ବଞ୍ଚିବା ପାଇଁ ଅସହାୟ ମହିଳାଙ୍କ ସଂଘର୍ଷ : ମାତ୍ର ୫ ଶହ ଟଙ୍କାରେ ଚଳୁଛନ୍ତି ମାସେ

ନୂଆଗାଁ : ନୂଆଗାଁ ବ୍ଲକ୍‌ରେ ଏମିତି କିଛି ଅସହାୟ ମହିଳା ଅଛନ୍ତି, ଯେଉଁମାନେ ଆଜି ବି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ସେମାନଙ୍କ କଥା ବୁଝିବାକୁ ନା ଅଛନ୍ତି ରାଜନେତା ନା ପ୍ରଶାସକ। ଖାଇବାକୁ ମୁଠେ ନ ପାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ପ୍ରଶାସନ ଗରିବଙ୍କ ପାଇଁ ପଥର ପାଲଟି ଯାଇଛି। ଏମାନଙ୍କ ମଧ୍ୟରୁ କିଏ ଝୁମ୍ପୁଡ଼ି ଘରେ ରହୁଛି ତ ଆଉ କାହା ଘରେ ଚୁଲି ଜଳୁନି। ଏମିତି ଦୟନୀୟ ଅବସ୍ଥାରେ ମାଈଛେଳି ପଞ୍ଚାୟତ ଅନ୍ତର୍ଗତ ସଂପଡ଼ା ଗ୍ରାମର ସୁରେଖା ପରିଡ଼ା ଭୋକ ଉପାସରେ ଦିନ କାଟୁଥିବା ଦେଖିବାକୁ ମିଳିଛି।

ମିଳିଥିବା ଖବର ଅନୁଯାୟୀ, ସଂପଡ଼ା ଗ୍ରାମର ଶଙ୍କର ପରିଡ଼ାଙ୍କ ସ୍ତ୍ରୀ ସୁରେଖା ପରିଡ଼ାଙ୍କ ଚାରି ପ୍ରାଣୀ କୁଟୁମ୍ବ। ପୁଅ ପଞ୍ଚାୟତରେ ପିଅନ ଭାବେ କାର୍ଯ୍ୟ କରୁଥିବା ବେଳେ ଝିଅର ବାହାଘର ସରିଥିଲା। କିନ୍ତୁ ପରେ ତାଙ୍କ ଜୀବନରେ ଅଦିନିଆ ଝଡ଼ ସୃଷ୍ଟି ହୋ‌ଇଥିଲା। ଦୁଃଖର ପାହାଡ଼ ଲଦି ହୋଇଗଲା ତାଙ୍କ ଉପରେ। ପୁଅ ଜଗନ୍ନାଥ ପରିଡ଼ା କ୍ୟାନସର୍‌ ପୀଡ଼ିତ ହେବାରୁ ଘରେ ଯାହା ଟଙ୍କା ପଇସା ଥିଲା ସବୁ ଖର୍ଚ୍ଚ ହୋଇଗଲା। କିନ୍ତୁ ରୋଗ ଭଲ ନ ହେବାରୁ ସେ ଆର ପାରିକୁ ଚାଲିଗଲେ। ପୁଅକୁ ହରାଇବା ପରେ ସ୍ୱାମୀ ଶଙ୍କର ପରିଡ଼ା ମଧ୍ୟ ଟିବି ରୋଗରେ ପଡ଼ିଲେ। ଯେତେ ଚିକିତ୍ସା କଲେ ମଧ୍ୟ ରୋଗ ଭଲ ନ ହେବାରୁ ଶେଷରେ ତାଙ୍କର ମୃତ୍ୟୁ ହେଲା। ଝିଅକୁ ଶାଶୂ ଘରକୁ ପଠାଇ ଦେବା ପରେ ପରିବାରର ସମସ୍ତ ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ସୁରେଖା ଏବେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧବା ଭତ୍ତା ୫ ଶହ ଟଙ୍କା ଓ ଅନ୍ନପୂର୍ଣ୍ଣା ଯୋଜନାରେ ୧୦ କିଲୋ ଚାଉଳ ପାଉଥିଲେ। କିନ୍ତୁ ସରକାରୀ ନିୟମ ଅନୁସାରେ ଜଣେ ବ୍ୟକ୍ତିଙ୍କ ନାମରେ ୨ଟି ଯୋଜନା ରହି ପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଥିବାରୁ ଗତ ୩ ମାସ ହେବ ଅନ୍ନପୂର୍ଣ୍ଣା ଯୋଜନାରେ ପାଉଥିବା ଚାଉଳ ୧୦ କିଲୋ କଟି ଯାଇଛି। ସେ ଆଉ ଚାଉଳ ପାଉ ନାହାନ୍ତି। କେବଳ ଭତ୍ତା ବାବଦ ମାସକୁ ୫ ଶହ ଟଙ୍କା ମିଳୁଥିବାରୁ ନିଜେ ଚଳିବା ଅସମ୍ଭବ ହୋଇପଡ଼ିଛି।

ଚାଉଳ ପାଇବା ପାଇଁ ସେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ, ଏପରିକି ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଯୋଜନାରେ ସାମିଲ୍‌ କରାଯାଇ ନାହିଁ। ଫଳରେ ସେ ଏବେ ଭୋକ ଉପବାସରେ ଦିନ କାଟୁଛନ୍ତି। ଏହି ଘଟଣାରେ ସ୍ଥାନୀୟ ସରପଞ୍ଚ ଲିଙ୍ଗରାଜ ପରିଡ଼ା ତାଙ୍କ ଚାଉଳ କିଭଳି କଟିଲା ଜାଣି ନଥିବ‌ା କହିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତୁଷାରକାନ୍ତ ରାଉତ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ କଟିଥିବା କହିଛନ୍ତି। ବ୍ଲକ୍ ଖାଦ୍ୟ ଓ ଯୋଗାଣ ଅଧିକାରୀ ରଚିତା ପଣ୍ତାଙ୍କୁ ପଚାରିବାରୁ, ତାଙ୍କ ସମ୍ପର୍କରେ ସେ ଜାଣିଥିବା କହିବା ସହ ତୁରନ୍ତ ଚାଉଳ ଯୋଗାଇବାର ବ୍ୟବସ୍ଥା କରୁଛୁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର