ଧାମରା: ଚାନ୍ଦବାଲି ତହସିଲ ଅଞ୍ଚଳରେ ଚିଙ୍ଗୁଡି ଘେରି ବୃଦ୍ଧି ପାଉଥିବା ବେଳେ ଦିନକୁ ଦିନ ବନୀ ଜଙ୍ଗଲ ଧ୍ବଂସ ପାଇବାରେ ଲାଗିଛି। କରଞ୍ଜମାଳ ରାଜସ୍ବ ନିରୀକ୍ଷକ ଅଧୀନରେ ଥିବା ଶହ ଶହ ଏକର ବନୀ, ହେନ୍ତାଳ ଜଙ୍ଗଲ ଧ୍ବଂସ ପାଇବାରେ ଲାଗିଛି।
ମିଳିଥିବା ସୂଚନା ଅନୁଯାୟୀ କରଞମାଳ ଆର୍ଆଇ ଅଧୀନରେ ୩ହଜାର ହେକ୍ଟରରୁ ଊର୍ଦ୍ଧ୍ବ ଜମିରେ ବନୀ, ଗୁଆଁ, ହେନ୍ତାଳ ପ୍ରଭୃତି ଗଛ ରହିଛି। ଏହି ସମସ୍ତ ବନୀ ଜଙ୍ଗଲ ଅଂଚଳକୁ ଲୁଣାପାଣିରୁ ରକ୍ଷା କରିଥାଏ। ମାତ୍ର ଦିନକୁ ଦିନ ଏହି ହେନ୍ତାଳ ବନ ନିଜର ସ୍ଥିତି ହରାଇବାରେ ଲାଗିଛି। ଏହାର ଏକମାତ୍ର କାରଣ ଏହି ଅଂଚଳରେ ଦିନକୁ ଦିନ ଚିଙ୍ଗୁଡି ଘେରି ବଢ଼ିଚାଲିଛି। କରଞମାଳ ଅଂଚଳରେ ୩ହଜାରରୁ ଊର୍ଦ୍ଧ୍ବ ଏକରରେ ବନୀ ଏବଂ ହେନ୍ତାଳ ବନ ଥିବା ବେଳେ ଏହାର ରକ୍ଷଣାବେକ୍ଷଣ କେବଳ ନାମକୁ ମାତ୍ର ବନ ବିଭାଗ କରିଥାଏ। ଏହି ବନୀ ହେନ୍ତାଳ ଗଛଗୁଡିକ ବହୁ ପ୍ରାକୃତିକ ବିପର୍ଯ୍ୟୟରୁ ଜନଜୀବନକୁ ରକ୍ଷା କରିଥାଏ। ଏଥିସହ ପରିବେଶକୁ ସନ୍ତୁଳିତ ମଧ୍ୟ ରଖିଥାଏ। ୨୦୦୦ ମସିହାରେ କରଞମାଳ ଆର୍ଆଇ ଏବଂ ବନବିଭାଗ ଅଧିନରେ ଥିବା ୩ହଜାର ଏକର ମଧ୍ୟରୁ ୬ଶହ ଏକରରେ ଚିଙ୍ଗୁଡିମାଫିଆମାନେ ସମସ୍ତ ଗଛ କାଟି ନେଇ ବେଆଇନ ଭାବେ ଚିଙ୍ଗୁଡି ଚାଷ ଆରମ୍ଭ କରିଥିଲେ। ୨୦୧୪ମସିହାରେ ଏ ନେଇ ଅଭିଯୋଗ ହେବା ପରେ ତତ୍କାଳୀନ ତହସିଲଦାର ଚିତ୍ତରଞ୍ଜନ ସାହୁ ଏହି ସମସ୍ତ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରିବା ସହ ଏହି ଜମିକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିଲେ। ପୁଣି ୨୦୧୫ ମସିହାରୁ ଏହି ଜମିରେ ବନ ବିଭାଗ ପୁନଶ୍ଚ ବନୀ ହେନ୍ତାଳ ଆଦି ଗଛ ଲଗାଇବାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରିବା ସହ ଗଛଗୁଡିକୁ ମଧ୍ୟ ବଢାଇଥିଲେ।
ଚଳିତ ବର୍ଷ ଏହି ସମସ୍ତ ଜମିରୁ ଏହି ଚିଙ୍ଗୁଡିମାଫିଆ ସମସ୍ତ ଗଛଗୁଡିକ କାଟି ନେଇ ପୁନଶ୍ଚ ଚିଙ୍ଗୁଡି ଚାଷ ଆରମ୍ଭ କରିଛନ୍ତି। ଏହି ସମସ୍ତ ଜମିରେ କିପରି ବେଆଇନ ଭାବେ ଚିଙ୍ଗୁଡି ଚାଷ ଆରମ୍ଭ କରୁଛନ୍ତି ବୋଲି ପଚାରିବାରୁ ସେମାନେ କରଞମାଳ ଆର୍ଆଇଙ୍କ ନିକଟରେ ଅବରୋଧ କେସ ରୁଜୁ କରି ଜଙ୍ଗଲ ଜମିରେ ଏହି ଚାଷ କରୁଛନ୍ତି ବୋଲି କହିଥିଲେ। ଜଙ୍ଗଲ ଜମି କେନ୍ଦ୍ର ସରକାରଙ୍କ ବନବିଭାଗ ଅଧିନରେ ଥିବାବେଳେ କରଞମାଳ ଆର୍ଆଇ କିପରି ଏହି ଜଙ୍ଗଲ ଜମିରୁ ପାଉତି କାଟିଲେ ତାହା ତଦନ୍ତ ସାପେକ୍ଷ। ତଦନ୍ତ ହେଲେ ବହୁ କଥା ଲୋକଲୋଚନକୁ ଆସି ପାରନ୍ତା ବୋଲି ସାମାଜିକ କର୍ମୀ ରମେଶ ନାୟକ ଦାବି କରିଛନ୍ତି। ଶ୍ରୀ ନାୟକ ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ମଧ୍ୟ ଦାଏର କରିଛନ୍ତି। କେଉଁ ପରିସ୍ଥିତିରେ ଜଙ୍ଗଲ ଜମି ଏବଂ ସରକାରୀ ଜମିରେ ଏହି ଚିଙ୍ଗୁଡି ପୋଖରୀ ଖୋଳାଯାଇ ଚିଙ୍ଗୁଡି ଚାଷ କରାଯାଉଛି ଏବଂ ତାହା ପୁଣି ୨ଟି ବିଭାଗର ଅଫିସ ଠାରୁ ମାତ୍ର ୨ଶହ ମିଟର ଦୂରରେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି। ଏ ବାବଦରେ କରଞମାଳ ଆର୍ଆଇଙ୍କୁ ପଚାରିବାରୁ ସେ ଜଙ୍ଗଲ ଜମିରେ ଅବରୋଧ କେସ କରି ପାଉତି କାଟିଥିବା ସ୍ବୀକାର କରିଥିଲେ। ତୁରନ୍ତ ଏହି ହେନ୍ତାଳ ବଣକୁ ସୁରକ୍ଷା ଦେବା ଜରୁରୀ ହୋଇପଡିଛି। ନଚେତ ଆଗାମୀ ଦିନରେ କରଞମାଳ ପଂଚାୟତବାସୀ ଏହାର ସୁରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।