ଛାଡ଼ି ଚାଲିଗଲା ମା, ରୋଗରେ ଆଖି ବୁଜିଲେ ବାପା; ଅସହାୟ ୪ ଛୁଆଙ୍କ ଦୁଃଖ ବୁଝିବାକୁ କେହି ନାହିଁ

ବାମରା : ୨ ବର୍ଷ ତଳେ ୪ ଛୁଆଙ୍କୁ ଛାଡ଼ି ଅନ୍ୟ ଲୋକ ସହ ସଂସାର ବସାଇବାକୁ ଚାଲିଗଲା ମା’। ତିନି ମାସ ତଳେ ରୋଗଗ୍ରସ୍ତ ବାପା ବି ଆଖି ବୁଜିଲେ। ଏବେ ବାପାମା’ଙ୍କୁ ହରାଇ ଅସହାୟ ହୋଇ ପଡ଼ିଥିବା ୪ ନାବାଳକ ପୁଅ-ଝିଅ ଦୁର୍ଦିନରେ ଦିନ କାଟୁଥିବା ବେଳେ ତାଙ୍କ ଦୁଃଖ ବୁଝିବାକୁ କେହି ନାହିଁ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାମରା ବ୍ଲକ୍‌ ବାବୁ ନିକ୍ତିମାଲ ପଞ୍ଚାୟତର ରେଙ୍ଗାଳଖଣ୍ଡି ଗାଁରେ।

ସୂଚନାନୁସାରେ ଏହି ଗାଁରେ ପ୍ରାୟ ୩୦/୩୫ ପରିବାର ରହୁଥିବା ବେଳେ ସମସ୍ତେ ଗରୀବ ଓ ଆଦିବାସୀ ଶ୍ରେଣୀର। ପ୍ରାୟ ୨୦ ବର୍ଷ ତଳେ ଶୁକ୍ରୁ ବଣେଇ ଅଞ୍ଚଳରେ କାମ ଧନ୍ଦା କରୁଥିବା ବେଳେ ସୋମବାରୀ କିଷାନଙ୍କୁ ପ୍ରେମ ବିବାହ କରିଥିଲେ। ସେଠାରେ ଅନେକ ବର୍ଷ ରହିବା ମଧ୍ୟରେ ତାଙ୍କର ୩ ପୁଅ ଓ ଗୋଟିଏ ଝିଅ ହୋଇଥିଲେ। ତେବେ କୌଣସି କାରଣରୁ ସେମାନେ ପ୍ରାୟ ୬ ବର୍ଷ ତଳେ ନିଜ ଗାଁ ରେଙ୍ଗାଳଖଣ୍ଡିକୁ ଚାଲି ଆସି ରହିଥିଲେ। ଗାଁରେ ଥିବା ବେଳେ ଶୁକ୍ରୁ (୪୦) ଏକ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇପଡ଼ିଲେ। ଏଭଳି ସ୍ଥିତିରେ କିଛି ବର୍ଷ ଯିବା ପରେ ହଠାତ୍‌ ସୋମବାରୀ ୪ ଛୁଆ ଓ ରୋଗଣା ସ୍ବାମୀଙ୍କୁ ଛାଡ଼ି ଗତ ୨୦୧୮ ମସିହାରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଘରୁ ପଳାଇଲେ।‌ ତେଣେ ଶୁକ୍ରୁଙ୍କର ମଧ୍ୟ ଗତ ଜୁନ୍‌ ମାସରେ ମୃତ୍ୟୁ ହୋଇଗଲା। ବାପାଙ୍କ ମୃତ୍ୟୁ ପୂର୍ବରୁ ବଡ଼ ପୁଅ ଶିବ ମୁଣ୍ଡା (୧୭) ପରିବାର ପାଇଁ ଅର୍ଥ ଉପାର୍ଜନ କରିବାକୁ ଗୋଆ ଯାଇଥିବା ବେଳେ ଲକ୍‌ଡାଉନ୍‌ ଯୋଗୁଁ ଫେରିପାରିଲେ ନାହିଁ କି ବାପାଙ୍କ ଶେଷ ଦର୍ଶନ ବି କରିପାରିଲେ ନାହିଁ। ଗତ ଅଗଷ୍ଟ ମାସରେ ଫେରି ମହୁଲପାଲି ଟିଏମ୍‌ସିରେ ସଙ୍ଗରୋଧରେ ରହିବା ପରେ ଗତ ସପ୍ତାହେ ହେଲା ଘରେ ପହଞ୍ଚିଛନ୍ତି। ଘର କହିଲେ ଏକ ଝାଟିମାଟିର କୁଡ଼ିଆ। ତାହା ବି ଗତ ଲଗାଣ ବର୍ଷାରେ ଭାଙ୍ଗି ଯାଇଛି। ସେଥିରେ ଭଉଣୀ ସାବିତ୍ରୀ (୧୪), ଭାଇ ଲକ୍ଷ୍ମଣ (୧୦) ଓ କୁଳମଣି (୭)ଙ୍କୁ ନେଇ ଅତି ଦୟନୀୟ ଭାବେ ରହୁଛନ୍ତି ଶିବ। ଜମିବାଡ଼ି କିଛି ନଥିବା ବେଳେ ଆଧାର କାର୍ଡ, ରାସନ କାର୍ଡ ଆଦି କିଛି ନ ଥିବାରୁ ଶିବଙ୍କୁ କୌଣସି ସରକାରୀ ସହାୟତା ମିଳିପାରୁ ନାହିଁ। ବର୍ତ୍ତମାନ ରୋଜଗାର ଓ ସହାୟତା ଅଭାବରୁ ୪ ନାବାଳକ, ନାବାଳିକା ଅଧିକାଂଶ ଦିନ ଭୋକ ଉପାସରେ ଦିନ କାଟୁଛନ୍ତି। ଯଦି କେବେ କେହି ଗ୍ରାମବାସୀ ଦୟା ଦେଖାଇ କିଛି ଦେଉଛନ୍ତି ତାହା ଖାଇ ଭାଗ୍ୟ ଆଦରି ପଡ଼ି ରହିଛନ୍ତି।

ସେମାନଙ୍କର ଏଭଳି ସ୍ଥିତି ସଂପର୍କରେ ସ୍ଥାନୀୟ ପ୍ରଶାସନ କି ସରପଞ୍ଚ କିଭଳି ଆଜି ପର୍ଯ୍ୟନ୍ତ ଖବର ପାଇଲେ ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ୧୫ ଦିନ ତଳେ ଜରାବଗାର ଆୱାର୍ଡ ସଂସ୍ଥାର ଜଣେ ପ୍ରତିନିଧି ଉକ୍ତ ଗାଁକୁ ଯାଇଥିବା ବେଳେ ଘଟଣାଟି ସାମ୍‌ନାକୁ ଆସିଥିଲା। ଫଳରେ ଆୱାର୍ଡ ଓ ସମ୍ବଲପୁରର ଆର୍‌ସେଟି ପକ୍ଷରୁ ସେମାନଙ୍କୁ ଅଢ଼େଇ ହଜାର ଟଙ୍କାର ସହାୟତା ଦିଆଯାଇଥିଲା। ସ୍ଥାନୀୟ ସିଆର୍‌ପି ଲିଲିମା ରଣା ମଧ୍ୟ କିଛିଟା ସାହାଯ୍ୟ କରିଥିଲେ। ବର୍ତ୍ତମାନ ୩ ଭାଇ ଭଉଣୀଙ୍କ ପେଟ ଓ ଭବିଷ୍ୟତ ପାଇଁ ପୁଣି ଥରେ ଶିବ ଗୋଆ ଯିବାକୁ ସଜବାଜ ହେଉଥିବା ଖବର ମିଳିଛି। ଏ ନେଇ ସରପଞ୍ଚ ଗିରିଶ ଚନ୍ଦ୍ର ସାଙ୍କୁ ପଚାରିବାରେ, ‘ଘଟଣାଟି ସତ ଓ ମୋ ଦ୍ବାରା ଯେତେ ସମ୍ଭବ ସାହାଯ୍ୟ କରିବି’ ବୋଲି କହିଛନ୍ତି। ତୁରନ୍ତ ଉକ୍ତ ଅସହାୟ ୪ ଭାଇ ଭଉଣୀଙ୍କ ଖାଦ୍ୟ ସଂସ୍ଥାନ ସହ ଥଇଥାନ ବ୍ୟବସ୍ଥା କରିବାକୁ ଆୱାର୍ଡର ସଂପାଦକ ପ୍ରହଲ୍ଲାଦ ଚନ୍ଦ୍ର ମଲ୍ଲିକ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର