ ଝଡ ‘ଫନି’ ତାଣ୍ଡବରେ ଓଡ଼ିଶାର ୧୪ଟି ଜିଲ୍ଲାର ବହୁତ କ୍ଷୟକ୍ଷତି ହୋଇଛି। ପୁରୀ, ଭୁବନେଶ୍ୱର, କଟକ ସହରଗୁଡ଼ିକ ଏତେ ବିପର୍ଯ୍ୟସ୍ତ ହୋଇଛି ଯେ, ତୁରନ୍ତ ପରିଚ୍ଛନ୍ନତା ଓ ପୁନରୁଦ୍ଧାର ପାଇଁ ଜନସାଧାରଣଙ୍କ ସହଭାଗୀତା ନିହାତି ଜରୁରୀ। ବିଜୁଳି ଖୁଣ୍ଟି ଉପୁଡ଼ିବା ଓ ତାର ଛିଣ୍ଡିଯିବା ଫଳରେ ବିଦ୍ୟୁତ୍‍ ସେବା ବାଧାପ୍ରାପ୍ତ ହୋଇଛି। ଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ ସେବାର ପୁନରୁଦ୍ଧାର ପାଇଁ ଯୁବପିଢି ମାନେ ସଠିକ୍‍ ଭାବରେ ସହଯୋଗର ହାତ ବଢ଼ାଇଲେ ଯଥା ଶୀଘ୍ର ଏହାର ସମାଧାନ କରାଯାଇପାରିବ ବୋଲି ସାମାଜିକ ସଂଗଠନ ଓ ନାଗରିକ ସମୂହ ପକ୍ଷରୁ ଜଗଦାନନ୍ଦ କହିଛନ୍ତି। ସେହିପରି ଯାତାୟାତ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଗଛ କଟା କାମରେ ଲାଗିଥିବା କର୍ମଚାରୀଙ୍କୁ ସହଯୋଗର ହାତ ବଢ଼ାଇବାକୁ ସେ ଆହ୍ବାନ ଦେଇଛନ୍ତି। ଗ୍ରାମାଞ୍ଚଳ ଓ ସହରର ଖୋଲା ଡ୍ରେନ୍‍, ଗଳିରାସ୍ତାରେ ଗଛପତ୍ର ପଡ଼ି ପାଣି ପଚିବା ଆରମ୍ଭ ହେଲାଣି। ଏହାଦ୍ୱାରା ମ୍ୟାଲେରିଆ ବ୍ୟାପିବାର ସମ୍ଭାବନା ରହିଛି। ଏହାକୁ ସଫା କରିବା ପାଇଁ ଗ୍ରାମାଞ୍ଚଳ ତଥା ସହରର ବାସିନ୍ଦାଙ୍କ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି। ଫନି ପ୍ରଭାବିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସିୱାଇଏସଡି ବିଭିନ୍ନ ସାମାଜିକ ଅନୁଷ୍ଠାନମାନଙ୍କ ସହ ମିଶି ପିଇବା ପାଣି, ପଲିଥିନ୍‍, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରୁଛନ୍ତି। ପ୍ରଭାବିତ ଅଞ୍ଚଳରେ ଥିବା ସମସ୍ତ ଲୋକ ସଂଗଠନ, ଯୁବ ସଂଗଠନ, ମହିଳା ସ୍ୱୟଂ ସହାୟକ ଦଳମାନେ ଆଗେଇ ଆସି ଏହି କାର୍ଯ୍ୟରେ ଯୋଗଦାନ କରି ନିଜ ଅଞ୍ଚଳର ଜନସାଧାରଣମାନଙ୍କୁ ସ୍ୱାସ୍ଥ୍ୟକର ପରିବେଶରେ ରଖିବା ପାଇଁ ସମ୍ବାଦ, ସିୱାଇଏସ୍‍ଡି ଏବଂ ଫନି ବାତ୍ୟାର ମୁକାବିଲା ପାଇଁ ସାମାଜିକ ସଂଗଠନ ଓ ନାଗରିକ ସମୂହ ପକ୍ଷରୁ ଆହ୍ବାନ କରାଯାଇଛି।

ବାତ୍ୟା ସ୍ଥିତି ସଂପର୍କରେ କ୍ୟାବିନେଟ୍‌ ସଚିବଙ୍କୁ ଅବଗତ କରାଇଲେ ମୁଖ୍ୟ ସଚିବ

ଭୁବନେଶ୍ବର : ଅତି ଭୟଙ୍କର ବାତ୍ୟା ଫନି ପରବର୍ତୀ ବିପର୍ଯ୍ୟୟର ସ୍ଥିତି ଓ ପ୍ରତିକାରମୂଳକ ପଦକ୍ଷେପ ନେଇ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ କ୍ୟାବିନେଟ୍‌ ସଚିବ ପି.କେ. ସିହ୍ନା ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ମଧ୍ୟରେ ଆଲୋଚନା ହୋଇଛି।

ଜାତୀୟ ସଙ୍କଟ ପରିଚାଳନା ବୈଠକ(ଏସ୍‌ସିଏମ୍‌ସି) ବୈଠକରେ ଅଧ୍ୟକ୍ଷତା କରି କ୍ୟାବିନେଟ୍‌ ସଚିବ ଶ୍ରୀ ସିହ୍ନା ବାତ୍ୟା ପରବର୍ତୀ ବିପର୍ଯ୍ୟୟର ସ୍ଥିତି ସଂପର୍କରେ ପଚାରି ବୁଝିଥିଲେ। ବୈଠକର ସୂଚନାନୁସାରେ ଟେଲିକମ୍‌ କ୍ଷେତ୍ରରେ ଉନ୍ନତି ହୋଇଛି। ଖୋର୍ଧାରେ ବେସ୍‌ ଟ୍ରାନ୍ସମିସନ ଷ୍ଟେସନ ରେଡିଏସନ୍‌ ୪୨ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ପୁରୀରେ ୧୪ ପ୍ରତିଶତ, କଟକ ଜିଲ୍ଲାରେ ୫୪ ପ୍ରତିଶତ, ଭୁବନେଶ୍ବରରେ ୩୯ ପ୍ରତିଶତ, କଟକ ସହରରେ ୫୪ ପ୍ରତିଶତରେ ପହଞ୍ଚିଛି। ଭୁବନେଶ୍ବରରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ଅବସ୍ଥାକୁ ଆଣିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ବରର ୫୦ ପ୍ରତିଶତ ଉପଭୋକ୍ତା ବିଦ୍ୟୁତ୍‌ ସେବା ପାଇଛନ୍ତି ବୋଲି ବୈଠକରୁ ଜଣାଯାଇଛି। ଏହି କାମ ତ୍ବରାନ୍ବିତ କରିବା ପାଇଁ ଆଜି ଅଧିକ ଗ୍ୟାଙ୍ଗ ଆସି ପହଞ୍ଚିଛନ୍ତି। ଏହା ସହିତ ଆବଶ୍ୟକ ସାମଗ୍ରୀ ମଧ୍ୟ ଆସିଥିବା ବୈଠକରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର