ଭୁବନେଶ୍ବର : ରାଜ୍ୟ କଂଗ୍ରେସ ଦଳରେ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ବିଶେଷ କରି ବାପ-ଝିଅ ବା ପରିବାର ରାଜନୀତି ପ୍ରସଙ୍ଗ ନେଇ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଓ ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କାଙ୍କ ମଧ୍ୟରେ କଳି କଂଗ୍ରେସର ନିର୍ବାଚନ ପରାଜୟ ଜନିତ କ୍ଷତରେ ଲୁଣ ମାରିବା ସଦୃଶ ହୋଇଛି। ଦୀର୍ଘଦିନ ବ୍ୟବଧାନରେ ଉଭୟଙ୍କ କଳି ଏବଂ ବିଭିନ୍ନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ କାହ୍ନୁବାବୁଙ୍କ ପ୍ରସ୍ତାବ ଭଲ ଓ ସ୍ବାଗତଯୋଗ୍ୟ। ଜଣେ କଂଗ୍ରେସ ଲୋକ ଭାବେ ଦଳର ପରାଜୟ ତାଙ୍କୁ ବାଧିଛି। ତେଣୁ ସେ ଏପରି କଥା କହିଛନ୍ତି। କିନ୍ତୁ ତାଙ୍କର ଯାହା କହିବାର ଅଛି, ସେ ଏଆଇସିସିରେ କୁହନ୍ତୁ। ତେବେ ଯେଉଁମାନେ ଦଳରେ ଥାଇ ଘର କଥା ବାହାରେ କହୁଛନ୍ତି, ସେମାନେ କଂଗ୍ରେସର ଅଧିକ କ୍ଷତି କରୁଛନ୍ତି। ଦଳରେ ସନ୍ତୁଷ୍ଟ ଅସନ୍ତୁଷ୍ଟ, ଜିତିବା ଓ ହାରିବା ଏପରି କି ଛିଡ଼ା ନ ହେବା ଲୋକ ସମସ୍ତେ ଅଛନ୍ତି। ଏଥିପତି କଂଗ୍ରେସ ଲୋକ ସଚେତନ ହେବା କଥା। ପିସିସି ଭାଙ୍ଗି ନୂଆ କମିଟି କରିବାକୁ ସେ ପୂର୍ବରୁ କହିସାରିଛନ୍ତିି।
ଆୟୁଷ୍ମାନ ଯୋଜନା ସଂପର୍କରେ ପିସିସି ସଭାପତି କହିଲେ ଯେ ଭୋଟ ରାଜନୀତି ପାଇଁ ପୂର୍ବରୁ ନବୀନ ସରକାର ଆୟୁଷ୍ମାନ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ସେ ମୋଦୀଙ୍କର ନିକଟତର ହେବାକୁ ଚେଷ୍ଟା କରୁଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭେଟିବାରେ କୌଣସି ଅସୁବିଧା ନାହିଁ। ସମଦୂରତା ପ୍ରସଙ୍ଗ କେବେଠାରୁ ଗଲାଣି। ଯିଏ ରାଜ୍ୟ ସ୍ବାର୍ଥ ପାଇଁ ସହଯୋଗ କରିବ ତାକୁ ବିଜେଡି ସମର୍ଥନ କରିବ। ଭୋଟ ପାଇଁ ଚାଲିଥିବା ନାଟକର ସମୟ ସରିଲାଣି। ଏବେ ନୂଆ ସରକାର କାମ କରିବ। ମାଓବାଦୀ, ପୋଲାଭରମ୍, ମହାନଦୀ ଜଳ ସଙ୍କଟ, ବେକାରି ଭଳି ରାଜ୍ୟର ଅନେକ ପ୍ରସଙ୍ଗ ରହିଛି। ରାଜ୍ୟର ଅର୍ଥାଭାବ ବି ଥାଇପାରେ। ସେଥିପାଇଁ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରୁଛନ୍ତିି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍ କରାଇବା ଘଟଣା ଦୁଃଖଦାୟକ। ସେଭଳି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଶୃଙ୍ଖଳିତ କରିବା ଦରକାର ବୋଲି ସେ କହିଥିଲେ। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ କଂଗ୍ରେସ ଦଳ ଲୋକଙ୍କ ନିକଟକୁ ଯିବ। ପାଟକୁରା ନିର୍ବାଚନରେ କଂଗ୍ରେସ ଦଳର ଲଢ଼େଇ ନେଇ ସେ କହିଲେ ଯେ ବିଜେଡି-ବିଜେପିର ଅର୍ଥବଳ, ବାହୁବଳ, ସରକାରୀ କଳ ସହିତ କଂଗ୍ରେସ ଦଳକୁ ତୁଳନା କରିବା କଥା ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/iranjan-final.jpeg)