ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ଝିଅ ବିକ୍ରି ନିଷ୍ପତ୍ତି ଘଟଣା : ପୂର୍ଣ୍ଣିମାଙ୍କୁ ସହାୟତ‌ାର ସୁଅ, ଦଶାହରେ ଯୋଗଦେଇ ସହାୟତା ଦେଲେ ବିଡିଓ

ମନମୁଣ୍ଡା : ସୋମବାର ସକାଳ ୯ଟାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଡିଓ ରବୀନ୍ଦ୍ର କଅଁର ଗୁଡ଼ଭେଲିପଦର ଗାଁକୁ ଯାଇ ପୂର୍ଣ୍ଣିମାଙ୍କ ସ୍ବାମୀଙ୍କ ଦଶାହରେ ଯୋଗ ଦେଇଥିଲେ। ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ରେଡକ୍ରସ ପାଣ୍ଠିରୁ ଯୋଗାଇ ଦିଆଯାଇଥିବା ୧୦ ହଜାର ଟଙ୍କା ସାଙ୍ଗକୁ ଅନ୍ତ୍ୟେଷ୍ଟି ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପୂର୍ଣ୍ଣିମାଙ୍କୁ ପ୍ରଦାନ କରିଥିଲେ। ପୂର୍ଣ୍ଣିମାଙ୍କ ଆବଶ୍ୟକ କାଗଜପତ୍ର ସାଙ୍ଗକୁ ବିଧବା ଭତ୍ତା ପାଇଁ ନିର୍ଧାରିତ ଫର୍ମରେ ଦସ୍ତଖତ ନେଇ ଆସନ୍ତା ମାସରେ ଭତ୍ତା ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ବ୍ୟତୀତ ଆବାସ ଯୋଜନାର ଶେଷ ବିଲ୍‌ ବାବଦକୁ ୩୦ ହଜାର ଟଙ୍କା ସୋମବାର ହିଁ ପୂର୍ଣ୍ଣିମାଙ୍କ ସ୍ବାମୀଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ। ସ୍ବାମୀଙ୍କ ଏଟିଏମ୍‌ କାର୍ଡ଼ ସାହାଯ୍ୟରେ ପୂର୍ଣ୍ଣିମା ଏହି ଟଙ୍କାକୁ ଉଠାଇ ପାରିବେ। ବକେୟା ଥିବା ମନରେଗା ଯୋଜନାରେ ଶ୍ରମିକ ପାଉଣା ସାତଦିନ ଭିତରେ ମିଳିଯିବ ଏବଂ ଆତ୍ମସାତ ହୋଇଥିବା ପାଇଖାନା ବିଲ ତଦନ୍ତ କରି ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ବିଡିଓ କହିଛନ୍ତି।

ଦିନ ୧୧ଟା ସମୟରେ ଭୁବନେଶ୍ବରର ସମାଜସେବୀ ନରେଶ ଚନ୍ଦ୍ର ସିତାରୀ ପୂର୍ଣ୍ଣିମାଙ୍କ ସ୍ବାମୀଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେଇ ତାଙ୍କୁ ୩୦ ହଜାର ଟଙ୍କା, ଚାଉଳ, ଡାଲି, ଚୁଡ଼ା, ଚିନି, ଆଳୁ, ପିଆଜ, ତେଲ ଆଦି ସାମଗ୍ରୀ ପ୍ରଦାନ କରିଥିଲେ। ପୂର୍ଣ୍ଣିମାଙ୍କଠାରୁ ଆକାଉଣ୍ଟ ନମ୍ବର ନେଇ ପୁଣି ସହାୟତା ରାଶି ପ୍ରଦାନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ଣ୍ଣିମାଙ୍କ କରୁଣ କାହାଣୀକୁ ମାର୍ମିକ ଭାବେ ଉପସ୍ଥାପନ କରିଥିବାରୁ ଶ୍ରୀ ସିତାରୀ ‘ସମ୍ବାଦ’କୁ ମଧ୍ୟ ସାଧୁବାଦ ଦେଇଛନ୍ତି। ସେହିପରି ଜୟ ଜଗନ୍ନାଥ ଗ୍ରୁପ ଅଫ୍ ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ, ବୌଦ୍ଧ ତରଫରୁ ମାନସ ପଟ୍ଟନାୟକ ପୂର୍ଣ୍ଣିମାଙ୍କ ଘରକୁ ଯାଇ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଏହାଛଡ଼ା ଝିଅମାନଙ୍କ ଶିକ୍ଷାଗ୍ରହଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆହୁରି ମଧ୍ୟ ବ୍ରହ୍ମପୁର, କଟକ ଓ ଭୁବନେଶ୍ବରରୁ ଅନେକ ସ୍ବେଚ୍ଛାସେବୀ, ସମାଜସେବୀ ତଥା ବଦାନ୍ୟ ବ୍ୟକ୍ତି ସହାୟତା କରିବାକୁ ଫୋନଯୋଗେ ପୂର୍ଣ୍ଣିମାଙ୍କ ଆକାଉଣ୍ଟ ନମ୍ବର ମାଗିଛନ୍ତି। ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଆଜି ଦଶାହ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା‌ରୁ ବଦାନ୍ୟ ବ୍ୟକ୍ତିମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ପୂର୍ଣ୍ଣିମା।

ସମ୍ବନ୍ଧିତ ଖବର