କୋଭିଡ-୧୯ ପରଚେଜ୍ କମିଟିରୁ ହେମନ୍ତ ଶର୍ମା ବିଦା ହେଲେ କାହିଁକି?

କୋଭିଡ୍ ସାମଗ୍ରୀ କିଣା ନେଇ ଅକଳରେ ସରକାର
କମ୍ପିଲେଣି ବିରୋଧୀ, ସିବିଆଇ ତଦନ୍ତ ଦାବି ଉଠିଲା
ବିଜେଡି କହିଲା, ଦୁର୍ନୀତି ହୋଇଥିଲେ ଛଡ଼ାଯିବନି

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଭଳି ବୃଦ୍ଧି ପାଇବାରେ ଲାଗିଛି, ଠିକ୍ ସେମିତି ସରକାରଙ୍କ କୋଭିଡ଼୍ ମୁକାବିଲା ପ୍ରସଙ୍ଗ ମଧ୍ୟ ବିବାଦରେ ଛନ୍ଦି ହେବା ଆରମ୍ଭ କଲାଣି। ରାଜ୍ୟରେ କୋଭିଡ୍ ସାମଗ୍ରୀ କିଣିବା ପାଇଁ ସରକାର ଯେଉଁ କମିଟି ଗଠନ କରିଥିଲେ, ସେଥିରୁ ବରିଷ୍ଠ ଆଇଏଏସ୍ ଅଫିସର ତଥା ଶିଳ୍ପବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ବିଦା କରିଦେଇଛନ୍ତି। ଗତ ଜୁନ୍ ୧ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି ହୋଇଥିଲେ ହେଁ, ପ୍ରସଙ୍ଗଟି ସାମ୍ନାକୁ ଆସିପାରିନଥିଲା।

କାହିଁକି ହଠାତ୍ ସରକାର ଶ୍ରୀ ଶର୍ମାଙ୍କୁ ଏଭଳି ଏକ ଦାୟିତ୍ବରୁ ହଟାଇଲେ, ସେ ନେଇ କେହି ମୁହଁ ଖୋଲିବାକୁ ନାରାଜ। ସାଧାରଣ ପ୍ରଶାସନ ବିଭାଗ ନିର୍ଦେଶାନାମାରେ କୁହାଯାଇଛି ଯେ ମାର୍ଚ୍ଚ ୨୩ ତାରିଖରେ ଶ୍ରୀ ଶର୍ମାଙ୍କୁ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ସହଯୋଗ କରିବାକୁ କୁହାଯାଇଥିଲା। ସେ ମାସ୍କ, ପିପିଇ, େକାଭିଡ଼୍ ସଂକ୍ରାନ୍ତ ଅନ୍ୟାନ୍ୟ ଉପକରଣ ଆଦି କିଣା ବ୍ୟବସ୍ଥାର ତଦାରଖ କରିବେ। ଏବେ ସେ ନିର୍ଦେଶନାମାକୁ ରଦ୍ଦ କରାଗଲା।

ଏହି ଚିଠି ଗୋଟିଏ ସଙ୍କେତ ଦେଉଛି ଯେ ରାଜ୍ୟରେ କୋଭିଡ଼୍ ପାଇଁ ସରକାର ଯେବେଠୁ ପ୍ରସ୍ତୁତି ଆରମ୍ଭ କରିଥିଲେ, ସେବେଠାରୁ ଶ୍ରୀ ଶର୍ମାଙ୍କ ନିଯୁକ୍ତି ହେଲାଣି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, କୋଭିଡ୍ ବା କରୋନା ମୁକାବିଲା ପାଇଁ ଯେ‌ତେସବୁ ସାମଗ୍ରୀ କିଣା ହୋଇଥିଲା ତାହାର ତଦାରଖ ଶ୍ରୀ ଶର୍ମା କରୁଥିଲେ। ନା ପୂର୍ବତନ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳଙ୍କର ସେଥିରେ କୌଣସି ଭୂମିକା ଥିଲା ନା ବର୍ତମାନ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କର ରହିଛି।

