ଗାଁ ପାଖକୁ ମାଡ଼ିଆସିଲାଣି ସମୁଦ୍ର, ବିଲୁପ୍ତ ହେଉଛି ହେନ୍ତାଳ ବଣ

ଚିଙ୍ଗୁଡ଼ି ଘେରି ପାଇଁ ଭାଙ୍ଗୁଛି ଲୁଣାବନ୍ଧ

ଭଦ୍ରକ : ଭଦ୍ରକ ଜିଲ୍ଲାର ଉପକୂଳ ଅଞ୍ଚଳରେ ଥିବା ହେନ୍ତାଳ ବଣ ଦିନକୁ ଦିନ ବିଲୁପ୍ତ ହେବାରେ ଲାଗିଛି। ଫଳରେ ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ୍‌ର ଅନେକ ଅଞ୍ଚଳ ପ୍ରତି ବିପଦ ଦେଖା‌ଦେଇଛି । ଚାନ୍ଦବାଲି, ଧାମରା, କସିଆ, ବାସୁଦେବପୁର, ବିଦେଇପୁର, ଚୂଡ଼ାମଣି, ଇରମ ସହ ବିସ୍ତୃତ ଅଞ୍ଚଳ ଏବେ ବିପଦରେ। ସମୁଦ୍ରର ଆଁ ଭିତରକୁ ଠେଲି ହୋଇଯାଉଛି ଏହି ସବୁ ଅଞ୍ଚଳର ଅନେକ ଗାଁ। ପ୍ରତିବର୍ଷ ବାତ୍ୟା ଆସୁଥିବା ବେଳେ ସମୁଦ୍ର ଜୁଆର ଗାଁ ଭିତରକୁ ପଶିଯାଉଛି। ହେନ୍ତାଳ ବଣ ଏହି ସବୁ ଜୁଆର ଢେଉକୁ ଅଟକାଇବାରେ ସହାୟକ ହେଉଥିଲା। ତେବେ ନିକଟରେ ଆସିଥିବା ବାତ୍ୟା ‘ୟାସ୍‌’ର ଗତିପଥ ବଦଳାଇବାରେ ହେନ୍ତାଳ ବଣର ଭୂମିକା ଅନେକ ରହିଥିଲା। ଭିତରକନିକା ଓ ଧାମରା ଉପକୂଳରେ ଥିବା ହେନ୍ତାଳ ବଣରେ ଆଘାତ ପାଇ ବାତ୍ୟାର ପ୍ରଭାବ ହ୍ରାସ ହୋଇଥିଲା ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଥିଲେ। ପୂର୍ବରୁ ଏ ସବୁ ଅଞ୍ଚଳରେ ଯେଉଁ ପରିମାଣର ହେନ୍ତାଳ ବଣ ଥିଲା ତାହା ଏବେ ଉଦ୍‌ବେଗଜନକ ଭାବେ ହ୍ରାସ ପାଇଛି। ନୂଆ ହେନ୍ତାଳ ବଣ ସୃଷ୍ଟି ଦିଗରେ ବନ ବିଭାଗ ଦୃଷ୍ଟି ଦେଉନି।

ରାଜ୍ୟରେ ସମୁଦ୍ର ଉପକୂଳରେ ରହିଥିବା ପ୍ରାୟ ୨୫୧ ବର୍ଗ କିମି ପରିବ୍ୟାପ୍ତ ହେନ୍ତାଳ ବଣ କ୍ରମଶଃ ନଷ୍ଟ ହେବାରେ ଲାଗିଛି। ୨୦୧୧ ମସିହାରୁ ୨୦୨୦ ମସିହା ମଧ୍ୟରେ ପ୍ରାୟ ୨୧ ବର୍ଗ କିମି ହେନ୍ତାଳ ବଣ ନଷ୍ଟ ହୋଇଥିଲେ ମଧ୍ୟ ଏ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ରାଜ୍ୟରେ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୮୩ ବର୍ଗ କିମି ହେନ୍ତାଳ ବଣ ରହିଥିବା ବେଳେ ଭଦ୍ରକ ଜିଲ୍ଲା ଉପକୂଳରେ ୨୧ ବର୍ଗ କିମି ହେନ୍ତାଳ ବଣ ରହିଛି। ଜଗତସିଂହପୁର ଜିଲ୍ଲାରେ ୭ ବର୍ଗ କିମି, ବାଲେଶ୍ବର ଜିଲ୍ଲାରେ ମାତ୍ର ୨ ବର୍ଗ କିମି ହେନ୍ତାଳ ବଣ ରହିଛି। ଏହି ବଣରେ ୧୬୦ ପ୍ରଜାତିର ଗୁଳ୍ମଲତା ରହିଛି। ମାତ୍ର ଏ ସବୁ ଜଙ୍ଗଲ ନଷ୍ଟ କରିବସତି ସ୍ଥାପନ ସହ ବେଆଇନ ଚିଙ୍ଗୁଡ଼ି ଘେରି ପାଇଁ ଉପକୂଳରେ ହେନ୍ତାଳ ବଣ ନଷ୍ଟ ହେବାରେ ଲାଗିଛି।

ସମୁଦ୍ର ଉପକୂଳରେ ହେନ୍ତାଳ ବଣର ସୁରକ୍ଷା ପାଇଁ ଜଳସଂପଦ ବିଭାଗ, ସାଳନ୍ଦୀ କେନାଲ ଡିଭିଜନ ଏବଂ ଓସ୍‌ଡମା ପକ୍ଷରୁ ଏକ ସୁନାମୀ ପ୍ରକଳ୍ପ ଯୋଜନା କାର୍ଯ୍ୟକା‌ରୀ କରାଯାଇଥିଲା। ଏହି ଯୋଜନାରେ ଉପକୂଳର ପ୍ରାୟ ୧୭ କିମି ଅଞ୍ଚଳରେ ସୁଉଚ୍ଚ ଓ ସୁଦୃଢ଼ ଲୁଣାବନ୍ଧ ନିର୍ମାଣ କରାଯିବା ନେଇ ପରିକଳ୍ପନା କରାଯାଇଥିଲା। ଧାମରା ଅଞ୍ଚଳ ଦେଇ ହେବାକୁ ଥିବା ଏହି ଲୁଣାବନ୍ଧ ଏବେ ସୁଦ୍ଧା ସରକାରୀ ନଥିରେ ବନ୍ଧା ପଡ଼ିଛି। ବହୁ ଦିନରୁ ନିର୍ମାଣ କରାଯାଇଥିବା ମାଟି ଲୁଣାବନ୍ଧ ସବୁ ଜୁଆର ପାଣିରେ ଭାଙ୍ଗି ମାଟିରେ ମିଶିଗଲାଣି। ଆଉ କିଛି ସ୍ଥାନରେ ଚିଙ୍ଗୁଡି ମାଫିଆମାନେ ବନ୍ଧ ଭାଙ୍ଗି ‌ଚିଙ୍ଗୁଡ଼ି ଚାଷ କରି ଜମିକୁ ଘାଇ କରି ଲୁଣା ପାଣି ନେଉଛନ୍ତି। ଆଉ ସେହି ବାଟ ଦେଇ ପ୍ରତିବର୍ଷ ବାତ୍ୟା ବେଳେ ଜୁଆର ପାଣି ଗାଁରେ ପଶୁଛି। ଗୋଟିଏ ପାଖରେ ଲୁଣାବନ୍ଧ ଜବରଦଖଲ ଓ ଅନ୍ୟପାଖରେ ହନ୍ତାଳ ବଣ ନଷ୍ଟ ହେବା ଉପକୂଳ ପାଇଁ ବିପଦ ଆଣିଛି। ଉପକୂଳ ସୁରକ୍ଷା ପାଇଁ ଚିଙ୍ଗୁଡି ଘେରି ଉପରେ ଅଙ୍କୁଶ ଲଗାଇବା ସହିତ ବ୍ୟାପକ ହେନ୍ତାଳ ବଣ ସୃଷ୍ଟି କରିବା ଉପରେ ପରିବେଶବିତ୍‌ମାନେ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର