ବାହୁଡ଼ିଗଲେ ହେମନ୍ତ ପ୍ରଧାନ: ବୃତ୍ତିଗତ ନିଷ୍ଠାର ପୂଜାରୀ

ଉତ୍କଳ ବିଶ୍ବବିଦ୍ୟାଳୟ କାର୍ମିକ ପ୍ରବନ୍ଧନ, ଶ୍ରମ କଲ୍ୟାଣ ବା ମାନବ ସମ୍ବଳ ବିଭାଗର ଛାତ୍ର ଥିଲେ ସେ। ଭିନ୍ନ ଏକ ପାଠ୍ୟକ୍ରମରେ ପାଠ ପଢ଼ିବା ପଛରେ ତାଙ୍କର ଯେ ଏକ ବିରାଟ ଲକ୍ଷ୍ୟ ଥିଲା, ପରବର୍ତ୍ତୀ ସମୟର ଚାକିରି ଜୀବନରେ ତାହା ପ୍ରତିପାଦିତ ହୋଇଥିଲା। ବୃତ୍ତିଗତ ନିଷ୍ଠା ବଳରେ ନିଜର ସ୍ବତନ୍ତ୍ର ପରିଚୟ ଦେଇଥିବା ଏହି ବ୍ୟକ୍ତି ହେଉଛନ୍ତି ହେମନ୍ତ ପ୍ରଧାନ।

କଟକ ଜିଲ୍ଲା ଶଙ୍ଖମୁହଁର ରାମେଶ୍ବର ନିବାସୀ ଲକ୍ଷ୍ମୀଧର ପ୍ରଧାନ ଓ ଅହଲ୍ୟା ପ୍ରଧାନଙ୍କ ସୁପୁତ୍ର ହେଉଛି ହେମନ୍ତ ପ୍ରଧାନ। ରାମେଶ୍ବରର ଲାଲବାହାଦୁର ମେମୋରିଆଲ ହାଇସ୍କୁଲରୁ ସେ ସ୍କୁଲ୍‌ ଶିକ୍ଷା ଆରମ୍ଭ କରିଥିଲେ। ଏହାପରେ, ସେ କଟକ ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସ୍ନାତକ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ଓଡିଶା ଶ୍ରମ ବିଭାଗରେ ଯୋଗଦାନ କରିଥିଲେ। ଚାକିରି ଜୀବନ କାଳରେ ଶ୍ରମିକଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ ସେ ଯଥେଷ୍ଟ ଧ୍ୟାନ ଦେଉଥିଲେ। ଏମିତି ବି ନଜିର୍‌ ରହିଛି, ଶ୍ରମିକଙ୍କ ସ୍ବାର୍ଥକୁ ଜଗି ସେ ବଡ଼ବଡ଼ ଉଦ୍ୟୋଗୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିପାଇଁ ବୃତ୍ତିଗତ ଜୀବନରେ ବି ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି।

ବରଗଡ଼ ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ ଭାବେ କାର୍ଯ୍ୟ କରୁଥିବାବେଳେ ଗତ ସେପ୍ଟେମ୍ବର ୧୫ ତାରିଖରେ ହୃଦ୍‌ଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଛି। ଏମିତି ଏକ ସମୟରେ, ଯେତେବେଳେ ସେ ପ୍ରତିଦିନ ଅଫିସ୍‌ ଯାଇ କରୋନା ପ୍ରଭାବିତ ଶ୍ରମିକଙ୍କ ପାଇଁ ପ୍ରଶଂସନୀୟ କାର୍ଯ୍ୟ କରୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଶିକ୍ଷୟିତ୍ରୀ ପତ୍ନୀ ବୈଜୟନ୍ତୀ ବିଶ୍ବାଳ ଓ ଇଞ୍ଜିନିୟରିଂ ପଢୁଥିବା ଏକମାତ୍ର ଝିଅ ଲୋପାମୁଦ୍ରା ଓ ତାଙ୍କ ସାନ ଭାଇ ପ୍ରଭାତ ପ୍ରଧାନ ଏବେ ଶୋକସାଗରରେ ବୁଡ଼ି ରହିଛନ୍ତି। ତାଙ୍କ ଅବର୍ତ୍ତମାନର ଶୂନ୍ୟତାକୁ ଅନୁଭବ କରୁଛନ୍ତି। ତାଙ୍କର ଏହି ଅସମୟ ବିୟୋଗ ଶ୍ରମିକ ବିଭାଗ ଓ ମାନବ ସମ୍ବଳ ବିଭାଗ ସର୍ବୋପରି ଶ୍ରମିକ ସମାଜ ପାଇଁ ଯେ ଏକ ଅପୂରଣୀୟ କ୍ଷତି। ତାଙ୍କ ଆତ୍ମାର ସଦ୍‌ଗତି ହେଉ, ଏହା ହିଁ ପ୍ରାର୍ଥନା।

ସମ୍ବନ୍ଧିତ ଖବର