ତେବେ କେଉଁ ପରିସ୍ଥିତିରେ ସ୍ବାସ୍ଥ୍ୟ ବିଭାଗର କ୍ରୟ ପ୍ରକ୍ରିୟାରେ ଶ୍ରୀ ଶର୍ମାଙ୍କୁ ସାମିଲ କରାଯାଇଥିଲା, ସେ ବିଭାଗରେ ଅନ୍ୟ ଜଣେ ପ୍ରମୁଖ ସଚିବ ଥିବା ବେଳେ କେଉଁ କାରଣ ପାଇଁ ସମାନ ପାହ୍ୟାର ଜଣେ ଅଧିକାରୀଙ୍କୁ ଏଥିପାଇଁ (କ୍ରୟ) ବଛାଗଲା, ସର୍ବୋପରି ଉଭୟ ଶ୍ରୀ ମହାପାତ୍ର (ବର୍ତମାନ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ) ଓ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ପ୍ରମୁଖଙ୍କ ଭଳି ଏକାଧିକ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ଥିବା ବେଳେ ସରକାର କାହିଁକି ସେମାନଙ୍କୁ ବିଶ୍ବାସକୁ ନେଲେ ନାହିଁ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି। ପୁଣି ଏବେ କୋଭିଡ଼୍ ସ୍ଥିତି ସଙ୍ଗିନ୍ ଅବସ୍ଥାରେ ଥିବା ବେଳେ ତାଙ୍କୁ ଏ ଦାୟିତ୍ବରୁ ସରକାର କାହିଁକି ବିଦା କଲେ? ସବୁ ସାମଗ୍ରୀ କିଣା ହୋଇଗଲା, ଆଉ କଣ ହେବନି?

ମାସ୍କ, ପିପିଇ ଆଦି କିଣାଯିବା ପ୍ରସଙ୍ଗ ନେଇ ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ସମଗ୍ର ଓଡ଼ିଶାରେ କମ୍ପନ ସୃଷ୍ଟି ହୋଇଥିଲା। ଏହି କାରବାରରେ ଅନିୟମିତତାର ଗନ୍ଧ ବାହାରିଥିଲା। କୌତୂହଳ କଥା ହେଲା, ସରକାର ବିଭିନ୍ନ କଂପାନିକୁ ମାସ୍କ ଆଦି କିଣିବା ଲାଗି ନିର୍ଦେଶ ଦେଇଥିଲେ ହେଲେ ହେଁ, ଏହି ଖବର ପ୍ରକାଶ ପାଇବା ପରେ ଏସବୁ ଆଉ ଉଠିନଥିଲା। ପରିଣାମ ହେଲା ପାଖାପାଖି ୨୯ଟି କୋଭିଡ୍ ମୁକାବିଲା ସାମଗ୍ରୀ ଆଣିଆସିଥିବା ଟ୍ରକ୍‌ ରାସ୍ତା ଉପରେ ଠିଆ ହୋଇଥିଲେ। ଏହାକୁ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ଅକଳରେ ପଡ଼ିଯାଇଥିଲେ। ମାସ୍କ, ଭେଣ୍ଟିଲେଟର, ସାନିଟାଇଜର ଭର୍ତି ଟ୍ରକଗୁଡ଼ିକୁ ଫେରାଇବାକୁ ପଡ଼ିଥିଲା।

ଏହି ଘଟଣାରେ ସରକାର କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। କେଉଁ କାରଣ ପାଇଁ ଏସବୁ ସାମଗ୍ରୀ ଆସିଲା? ଯଦି ଆବଶ୍ୟକ ନଥିଲା, ତେବେ କିଏ ଏମାନଙ୍କୁ କିଣା ନିର୍ଦେଶନାମା ଜାରି କରିଥିଲେ? କାହିଁକି ପୁଣି ଏସବୁ ଉଠାଗଲା ନାହିଁ? ଏସବୁକୁ ନେଇ ଚର୍ଚ୍ଚା ଜାରି ରହିଛି। ଠିକ୍ ଏମିତି ସମୟରେ ଶ୍ରୀ ଶର୍ମାଙ୍କୁ ଅବ୍ୟାହତି ଦିଆଯିବା ଘଟଣା ବିଭିନ୍ନ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି।

ତେବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ରାଜନୈତିକ ଦଳଗୁଡ଼ିକ କମ୍ପିଲେଣି। କଂଗ୍ରେସ ସମସ୍ତ ସାମଗ୍ରୀ କିଣା ଘଟଣାର ସିବିଆଇ ତଦନ୍ତ ଦାବି କରିଛି। କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ଏଭଳି ଦାବି ରଖିଛନ୍ତି। ପରେ ଦଳର ଆଉ କିଛି ନେତା ଇତିମଧ୍ୟରେ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ ଦୁର୍ନୀତିର ଗନ୍ଧ ବାହାରୁଥିବା ଅଭିଯୋଗ କରିଛନ୍ତି। ସେହିପରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମାସ୍କ ଓ ପିପିଇ କିଟ୍ କିଣାରେ ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଅନ୍ୟପକ୍ଷରେ ବିଜେଡି ନେତା ଶଶୀଭୂଷଣ ବେହେରା କହିଛନ୍ତି ଯେ କୌଣସି ଦୁର୍ନୀତିକୁ ନବୀନ ସରକାର ପ୍ରଶୟ ଦେଇନାହାନ୍ତି। ଯଦି ହେମନ୍ତ ଶର୍ମାଙ୍କ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ଥିବ; ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର