ଇଡ୍‌କୋ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ହେମନ୍ତ ଶର୍ମା

ଭୁବନେଶ୍ବର : ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଗତକାଲି ଅପରାହ୍ଣରେ ଇଡ୍‌କୋର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଇଡ୍‌କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଏହାର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି।

ପରିଚାଳନା ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ

ପ୍ରଥମ ଦିନରେ ଶ୍ରୀ ଶର୍ମା ଇଡ୍‌କୋର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହି ବୈଠକରେ ସେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଚଳିତ ୫-ଟି କାର୍ଯ୍ୟପ୍ରକ୍ରିୟାର ଯୋଜନା ଉପରେ ଗୁରୁତ୍ବାରୋପ କରିଥିଲେ ଏବଂ ୫-ଟିର ବିଭିନ୍ନ ନିୟମାବଳୀକୁ ଅନୁସରଣ କରି କାର୍ଯ୍ୟ ସମ୍ପାଦନ କରିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାନ ତଥା ଶିଳ୍ପ ଉଦ୍ୟୋଗୀମାନଙ୍କୁ ରାଜ୍ୟରେ ବୃହତ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ପୁଞ୍ଜିଲଗାଣ ନିମନ୍ତେ କିଭଳି ଆକର୍ଷିତ କରାଯାଇପାରିବ, ତାହା ଉପରେ ଗୁରୁତ୍ବାରୋପ କରିଥିଲେ। ଏହା ସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ଉନ୍ନତି ଓ ବିକାଶକୁ ପ୍ରାଧାନ୍ୟ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏଥି ନିମନ୍ତେ ଉକ୍ତ ପ୍ରତିଷ୍ଠାନଗୁଡ଼ିକଠାରୁ ଆସୁଥିବା ଅଭିଯୋଗଗୁଡ଼ିକୁ ସମ୍ବେଦନଶୀଳତାର ସହ ଗ୍ରହଣ କରି ତାହାର ତୁରନ୍ତ ପ୍ରତିକାର ତଥା ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇଡ୍‌କୋରେ ପ୍ରଚଳିତ ଭୂମି ଆବଣ୍ଟନ ଏବଂ ଭୂମି ଆବଣ୍ଟନ ପରବର୍ତ୍ତୀ ସେବା ପ୍ରଦାନର ପ୍ରକ୍ରିୟାକୁ ତ୍ବରିତ ବେଗରେ କାର୍ଯ୍ୟକ୍ଷମ କରାଇ ଶିଳ୍ପଦ୍ୟୋଗୀମାନଙ୍କର ବିଭିନ୍ନ ଅସୁବିଧାଗୁଡ଼ିକର ଯଥାଶୀଘ୍ର ସମାଧାନ କରିବା ନିମନ୍ତେ ଶ୍ରୀ ଶର୍ମା କହିଥିଲେ।

ଏହି ବୈଠକରେ ଇଡ୍‌କୋର ମୁଖ୍ୟ ମହାପ୍ରବନ୍ଧକ (ପ୍ରଶାସନ) ଗଣେଶ୍ଵର ଜେନା, ମୁଖ୍ୟ ମହାପ୍ରବନ୍ଧକ(ଭୂମି) ବିଜୟ କୁମାର ଦାଶ, ମୁଖ୍ୟ ମହାପ୍ରବନ୍ଧକ (ଏମ୍‌ଏସ୍‌ଏମ୍‌ଇ) କୁଶଧର ମହାନ୍ତ, ମୁଖ୍ୟ ମହାପ୍ରବନ୍ଧକ (ଅର୍ଥ) ସୁକାନ୍ତ ପ୍ରସାଦ ଦାଶ, ମୁଖ୍ୟ ମହାପ୍ରବନ୍ଧ (ପରିବେଶ) ଅଶୋକ କୁମାର ମିଶ୍ର, ମୁଖ୍ୟ ମହାପ୍ରବନ୍ଧକ (ଯୋଜନା ଏବଂ ସମନ୍ବୟ) ବିଜୟ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟ ମହାପ୍ରବନ୍ଧକ(ସିଭିଲ) ଅଶ୍ବିନୀ କୁମାର ବିଶ୍ବାଳ, ଇଡ୍‌କୋ କର୍ମଚାରୀ ସଂଘର ପ୍ରତିନିଧି ବୃନ୍ଦ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର