ହେମାନନ୍ଦ ବିଶ୍ବାଳ: କ୍ରୀଡ଼ା ଶିକ୍ଷକରୁ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଅବିଭକ୍ତ ସମ୍ବଲପୁର ଜିଲ୍ଲା (ବର୍ତ୍ତମାନର ଝାରସୁଗୁଡ଼ା)ର ଏକ ଅଣରାଜନୈତିକ ସାଧାରଣ ଆଦିବାସୀ ପରିବାରରେ ଜନ୍ମିତ ହେମାନନ୍ଦ ବିଶ୍ବାଳ ଦୁଇ ଦୁଇ ଥର ଓଡ଼ିଶାର ସର୍ବୋଚ୍ଚ ରାଜନୈତିକ ପଦ ମଣ୍ଡନ କରିଥିଲେ। ସ୍ବଳ୍ପ ସମୟ ପାଇଁ ହେଲେ ବି ସେ ପଶ୍ଚିମ ଓଡ଼ିଶାର ଦ୍ବିତୀୟ ବ୍ୟକ୍ତି ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ନିଜ ରାଜନୈତିକ ଜୀବନରେ ହେମାନନ୍ଦ ଅନେକ ଉତ୍‌ଥାନ ପତନ ଦେଖିଛନ୍ତି।  ୧ ଡିସେମ୍ବର ୧୯୩୯ରେ ଝାରସୁଗୁଡ଼ା ଜିଲ୍ଲା ଠାକୁରପଡ଼ାରେ ତାଙ୍କର ଜନ୍ମ। ତାଙ୍କ ମା’ତ୍ରିମଣି ବିଶ୍ୱାଳ ଓ ବାପା ବାସୁଦେବ ବିଶ୍ବାଳଙ୍କ ୩ ଝିଅ ଓ ୪ ପୁଅଙ୍କ ମଧ୍ୟରେ ହେମାନନ୍ଦ ଥିଲେ ତୃତୀୟ।

ତୁଳସୀ ଦୁଇପତ୍ରରୁ ବାସିଲା ଭଳି ଛାତ୍ରୀ ଜୀବନରୁ ତାଙ୍କ ନେତୃତ୍ବ ଦକ୍ଷତା ଜଣା ପଡ଼ିଥିଲା। ଅର୍ଡା ପ୍ରାଥମିକ ବିଦ୍ୟାଳୟ ଓ କିର୍ମିରା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ପରେ ସେ କୁଚିଣ୍ଡା ସରକାରୀ ହାଇସ୍କୁଲ୍‌ରୁ କୃତିତ୍ବର ମାଟ୍ରିକ୍ ପାସ୍‌ କରିଥିଲେ। ସୁନ୍ଦରଗଡ଼ ମହାବିଦ୍ୟାଳୟରେ ସେ ଆଇଏ (ବର୍ତ୍ତମାନର +୨) ପାସ୍ କରିଥିଲେ। ଛାତ୍ର ଜୀବନରେ ଖେଳ ଓ ନାଟକ ଆଦି ପ୍ରତି ତାଙ୍କର ସ୍ବତନ୍ତ୍ର ରୁଚି ରହିଥିଲା। ସେ ଫୁଟବଲ୍, ଆଥ୍‌ଲେଟିକ୍ସ ଆଦି ଖେଳ ସହିତ ନାଟକରେ ନିଜ ଶିକ୍ଷାନୁଷ୍ଠାନର ନାଁ ରଖିଥିଲେ।

ସେ ମଧ୍ୟ ନିଜ ସୃଜନ ଦକ୍ଷତା ପ୍ରତିପାଦନ କରି ଅନେକ ଗଳ୍ପ, କବିତା ଲେଖିଥିଲେ। କିର୍ମିରା ସରକାରୀ ହାଇସ୍କୁଲ୍‌ରେ ଖେଳ ଶିକ୍ଷକ ଭାବେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ। କିନ୍ତୁ ରାଜ୍ୟର ନେତୃତ୍ବ ନେବାର ଦକ୍ଷତା ରଖୁଥିବା ବ୍ୟକ୍ତିଙ୍କୁ ଶିକ୍ଷକତା ଭଳି ପେସା ବାନ୍ଧି ରଖିଥାନ୍ତା କିପରି। ତେଣୁ ଅଳ୍ପ କିଛି ବର୍ଷ ମଧ୍ୟରେ ଶିକ୍ଷକତା ଛାଡ଼ି ସେ ରାଜନୀତିରେ ପାଦ ଥାପିଥିଲେ।  ୧୯୬୭ରୁ ୧୯୭୧ ପର୍ଯ୍ୟନ୍ତ ସେ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୭୦ରେ ସେ କଂଗ୍ରେସ୍‌ ଦଳରେ ଯୋଗ ଦେଇଥିଲେ। ତା’ ପରଠାରୁ ଆଉ କେବେ ପଛକୁ ଫେରି ଚାହି ନାହାନ୍ତି ହେମାନନ୍ଦ। ଜୀବନରେ ଅନେକ ପଦପଦବିରେ ମଣ୍ଡିତ ହୋଇଥିବା ଏହି ଆଦିବାସୀ ନେତା ଜୀବନର ଶେଷ ସମୟ ପର୍ଯ୍ୟନ୍ତ କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରିଥିଲେ।

