ସେବା ମନୋବୃତ୍ତିର ନିଦର୍ଶନ ଦେଖାଇଲେ ଡାକ୍ତର

ପାହାଡ଼ ଚଢ଼ି ମା’ ଓ ଶିଶୁକୁ ସୁରକ୍ଷିତ ଭାବେ ପ୍ରସବ କରାଇଲେ

ତୁମୁଡ଼ିବନ୍ଧ: ପୁଣି ଉତ୍ତମ ସେବା ମନୋବୃତ୍ତର ନିଦର୍ଶନ ଦେଖାଇଛନ୍ତି ଆଉ ଜଣେ ଡାକ୍ତର । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ପଲମ ଗ୍ରାମ ଜଙ୍ଗଲରେ ପହଞ୍ଚି ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇଛନ୍ତି । ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ସରିଗେତା ଗ୍ରାମରେ ଗତ ଅକ୍ଟୋବର ମାସରେ ପ୍ରସୂତିଙ୍କୁ ଖଟରେ ବୋହି ଡାକ୍ତର ଓମକାର ହୋତା ସେବା ମନୋବୃତ୍ତର ଚରମ ପ୍ରଦର୍ଶନ ଦେଖାଇଥିବା ବେଳେ ସୋମବାର ଦିନ ତୁମୁଡିବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଥିବା ଡାକ୍ତର ଯଜ୍ଞଦତ୍ତ ରଥ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଜଙ୍ଗଲ ମଧ୍ୟରେ ପ୍ରସୂତି ଯନ୍ତ୍ରଣାରେ ଛଟପଟ ହେଉଥିବା ପଲମ ଗ୍ରାମ ପ୍ରମୋଦ ରଇତଙ୍କ ସ୍ତ୍ରୀ ସାଟାଡ଼ାଡ଼ୁ ରଇତଙ୍କ ସୁରକ୍ଷିତ ପ୍ରସବ କରାଇଛନ୍ତି । ଖବର ପାଇ ନିଜେ ଏକା ଏକା ନିଜର ସମସ୍ତ ସାମଗ୍ରୀ ଧରି ତୁମୁଡ଼ିବନ୍ଧ ଥାନା ପଛପାଖ ଥିବା ଧୁବୁଲାଖମନ ଦେଇ ପାହାଡ଼ଉପରକୁ ଚଢ଼ିଥିଲେ ଏବଂ ଅଧାରାସ୍ତାରେ ରହିଯାଇଥିବା ମହିଳା ନିକଟକୁ ପହଞ୍ଚି ସୁରକ୍ଷିତ ଭାବରେ ଏକ କନ୍ୟା ସନ୍ତାନ ପ୍ରସବ କରାଇଥିଲେ । ସେଠାରେ ମା’ଓ ଶିଶୁଙ୍କ ନିଜର ଚିକିତ୍ସା କରିବା ସହ ସୁରକ୍ଷିତ ଅବସ୍ଥାରେ ମା ଓ ଶିଶୁକୁ ତୁମୁଡ଼ିବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତରଙ୍କର ଏଭଳି ସେବା ମନୋଭାବକୁ ନେଇ ସ୍ଥାନୀୟ ଲୋକେ ସାଧୁବାଦ ଦେଇଛନ୍ତି । ଡାକ୍ତରଖାନାରେ ବିଡିଓ ବସନ୍ତ ସେଠୀ ପହଞ୍ଚି ଡାକ୍ତରଙ୍କ କାର୍ଯ୍ୟକୁ ତାରିଫ ସହ ଏଭଳି ସେବା ମନୋବୃତ୍ତି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ତେବେ କନ୍ଧମାଳରେ ବହୁ ସମୟରେ ଏଭଳି ଘଟଣା ଘଟୁଥିଲା ବେଳେ ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ରାସ୍ତାଘାଟ ଅଭାବରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବା ବେଳେ ରୋଗୀ ବଣପାହାଡ଼ ଅତିକ୍ରମ କରି ଦୋଳାରେ ଡାକ୍ତରଖାନା ଆସୁଥିବା ଦେଖିବାକୁ ମିଳୁଛି । ଏଭଳି ଘଟଣା କନ୍ଧମାଳ ଭଳି ଆଦିବାସୀ ଅଞ୍ଚଳରେ ନିତିଦିନିଆ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଯଥେଷ୍ଟ ହେଉନାହିଁ । ମମତା ଯୋଜନା ଠରୁ ଆରମ୍ଭ କରି ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଥିଲେ ବି ଦୁଇଦିନ ତଳେ ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଅଞ୍ଚଳର ସଲାଗୁଡ଼ା ପଞ୍ଚାୟତ ମୁଣ୍ଡାସାହିରେ ଆମ୍ବୁଲାନ୍ସ ମିଳିନଥିବାରୁ ଜଣେ ଜନନୀ ଜଙ୍ଗଲରେ ପ୍ରସବ ହୋଇଥିଲା । ଆଜିପୁଣି ଘଟଣାର ପୁନରାବୃତ୍ତି ହୋଇଛି । ଗାଁକୁ ଆମ୍ବୁଲାନ୍ସ ଯିବାପାଇଁ ରାସ୍ତା ନଥିବାରୁ କୁଟିଆ କନ୍ଧ ମହିଳା ଜଣକ ପାହାଡ଼ ଉପର ଜଙ୍ଗଲରେ ଛଟପଟ ହୋଇ ସନ୍ତାନ ପ୍ରସବ କରିଛନ୍ତି । ମହିଳା ଜଣଙ୍କ ପ୍ରସବ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଣ ପାହାଡ଼ ନଦୀନାଳ ଡେଇଁ ଚାଲି ଚାଲି ଆସୁଥିବା ବେଳେ ଅଧାରାସ୍ତାରେ ଆଉ ଆଗାକୁ ଆସିପାରିନଥିଲେ । ଏହି ଖବର ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଠାକ୍ତର ରଥ ନିଜର ଉତ୍ତମ କର୍ତ୍ତବ୍ୟ ସମାପନ କରିଛନ୍ତି । ତୁମୁଡ଼ିବନ୍ଧ ପଞ୍ଚାୟତର ନିଲିମପଦର, ପଲମ, ବଲମ ଭଳି ୩ଟି ଗ୍ରାମରେ ରହୁଥିବା କୁଟିଆ ପରିବାରଙ୍କ ଏଭଳି ସମସ୍ୟା ବିଭିନ୍ନ ସମୟରେ ଦେଖାଯାଉଛି । ତେବେ ତୁମୁଡ଼ିବନ୍ଧ ବ୍ଲକରେ ଏଭଳି ସମାନ ଚିତ୍ର ଏବେ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ବଢାଇଛି ।

ସମ୍ବନ୍ଧିତ ଖବର