ଭୁବନେଶ୍ବର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତାରେ ମୋଦୀ କହିଛନ୍ତି ଯେ ଦୀର୍ଘବର୍ଷ ଧରି ସ୍ବର୍ଗତ ବିଶ୍ବାଳ ସାଧାରଣ ଜୀବନରେ ସକ୍ରିୟ ଥିଲେ। ଲୋକଙ୍କ ପାଇଁ ଅନେକ କାର୍ଯ୍ୟ କରିଥିଲେ। ସ୍ବର୍ଗତ ବିଶ୍ବାଳଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି।

Advertisment

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ମଧ୍ୟ ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଓଡିଶାର ପ୍ରଗତିରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଜନମାନସରେ ଚିର ସ୍ମରଣୀୟ ରହିବେ ବୋଲି ରାଜ୍ୟପାଳ ଶୋକବାର୍ତାରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହେମାନନ୍ତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ବିଶ୍ବାଳ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଥିଲେ। ସମାଜର ଅବହେଳିତ ବର୍ଗର‌ ଲୋକଙ୍କ ଉନ୍ନତି ତଥା ରାଜ୍ୟର ସାମୂହିକ ପ୍ରଗତି ପାର୍ଇ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବାର୍ତାରେ କହିଛନ୍ତି, ‌ବରିଷ୍ଠ ନେତା ହେମାନନ୍ଦଙ୍କ ବିୟୋଗରେ ଓଡ଼ିଶା ଜଣେ ଦକ୍ଷ, ବିରଳ ଓ ଅନୁଭବୀ ରାଜନୀତିଜ୍ଞଙ୍କୁ ହରାଇଲା। ରାଜ୍ୟର ଜନଜାତିଙ୍କ ପାଇଁ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ତାଙ୍କ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ରୀ ପ୍ରଧାନ ସମବେଦନା ଜଣାଇଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକବାର୍ତାରେ କହିଛନ୍ତି ଯେ କଲେଜରେ ପଢ଼ିବା ସମୟରୁ ସ୍ବର୍ଗତ ବିଶ୍ବାଳଙ୍କ ସହିତ ସଂପର୍କ ଥିଲା। ତୃଣମୂଳସ୍ତରୁ ଜନସେବା କରିବା ପାଇଁ ସେ ପ୍ରତିଜ୍ଞାବଦ୍ଧ ଥିଲେ। କଂଗ୍ରେସ ଦଳରେ ବହୁ ପଦପଦବିରେ ରହି କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ସର୍ବଦା ଚେଷ୍ଟିତ ଥିଲେ। ତାଙ୍କୁ କଂଗ୍ରେସ ଦଳର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବନାହିଁ। ତାଙ୍କର ମୃତ୍ୟୁ ରାଜ୍ୟ ରାଜନୀତିରେ ବିଶେଷକରି କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, କୃଷି ମନ୍ତ୍ରୀ ଅରୁଣ ସାହୁ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଭୂପିନ୍ଦର ସିଂହ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ବିଜେପି ର‌ାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପିସିସି ମୁଖପାତ୍ର ଗୋବିନ୍ଦ ଭୂୟାଁ, ପିସିସି କିଷାନ ସେଲର ଅଧ୍ୟକ୍ଷ ଅମିୟ ପଟ୍ଟନାୟକ, ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କା, ଏଆଇସିସି ସଦସ୍ୟ ହଳଧର ସେଠୀ ଓ ଅନ୍ୟମାନେ ଶୋକ ପ୍ରକାଶ କରିଛନ୍ତି।