ଅପରିଚିତଙ୍କ ସହାୟତାର ସୁଅ ଲମ୍ବୁଛି: ଏଯାଏ ସାହାଯ୍ୟ କଲେଣି ୬,୨୫୧ ଜଣ

ଅମ୍ରିତଙ୍କୁ ବଞ୍ଚାଇବା

ଦେଢ଼ କୋଟିରୁ ଅଧିକ ଲୋଡ଼ା, ସଂଗ୍ରହ ହୋଇଛି ୭୦ ଲକ୍ଷ
ସହାୟତା ପାଇଁ ଟ୍ବିଟ୍‌ କଲେ ଇରଫାନ ପଠାନ, ଯତୀନ ସାପ୍ରୁ
ଚେନ୍ନାଇ ଆପୋଲୋରେ ଚିକିତ୍ସା ଆରମ୍ଭ

ଭୁବନେଶ୍ବର : କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ଯୁବ ଇଞ୍ଜିନିୟର ଅମ୍ରିତଙ୍କୁ ବଞ୍ଚାଇବା ଲାଗି ଖାଲି ପରିବାର ଲୋକ କି ସାଙ୍ଗସାଥୀ ନୁହନ୍ତି, ଅପରିଚିତ ସାଧାରଣ ଲୋକ ବି ଆଗେଇ ଆସିଛନ୍ତି। ଏବେ ଏହି ଅଭିଯାନ ‌କେବଳ ଓଡ଼ିଶା ଭିତରେ ସୀମିତ ନାହିଁ। ଭଉଣୀ ମନୀଷା, ସାଙ୍ଗସାଥୀଙ୍କ ସହ ଦେଶ ବିଦେଶର ଲୋକ ବି ହାତ ମିଳାଇଛନ୍ତି। ଚେନ୍ନାଇ ଆପୋଲୋରେ ଅମ୍ରିତଙ୍କ ଉନ୍ନତ ଚିକିତ୍ସା ପାଇଁ ପ୍ରାୟ ଦେଢ଼ କୋଟିରୁ ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଥିବାବେଳେ ଆଜି ସୁଦ୍ଧା ମୋଟ ୬୨୫୧ ଜଣ ୭୦ ଲକ୍ଷ ଟଙ୍କା ଦାନ କରି ସାରିଲେଣି। ମିଲାପ ଫଣ୍ଡ ରେଜର ଜରିଆରେ ଏହି ଅର୍ଥ ସଂଗ୍ରହ ଅଭିଯାନରେ ପ୍ରତିଦିନ ସ୍ବତଃପ୍ରବୃତ୍ତ ଭାବେ ଅ‌ନେକ ଅପରିଚିତ ଲୋକ ଯୋଡ଼ି ହୋଇ ନିଜ ସାଧ୍ୟ ମୁତାବକ ଅର୍ଥ ସାହାଯ୍ୟ କରୁଥିବା ଦେଖା ଯାଉଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ କରୋନା ଭଳି ଏକ ସଂକଟ ସମୟରେ ମାନବିକତା ମରି ଯାଇନାହିଁ, ବରଂ ଏକ ସମୂହ ବିବେକର ଉଦ୍ରେକ ହୋଇଛି।

ସେପଟେ ଗୁରୁବାର ଅମ୍ରିତଙ୍କୁ ଭୁବନେଶ୍ବର ଏମ୍ସରୁ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲକୁ ଏଆରଲିଫ୍ଟ କରାଯିବା ପରେ ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଯାଇଛି। ତାଙ୍କ ଅବସ୍ଥା ଏବେ ବି ଗୁରୁତର ଥିଲେ ମଧ୍ୟ ସ୍ଥିର ରହିଛି। ଆଜି ତାଙ୍କ ଭଉଣୀ ମନୀଷା ମଧ୍ୟ ‌ଚେନ୍ନାଇରେ ଯାଇ ପହଞ୍ଚିଛନ୍ତି।

ବ୍ରହ୍ମପୁରର ଯୁବକ ଅମ୍ରିତ ପ୍ରଧାନ ପ୍ରାୟ ଏକ ମାସ ତଳେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଯିବାରୁ ତାଙ୍କୁ ଚିକିତ୍ସା ଲାଗି ଏମ୍ସ ଭୁବନେଶ୍ବରରେ ଭର୍ତ୍ତି କରାଯାଇଥିଲା। ତେବେ ଭେଣ୍ଟି‌ଲେଟରରେ ଥିବା ଅମ୍ରିତଙ୍କ ଫୁସ୍‌ଫୁସ୍ ବହୁ ପରିମାଣରେ ନଷ୍ଟ ହୋଇଯିବାରୁ ତାଙ୍କୁ ବଞ୍ଚାଇବା ପାଇଁ ଏକ୍‌ମୋ ମେସିନରେ ଉନ୍ନତ ଚିକିତ୍ସାର ଆବଶ୍ୟକତା ଥିଲା। ଏ ନେଇ ତାଙ୍କ ଭଉଣୀ ମନୀଷା ଚେନ୍ନାଇ ଆପୋଲୋର ଡାକ୍ତରମାନଙ୍କ ସହ ଯୋଗାଯୋଗ କରିଥିଲେ। ଅମ୍ରତଙ୍କୁ ବଞ୍ଚାଇବାକୁ ହେଲେ ତୁରନ୍ତ ତାଙ୍କୁ ଏଆର ଆମ୍ବୁଲାନ୍ସ ଜରିଆରେ ଚେନ୍ନାଇ ଆପୋଲୋକୁ ସ୍ଥାନାନ୍ତର କରିବାକୁ କହିବା ସହ ଆବଶ୍ୟକ ହେଲେ ତାଙ୍କର ଫୁସ୍‌ଫୁସ୍ ପ୍ରତିରୋପଣ ମଧ୍ୟ କରାଯିବ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ତେବେ ଏଭଳି ଚିକିତ୍ସା ଲାଗି ଦେଢ଼ କୋଟିରୁ ଅଧିକ ‌ଟଙ୍କାର ଆବଶ୍ୟକତା ଅଛି ବୋଲି ଜାଣିବା ପରେ ମନୀଷା ପଛଘୁଞ୍ଚା ଦେଇ ନ ଥିଲେ। ତାଙ୍କଠାରୁ ସବୁ ଜାଣିବା ପରେ ଅମ୍ରିତଙ୍କ ସାଙ୍ଗସାଥୀ ଏବଂ ମନୀଷାଙ୍କ ବନ୍ଧୁ ତଥା ଶୁଭେଚ୍ଛୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ଏବଂ ଏଥିପାଇଁ ସାମାଜିକ ଗଣମାଧ୍ୟମରେ ମିଲାପ ଫଣ୍ଡରେଜର୍ ଜରିଆରେ ଅର୍ଥ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ। ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ହେଲା, ଜଣେ ସେଲିବ୍ରିଟି କିମ୍ବା ନେତାମନ୍ତ୍ରୀଙ୍କ ପୁଅ ହୋଇ ନ ଥିଲେ ମଧ୍ୟ ଅମ୍ରିତଙ୍କ ଭଳି ଜଣେ ସାଧାରଣ ଯୁବକଙ୍କୁ ସହାୟତା କରିବାକୁ ସାଧାରଣ ଲୋକମାନେ ହିଁ ଆଗେଇ ଆସିଛନ୍ତି। ‌ଯେମିତି ବିନ୍ଦୁ ବିନ୍ଦୁ ପାଣିରେ ମାଠିଆ‌ ଭର୍ତ୍ତି ହୁଏ, ଠିକ୍ ସେମିତି ଏବେ ସୁଦ୍ଧା ୬୨୫୧ ଜଣ ଲୋକଙ୍କ ଅଳ୍ପ ଅଳ୍ପ ସହାୟତା ରାଶ‌ିରେ ଏବେ ସୁଦ୍ଧା ପ୍ରାୟ ୭୦ ଲକ୍ଷ ଟଙ୍କା ସଂଗ୍ରହ ହେବା ସମସ୍ତଙ୍କୁ ବିସ୍ମିତ ଓ ଉତ୍ସାହିତ କରିଛି। ଏମିତିକି ଅମ୍ରିତଙ୍କ ଚିକିତ୍ସା ପାଇଁ ଜଣେ ଜଣେ ୧୦/୧୧ଟଙ୍କା ଦେଇଥିବାର ଦେଖିବାକୁ ମିଳିଛି । ଅମ୍ରିତଙ୍କ ପାଇଁ ଏହି ଅଳ୍ପ ପରିମାଣର ସାହାଯ୍ୟ ବି ଖୁବ୍ ବଡ଼ ବୋଲି ତାଙ୍କ ଜଣେ ସାଙ୍ଗ ସାଗର ସାମଲ କହିଛନ୍ତି । ଅନ୍ୟପକ୍ଷରେ ଆମେରିକା ଓ ସାଉଦି ଆରବ ଭଳି ବିଦେଶରେ ଥିବା କିଛି ବ୍ୟକ୍ତି ଡଲାର ମାଧ୍ୟମରେ ବେଶ୍ ଅଧିକ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି। ଅମ୍ରିତଙ୍କ ଚିକିତ୍ସା ପାଇଁ ୧୭୫ ଟଙ୍କା ସହାୟତା ରାଶି ପଠାଇ ଅଭିଜିତ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି; ଦେଢ଼ କୋଟି ଟଙ୍କା ଆଗରେ ମୋର ଏହି ସହାୟତା ବଡ଼ ହୋଇନପାରେ; କିନ୍ତୁ ଏଭଳି କିଛି ଟଙ୍କା ମିଶିଲେ ଲକ୍ଷ ଲକ୍ଷ ଟଙ୍କା ଯୋଗାଡ଼ ହୋଇପାରିବ ଏବଂ ଆମେ ଆମର ଜଣେ ଭାଇକୁ ବଞ୍ଚାଇପାରିବା। ତେଣୁ ସମସ୍ତେ ସହାୟତାର ହାତ ବଢ଼ାଇବାକୁ ସେ ଅନୁରୋଧ କରିଛନ୍ତି।

