ସିମୁଳିଆ: ଖବର ପ୍ରକାଶ ପରେ ଅସହାୟ ପରିବାର ପାଇଁ ବଢ଼ିଲା ସହାୟତାର ହାତ। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍‌ ଅନ୍ତର୍ଗତ ଆନନ୍ଦପୁର ଗ୍ରାମ ଗରିବ ରତ୍ନାକର ଦାସ ରୋଗରେ ଆକ୍ରାନ୍ତ ହୋଇ ୨୦୨୦ ମସିହାରେ ଆଖି ବୁଜିଦେଲେ। ବଡ଼ପୁଅ ପଙ୍କଜ ଦାସ ୨୦୧୯ରେ ମାଟ୍ରିକ୍‌ ପରୀକ୍ଷା ଦେଇ ୯୬% ନମ୍ବର ରଖିଥିଲେ। ତେବେ ବାପାଙ୍କ ମୃତ୍ୟୁ ପରେ ଘର ଚଳାଇବା ପାଇଁ ସେ ପାଠ ପଢ଼ା ଛାଡ଼ି ଦାଦନ ଖଟିବାକୁ ଚାଲିଗଲେ। ମାଆ ଶକୁନ୍ତଳା ଦାସ ମାନସିକ ଭିନ୍ନକ୍ଷମ। ମଝିଆଁ ଭାଇ ଅନୁଜ ମାଟ୍ରିକ୍‌ ପରୀକ୍ଷାରେ ୮୫% ନମ୍ବର ରଖିଥିଲେ ମଧ୍ୟ ଟଙ୍କା ଅଭାବରୁ ସେ ବି ଆଉ ପାଠ ପଢ଼ି ପାରୁ ନାହାନ୍ତି। ସାନ ଭାଇ ମନୋଜ ଦାସ ଏବେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ଜ୍ୟୋତି ଜଣେ ମେଧାବୀ ଛାତ୍ରୀ। ସେ ଭବିଷ୍ୟତରେ ଜଣେ ଆଇଏଏସ୍‌ ହେବାକୁ ସ୍ବପ୍ନ ଦେଖିଛନ୍ତି। ହେଲେ ପାରିବାରିକ ଓ ଆର୍ଥିକ ସମସ୍ୟା ତାଙ୍କ ବାଟ ଓଗାଳୁଛି। ସେ ଘର କଥା ବୁଝୁଛନ୍ତି। ସେହିପରି ଅସୁସ୍ଥ ମାଆଙ୍କର ସେବା ବି କରୁଛନ୍ତି। ତେବେ ଗରିବ ସ୍ବର୍ଗତ ରତ୍ନାକରଙ୍କ ପରିବାର ଦୁଇଓଳି ପେଟ ପୂରା ଖାଇବାକୁ ପାଉ ନାହାନ୍ତି। ପିନ୍ଧିବାକୁ ଭଲ ପୋଷାକ ନାହିଁ। ଘରଟିଏ ବି ମିଳୁନି। ଫଳରେ ସେମାନେ ଭଙ୍ଗାଘରେ ରହୁଛନ୍ତି। ଏନେଇ ଏକ ଖବର ଗତ ୨୯ ତାରିଖ ଦିନ ‘ସମ୍ବାଦ’ରେ ପ୍ରକାଶ ପରେ ପ୍ରଭାବ ପଡ଼ିଛି। ସିମୁଳିଆ ବିଡିଓ ପର୍ଶୁରାମ ପଣ୍ଡା ଜ୍ୟୋତିଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ସହ ଆନନ୍ଦପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ସାହୁ ଓ ଆନନ୍ଦପୁର ପଞ୍ଚାୟତର ସରପଞ୍ଚ ଗଣେଶ ଚନ୍ଦ୍ର ସାହୁ ଥିଲେ।

Advertisment

ବିଡିଓ ଶ୍ରୀ ପଣ୍ଡା ଜ୍ୟୋତି ଫୁଟବଲ୍‌ ଖେଳାଳି ମାରାଡୋନାଙ୍କ ଚିତ୍ର ଆଙ୍କିଲେ ପ୍ରକୃତ ମୂଲ୍ୟଠାରୁ ଦଶ ଗୁଣ ଅର୍ଥ ଦେବେ ବୋଲି ଘୋଷଣା କରିଥିଲେ। ଏହା ସହିତ ସାନଭାଇ ମନୋଜଙ୍କ ସରକାରୀ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ସେହିପରି ଆନନ୍ଦପୁର ପଞ୍ଚାୟତର ସରପଞ୍ଚ ଗଣେଶ ଚନ୍ଦ୍ର ସାହୁ ବିଧବା ମାଆ ଶକୁନ୍ତଳାଙ୍କ ଭତ୍ତା ମଞ୍ଜୁର କରିବା ସହ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାପଡ଼ିଛି।