ଭୁବନେଶ୍ବର : ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଗ୍ରହଣ କରି ତାହାର ସମାଧାନ କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ମାତ୍ର କରୋନା ପାଇଁ ଦୁଇବର୍ଷରୁ ଅଧିକ ଦିନ ହେଲା, ସ୍କୁଲ ବନ୍ଦ ରହିଥିବାରୁ କୌଣସି ସ୍ଥାନରୁ କିଛି ବି ଅଭିଯୋଗ ଆସିନି କିମ୍ବା ସମାଧାନ ହୋଇନି। ପିଲାଙ୍କଠାରୁ ଅଭିଯୋଗ ଗ୍ରହଣ କରିବା କ୍ଷେତ୍ରରେ ହେଲପ୍ ଲାଇନ୍ ପ୍ରମୁଖ ମାଧ୍ୟମ ହୋଇଥିଲେ ମଧ୍ୟ ପିଲାମାନେ ଜାଣିପାରୁ ନାହାନ୍ତି। ତାହାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ପ୍ରଚାରପ୍ରସାର କରିବା ଦିଗରେ ସ୍କୁଲ କର୍ତୃପକ୍ଷ ପ୍ରାଥମିକତା ଦେବାକୁ ଓସେପା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।
ସ୍କୁଲ ଛାତ୍ରଛାତ୍ରୀଙ୍କ ହେଲ୍ପ ଲାଇନ୍ ନମ୍ବର ୧୮୦୦୩୪୫୬୭୨୨/ ୧୪୪୧୭ ସମ୍ପର୍କରେ ଛାତ୍ରଛାତ୍ରୀ, ଅଭିଭାବକ, ଗୋଷ୍ଠୀ ସଦସ୍ୟ, ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ଅବଗତ କରାଯିବାର ଆବଶ୍ୟକତା ରହିଛି। ତେଣୁ ସ୍କୁଲ କର୍ତୃପକ୍ଷ ହେଲ୍ପ ଲାଇନ୍ ନମ୍ବରକୁ କ୍ୟାମ୍ପସର ପ୍ରମୁଖ ସ୍ଥାନ ତଥା କାନ୍ଥରେ ଲେଖିବେ। ପ୍ରଧାନ ଶିକ୍ଷକମାନେ ସ୍କୁଲ ଶିକ୍ଷକଙ୍କୁ ହେଲପ୍-ଲାଇନ୍ ନମ୍ବର ସମ୍ପର୍କରେ ଅବଗତ କରିବା, ସ୍କୁଲ ନୋଟିସ୍ ବୋର୍ଡ/ପ୍ରାର୍ଥନା ସମୟରେ ପିଲାଙ୍କୁ ଅବଗତ କରିବା ଦିଗରେ ପଦକ୍ଷେପ ନେବେ। ସିଆରସିସିମାନେ ହେଲ୍ପଲାଇନ୍ ସମ୍ପର୍କରେ ବିଭିନ୍ନ ବୈଠକରେ ଅନ୍ୟମାନଙ୍କୁ ଜଣାଇବେ।