ସେହିପରି କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ମନୋଜ ନାମକ ଜଣେ ଯୁବକ ୫୦୧ଟଙ୍କା ଦେଇ ଅମ୍ରିତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହିଭଲି ଅନେକ ବ୍ୟକ୍ତି ସହାୟତା ଦେବା ସହ ଅମ୍ରିତ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ଖାଲି ସାଧାରଣ ଲୋକ ନୁହଁନ୍ତି, ପୂର୍ବତନ ଭାରତୀୟ କ୍ରିକେଟର ଇର୍‌ଫାନ୍ ପଠାନ୍‌ ଓ କ୍ରିକେଟ କମେଟେଣ୍ଟର ଯତୀନ୍ ସାପ୍ରୁ ମଧ୍ୟ ଟ୍ବିଟ୍ କରି ଅମ୍ରିତଙ୍କ ଆରୋଗ୍ୟ କାମନା କରିବା ସହ ଅମ୍ରିତଙ୍କୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି । ସେହିପରି ପୂର୍ବତନ ସାଂସଦ କଲିକେଶ ସିଂଦେଓ ମୁଖ୍ୟମନ୍ତ୍ରୀ,ମୁଖ୍ୟଶାସନ ସଚିବ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ , ସ୍ବାସ୍ଥ୍ୟ ବିଭାଗ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଟ୍ବିଟ୍ କରି ଅମ୍ରିତଙ୍କୁ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି । ଅମ୍ରିତଙ୍କ ଚିକିତ୍ସା ଲାଗି ସହାୟତା କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ତାଙ୍କ ଭଉଣୀ ମନୀଷାଙ୍କ ମୋବାଇଲ ନମ୍ବର ୭୭୧୦୦୨୮୦୧୫ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର