ରାସନରୁ ବଞ୍ଚିତ ଅସହାୟ ବିଧବା ମହିଳା: ଚାଉଳ ମୁଠେ ପାଇଁ ବାରଦୁଆର ବୁଲୁଛନ୍ତି

ଓଡ଼ଗାଁ : ଖାଦ୍ୟ ନାହିଁ କି ରାସନ ନାହିଁ। ଚାଉଳ ମୁଠେ ପାଇଁ ବାର ଦୁଆର ହେଉଛନ୍ତି ଜଣେ ଅସହାୟ ବିଧବା ମହିଳା। ଏଭଳି ଘଟଣା ଓଡ଼ଗାଁ ବ୍ଲକ୍ ହରିହରପୁର ପଞ୍ଚାୟତ ଅସୁରଢିପା ଗ୍ରାମର ବ୍ରଜବନ୍ଧୁ ସ୍ବାଇଁଙ୍କ ସ୍ତ୍ରୀ କୁନ୍ତଳା ସ୍ବାଇଁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।

ସୂଚନା ଥାଉକି, ଅସୁରଢିପା ଗ୍ରାମର କୁନ୍ତଳା ସ୍ବାଇଁ ପୂର୍ବରୁ ବିପିଏଲ୍ ଯୋଜନାରେ ସାମିଲ ହୋଇଥିଲେ। ଏହା ପରେ ଯୋଗ୍ୟ ହିତାଧିକାରୀଙ୍କ ଆର୍ଥିକ ଅବସ୍ଥା ଯାଞ୍ଚ କରି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍‌ କରାଗଲା। କିନ୍ତୁ ଏଥିରୁ କୁନ୍ତଳାଙ୍କୁ ବାଦ୍‌ ଦିଆଗଲା। ସ୍ବାମୀ ବଞ୍ଚିଥିବା ସମୟରେ କାର୍ଡ କଟି ଯାଇଥିଲେ ମଧ୍ୟ କଷ୍ଟେମଷ୍ଟେ ସବୁ ଚଳି ଯାଉଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ କୁନ୍ତଳାଙ୍କ ତିନି ପୁଅ ଅଲଗା ହୋଇ ରହିଲେ। ମାଆର ବୋଝ ମୁଣ୍ଡେଇବାକୁ କେହି ବି ପାଖରେ ରହିଲେନି। ଏ ଭିତରେ ୬ବର୍ଷ ବିତିଗଲାଣି। ରାସନ କାର୍ଡ଼ ଖଣ୍ତିଏ ପାଇବାକୁ ସେ ସମସ୍ତଙ୍କୁ ଗୁହାରୀ କରିଛନ୍ତି। ରାସନ କାର୍ଡ଼ କରାଇଦେବାକୁ କିଏ ଟଙ୍କା ମାଗୁଛି ତ କିଏ ଆଶ୍ବାସନା ଦେଇ ବର୍ଷ ପରେ ବର୍ଷ ଗଡାଇ ଚାଲିଛି।

ପେଟକୁ ଖାଇବାକୁ ନ ପାଇ କୁନ୍ତଳା ଛଟପଟ ହେଉଥିବା ଦେଖି ଗ୍ରାମର ଜଣେ ବ୍ୟକ୍ତିଙ୍କ ସହାୟତାରେ ବିଡିଓଙ୍କୁ ଦେଖା କରିଥିଲେ। ହରିହରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ କୁନ୍ତଳା ରାସନ ପାଇବାକୁ ଯୋଗ୍ୟ ଏବଂ ତାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ କରାଯିବ ବୋଲି ପ୍ରତିଶ୍ରୃତି ଦେଇ ୧୦କିଲୋ ଚାଉଳ ପ୍ରଦାନ କରିଥିଲେ। ତା ପରେ ଆଉ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦେକା ମିଳିନଥିଲା। ଗାଁର କିଛି କୁଚକ୍ରୀ ବ୍ୟକ୍ତିଙ୍କ କତାରେ ପଡି କୁନ୍ତଳାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଗଲା ନାହିଁ। ଆଜି କୁନ୍ତଳା ନୟାଗଡ଼ ଜିଲ୍ଲାପାଳଙ୍କୁ ଭେଟି ନିଜର ଅସୁବିଧା ସଂପର୍କରେ ଜଣାଇଛନ୍ତି। ଜିଲ୍ଲାପାଳ ପୋମା ଟୁଡୁ ଓଡ଼ଗାଁ ବିଡିଓଙ୍କୁ ଘଟଣାର ତଦନ୍ତ କରି ତୁରନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ନିେର୍ଦ୍ଦଶ ଦେଇଛନ୍ତି। ତେବେ କୁନ୍ତଳାଙ୍କ ରାସନ କାର୍ଡ଼ ହେବ କି ଗାଁର ଚେଲା ଚାମୁଣ୍ତାଙ୍କ ବୋଲରେ ପୁଣି ଅଟକିଯିବ ତାକୁ ନେଇ ସେ ଦ୍ବର୍ନ୍ଦରେ ଅଛନ୍ତି। ତାଙ୍କୁ ବ୍ଲକ୍ ପ୍ରଶାସନ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ରାସନ ସାମଗ୍ରୀ ୍ୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର