ଜଗତସିଂହପୁର: ନିକଟରେ ଆସିଥିବା ବାତ୍ୟା ‘ଦାନା’ କେନ୍ଦ୍ରାପଡ଼ାର ହବାଳିଖଟିରେ ସ୍ଥଳଭାଗ ଛୁଇଁଲା। କେନ୍ଦ୍ରାପଡ଼ାଭଦ୍ରକ ଉପକୂଳରେ କ୍ଷୟକ୍ଷତି ହେଲା। କେନ୍ଦ୍ରାପଡ଼ା ଉପକୂଳରେ ବ୍ୟାପକ ହେନ୍ତାଳ ବଣ ପାଇଁ ବାତ୍ୟାର ପ୍ରଭାବ ଯଥେଷ୍ଟ କମିଗଲା ବୋଲି କୁହାଯାଉଛି। ଜଙ୍ଗଲ ବିଭାଗ, ପରିବେଶବିତ୍ ଏ ସଂକ୍ରାନ୍ତରେ ଦୃଢ଼ ଯୁକ୍ତି ଉପସ୍ଥାପନ ମଧ୍ୟ କରିଛନ୍ତି। ବାତ୍ୟା, ସାମୁଦ୍ରିକ ଜୁଆରକୁ ରୋକିବା ପାଇଁ ହେନ୍ତାଳ ବଣକୁ ସଂଜୀବନୀ ବୋଲି କୁହାଯାଉଛି। କେନ୍ଦ୍ରାପଡ଼ାର ଭିତରକନିକା ଆଖପାଖ ଅଞ୍ଚଳ ଭଳି ଜଗତସିଂହପୁର ଉପକୂଳରେ ହେନ୍ତାଳ ବଣ ଥିଲେ ୧୯୯୯ ମହାବାତ୍ୟାରେ ପ୍ରକୋପ କମ ରହିଥାନ୍ତା ବୋଲି ବି ଆକଳନ କରାଯାଉଛି। କିନ୍ତୁ ୧୯୯୯ ତୁଳନାରେ ଏବେ ସ୍ଥିତି ଅଧିକ ସଙ୍ଗିନ ହେବାରେ ଲାଗିଛି। ଚିଙ୍ଗୁଡ଼ି ଚାଷ ପାଇଁ ଏରସମାରେ ହେନ୍ତାଳ ବଣ ସଫା କରି ଚାଲିଛନ୍ତି ମାଫିଆ। ଖାଲି ଏରସମା ନୁହେଁ, ପାରାଦୀପ ଉପକୂଳରେ ମଧ୍ୟ କେତେକ ସ୍ଥାନରେ ହେନ୍ତାଳ ବଣ କଟା ଚାଲିଛି।

Advertisment

   ତଥ୍ୟ ଅନୁଯାୟୀ ଏରସମାର ସମୁଦ୍ରକୂଳକୁ ଲାଗି କରି ରହିଥିବା ଗାଁ ଗୁଡ଼ିକରେ ସର୍ବାଧିକ ଚିଙ୍ଗୁଡ଼ି ଘେରି ରହିଛି। ଚିଙ୍ଗୁଡ଼ି ଘେରି କରିବା ପାଇଁ ହେନ୍ତାଳ ବଣକୁ କଟା ଯାଉଛି। ସେହିପରି ସମୁଦ୍ରରୁ ସଂଯୋଗ ହୋଇଥିବା ନଦୀ ବାଟ ଦେଇ ଲୁଣା ପାଣି ଆସିବା ସହ ଏହା ଘେରି ପର୍ଯ୍ୟନ୍ତ ଆଣିବା ପାଇଁ ଖନନ କରାଯାଇଛି। ସେହି ପାଣି ଆସିବା ବାଟରେ ଯେଉଁ ଜଙ୍ଗଲ ରହୁଛି ତାହାକୁ ସଫା କରି ଦେଉଛନ୍ତି ମାଫିଆ। ଏରସମାର ଗଡ଼ହରିଶପୁରଠାରୁ ରାମତରା ପର୍ଯ୍ୟନ୍ତ ଥିବା ଲୁଣା ଜଙ୍ଗଲ ଅବାଧରେ କଟା ଚାଲିଛି। କେବଳ ବରୁଆ ଜଙ୍ଗଲକୁ ଛାଡ଼ି ଦେଲେ ଅନ୍ୟ ସ୍ଥାନରେ ଲୁଣା ଜଙ୍ଗଲ କଟାଯାଇ ଚିଙ୍ଗୁଡ଼ି ଘେରି ତିଆରି କରାଯାଉଛି। ଏକର ଏକର ଝାଉଁ ଜଙ୍ଗଲ ବି କଟା ଚାଲିଛି। ଯାହାର ପ୍ରଭାବ ମଧ୍ୟ ଉପକୂଳରେ ଯଥେଷ୍ଟ ପଡ଼ିଲାଣି। ଗଡ଼ହରିଶପୁରଠାରୁ ରାମତରା ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ଉପକୂଳ କ୍ଷୟ ହୋଇ ଚାଲିଛି।

ଶିଳ୍ପାୟନ, ଜାଳେଣି, ଡଙ୍ଗା ତିଆରି ପାଇଁ ବି କଟାଯାଉଛି ଜଙ୍ଗଲ  
ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବଢୁଛି ବିପଦ
ବନ ବିଭାଗ ଚୁପ୍‌, କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନର ପଛଘୁଞ୍ଚା

ସମୁଦ୍ର ମଧ୍ୟ ଜନବସତି ମୁହାଁ ହେଲାଣି। ୧୯୯୯ ମହାବାତ୍ୟାଠାରୁ ଏଯାଏଁ ପ୍ରାୟ ୧ରୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଉପକୂଳ ଆଡ଼କୁ ମାଡ଼ି ମାଡ଼ି ଆସିଲାଣି। ଫଳସ୍ବରୂପ ଶିଆଳି ଭ୍ୟୁ ଟାଵାରକୁ ମଧ୍ୟ ପ୍ରଶାସନକୁ ଭାଙ୍ଗିବାକୁ ପଡ଼ିଲା। ସମୁଦ୍ର ଉପକୂଳ କ୍ଷୟକୁ ରୋକିବା ସହ ବାତ୍ୟା ସମୟରେ ଜୁଆର ଗତିକୁ ଅଟକାଇବା ଲାଗି ଏକମାତ୍ର ସୁରକ୍ଷା କବଚ ହେଉଛି ହେନ୍ତାଳ ବଣ। କିନ୍ତୁ ଏହାକୁ ମାଫିଆମାନେ କାଟି ନିୟମିତ ଜଙ୍ଗଲ କ୍ଷୟ କରି ଚାଲିଛନ୍ତି। ସେହିପରି ମୂଷାଡ଼ିଆ, କଂସାରିପାଟିଆ, ଷଣ୍ଢକୁଦ-ନୂଆଗାଁ ରାସ୍ତାକଡ଼, ନେହରୁ ବଙ୍ଗଳା ଅଞ୍ଚଳରେ ମଧ୍ୟ ଅବାଧରେ ଲୁଣା ଓ ଝାଉଁ ଜଙ୍ଗଲ କଟା ଚାଲିଛି। ଯାହା ଏବେ ଚିନ୍ତାର କାରଣ ହୋଇଛି। ଜାଳେଣି କାଠ, ଡଙ୍ଗା ତିଆରି ପାଇଁ ଗଛ କଟା ଚାଲିଛି। ଜଙ୍ଗଲ ଜମି ଅକ୍ତିଆର ଯୋଗୁ ଲୁଣା ଜଙ୍ଗଲକୁ ଜୁଆର ପାଣି ଆସିବା ବାଟ ବନ୍ଦ ହୋଇ ଯାଉଥିବାରୁ ଗଛ ଆପେ ଆପେ ମରି ଯାଉଛି। ସେହିପରି ଶିଳ୍ପ, ରାସ୍ତା ପାଇଁ ମଧ୍ୟ ଗଛ ବଳି ପଡ଼ୁଛି ବୋଲି କହିଛନ୍ତି ଲୁଣା ଜଙ୍ଗଲ ସୃଷ୍ଟି ଦିଗରେ କାମ କରୁଥିବା ପରିବେଶବିତ୍ ବିଶ୍ବଜିତ ସାମଲ।

ଏ ପ୍ରସଙ୍ଗକୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ବନ ବିଭାଗ ନିକଟରେ ମଧ୍ୟ ଏ ବାବଦରେ ଖବର ଅଛି। ବିଶେଷ କରି ଗଡ଼ହରିଶପୁରରୁ ରାମତରା ପର୍ଯ୍ୟନ୍ତ ହେନ୍ତାଳ ଓ ଝାଉଁ ଜଙ୍ଗଲ ଅବାଧରେ କଟା ଚାଲିଛି। ମହାବାତ୍ୟା ବେଳେ ଜୁଆର ଆସିବାରୁ ଏ ସବୁ ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଓ ବ୍ୟାପକ ଧନଜୀବନ ନଷ୍ଟ ହୋଇଥିଲା। କିନ୍ତୁ ୨୫ ବର୍ଷ ଭିତରେ ବ୍ୟାପକ ଜଙ୍ଗଲ କଟା ଯାଇଥିବାରୁ ଯଦି ୧୯୯୯ ମହାବାତ୍ୟା ଭଳି ଜୁଆର ଆସେ, ତାହେଲେ ପରିସ୍ଥିତି ଆହୁରି ଭୟାବହ ହେବ ବୋଲି ଆଶଙ୍କା କରାଯାଉଛି।