୧୯୭୪ରେ ପ୍ରଥମ ଥର ପାଇଁ ଅବିଭକ୍ତ ସମ୍ବଲପୁର ଜିଲ୍ଲା  ଲଇକେରା ନିର୍ବାଚନମଣ୍ଡଳୀରୁ ସେ ଓଡିଶା ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୪ରେ ସେ ସମ୍ବଲପୁର ଜିଲ୍ଲା କଂଗ୍ରେସ୍‌ ସଭାପତି ଦାୟିତ୍ବ ତୁଲାଇଥିଲେ। ଏହା ପରେ ୧୯୮୦ରୁ ୨୦୦୪ ପର୍ଯ୍ୟନ୍ତ ୬ ଥର ବିଧାୟକ ନିର୍ବାଚିତ ହୋଇଥିଲେ।  ୧୯୮୫ରୁ ୮୬ ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଜ୍ୟମନ୍ତ୍ରୀ ହୋଇଥିଲେ। ୭ ଡିସେମ୍ବର ୧୯୮୯ ରୁ ୫ ମାର୍ଚ୍ଚ ୧୯୯୯ ଓ ୬ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟୟ‌େର ସେ ମୋଟ ୧୭୮ ଦିନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଥିଲେ।

୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ଜାନକୀ ପଟ୍ଟନାୟକଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ। ସେ ମଧ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଆସନରୁ ନିର୍ବାଚିତ ହୋଇ ପଞ୍ଚଦଶ ଲୋକସଭାର ସଦସ୍ୟ ହୋଇଥିଲେ। ହେମାନନ୍ଦଙ୍କର ପତ୍ନୀ ଉର୍ମିଳା ଓ ଚାରି ଝିଅ ସବିତା, ସଂଯୁକ୍ତା, ସୁନିତା ଓ ଅମିତା ଅଛନ୍ତି। ଆଉ ଜଣେ ଝିଅ ମଞ୍ଜୁଲତାଙ୍କର ଗତ ବର୍ଷ ପରଲୋକ ହୋଇ ଯାଇଥିଲା। ସେତେବେଳେ ସେ ଗୋବିନ୍ଦପୁର ସମିତି ସଭ୍ୟା ଥିଲେ।

ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଓଡ଼ିଶା ରାଜ‌ନୀତକୁ ରାଜ ପରିବାର ତଥା ଅନେକ ପ୍ରତିପତ୍ତିଶାଳୀ ପରିବାରର ସଦସ୍ୟ ମାନେ ପ୍ରଭାବିତ କରି ଆସିଥିବାବେଳେ ପଙ୍କରୁ ପଦ୍ମ ଫୁଟିବା ଭଳି ଆଦିବାସୀ ଅଧ୍ୟୁଷିତ ଏକ ପଛୁଆ ଅଞ୍ଚଳରେ ଜନ୍ମଗ୍ରହଣ କରି ହେମାନନ୍ଦ ବିଶ୍ବାଳ ରାଜନୀତିର ଶୀର୍ଷ ସୋପାନରେ ପହଞ୍ଚି ପାରିଥିଲେ। ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ, ବିରେନ୍ ମିତ୍ର, ସଦାଶିବ ତ୍ରିପାଠୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିଶ୍ବନାଥ ଦାସ, ନନ୍ଦିନୀ ଶତପଥୀ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ ୧୨ତମ ବ୍ୟକ୍ତି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ହେମାନନ୍ଦ।

ହେଲେ ସେ ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ସ୍ବଳ୍ପ ଅବଧି ପାଇଁ ଦୁଇଥର ମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ହେମାନନ୍ଦ ରାଜ୍ୟର ଉପମୁଖ୍ୟମନ୍ତ୍ରୀ, ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ତଥା ସାଂସଦ ଭାବେ ଲୋକଙ୍କ ସେବା କରିଥିଲେ। ଭୂୟାଁ ଜନଜାତିର ହେମାନନ୍ଦ ଓଡ଼ିଶାର ଜଣେ ବିଶିଷ୍ଟ ଆଦିବାସୀ ନେତା ଭାବେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ପଶ୍ଚିମ ଓଡ଼ିଶା, ବିଶେଷ କରି ଅବିଭକ୍ତ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ଦଳର ମେରୁଖୁଣ୍ଟ ଭାବେ କାର୍ଯ୍ୟ କରିଥିଲେ।

ତାଙ୍କ ବଳିଷ୍ଠ ନେତୃତ୍ବ ବଳରେ ଏହି ଅଞ୍ଚଳ ପ୍ରାୟ ଅର୍ଧଶତାବ୍ଦୀ ଧରି କଂଗ୍ରେସ୍‌ର ଗଡ଼ ହୋଇ ରହିଥିଲା। ୧୯୭୪ରୁ ୭୭ ମସିହା ପର୍ଯ୍ୟନ୍ତ ପ୍ରଥମ ଥର ତଥା ୧୯୮୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଲଗାତାର ଆଉ ୫ ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ସେ ୬ ଥର ବିଧାୟକ ହୋଇଥିଲେ। ୨୦୦୯ ମସିହାରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମୋଟ ୩୨ ବର୍ଷ ସେ ସାଂସଦ ଓ ବିଧାୟକ ରହିଥିଲେ। ଏହା ପୂର୍ବରୁ ୪ ବର୍ଷ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧ୍ୟ ଥିଲେ।

ସମ୍ବନ୍ଧିତ ଖବର