ସୁରକ୍ଷା କବଚ ସାଜିଥିଲା ହେନ୍ତାଳ ବଣ, ଫନି ମୁହଁରୁ ବଞ୍ଚାଇ ଦେଲା ଜୀବନ ଓ ଜୀବିକା

ପୁରୀ, (ଚିନ୍ମୟ ପତି): ଭୟଙ୍କର ବାତ୍ୟା ଓ ସମୁଦ୍ର ଜୁଆରରୁ ଆମେ ରକ୍ଷା ପାଇଗଲୁ। ଏମିତିକି ୨୦୦ କିମି ବେଗରେ ପବନ ବୋହିବା ସତ୍ତ୍ବେ ଆମ ଡଙ୍ଗା ସୁରକ୍ଷିତ ରହିଲା। ପବନ ଆମ ଗାଁକୁ ବାଜିଲାନି। ଏଭଳି ବିପତ୍ତି ସମୟରେ ହେନ୍ତାଳ ବଣ ଆମ ପାଇଁ ସୁରକ୍ଷା କବଚ ଭଳି କାମ କରିଛି। ଏହା ହେଉଛି ଚିଲିକା ମୁହାଁଣ ସମ୍ମୁଖ ସିପକୁଦ-ବନମାଳିପୀର ଗ୍ରାମର ହିରଣ୍ୟ ଜେନାଙ୍କ କଥା।

ଖାଲି ସେ ନୁହନ୍ତି, ଚିଲିକାରେ ମାଛ ମାରି ପରିବାର ପ୍ରତିପୋଷଣ କରୁଥିବା ୭୪ ଜଣ ମତ୍ସ୍ୟଜୀବୀ ନିଜ ନିଜର ଡଙ୍ଗାଗୁଡ଼ିକୁ ବାତ୍ୟା ପୂର୍ବରୁ ହେନ୍ତାଳ ବଣ ଭିତରେ ରଖି ଦେଇଥିଲେ। ବିଶ୍ବାସ ନଥିଲା। ମାତ୍ର ଭୟଙ୍କର ବାତ୍ୟା ଅପସରି ଯିବା ପରେ କ୍ଷତି ତ ଦୂର କଥା ଡଙ୍ଗାରୁ କାଠ ଖଣ୍ଡିଏ ବି ବାହାରିଲାନି। ବାତ୍ୟା, ଜୁଆର ଛାଡ଼ିଯିବା ପରେ ସେମାନେ ସୁରକ୍ଷିତ ଭାବେ ଡଙ୍ଗାକୁ ବାହାର କରି ଆଣିଲେ।

ସିପକୁଦ ସାମ୍ନାରେ ୨୦୦୦ ମସିହାରେ ମୁହାଣ ଖୋଳିଥିଲା ସିଡ଼ିଏ (ଚିଲିକା ଉନ୍ନୟନ ସଂସ୍ଥା)। ସିଧାସଳଖ ସମୁଦ୍ର ଜୁଆର ମୁହଁରେ ରହିଲା ସିପକୁଦ ଗାଁ। ଭୟଭୀତ ହୋଇ ପଡ଼ିଥିଲେ ଗ୍ରାମବାସୀ। ପରେ ଚେନ୍ନାଇର ଏକ ସଂସ୍ଥା ପୁରୀର ଜଣେ ସ୍ବେଚ୍ଛାସେବୀ ଗୋପାଳ ମହାପାତ୍ରଙ୍କ ସହାୟତାରେ ସେଠାରେ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଥିଲେ। ଚିଲିକା ପାଣି ଭିତରେ ଏହି ସବୁ ଗଛ ଲଗାଗଲା। ସେତେବେଳେ ଲୋକଙ୍କର ଭରସା ନଥିଲା, ଏମିତିକି ଖୋଦ୍‌ ବନ ବିଭାଗର ଅଧିକାରୀ ଓ ତତ୍କାଳୀନ ସିଡିଏର କେତେକ ଅଧିକାରୀ ହସରେ ଉଡ଼ାଇ ଦେଇଥିଲେ ଏପରି ପ୍ରୟାସକୁ। ମାତ୍ର ପଛକୁ ନହଟି ଅନବରତ ଗଛର ତଦାରଖ କରିଥିଲେ ଗୋପାଳ ଏବଂ ତାଙ୍କ ସହକର୍ମୀମାନେ। ମିର୍ଜାପୁରର ମିହିର ଜେନା, ସିପକୁଦର ଗୋବର୍ଦ୍ଧନ ଜେନା ଓ ଅନ୍ୟମାନେ ମିଶି ତାଙ୍କୁ ସହଯୋଗ କରିଥିଲେ।

ଫଳସ୍ବରୂପ ୨୦୦୪-୦୫ରେ ହୋଇଥିବା ଏହି ହେନ୍ତାଳ ବନୀକରଣ ଏବେ ବଡ଼ ଜଙ୍ଗଲ ହୋଇ ଛିଡ଼ା ହୋଇଛି। ୧୦ରୁ ୧୪ ଫୁଟ୍‌ ଉଚ୍ଚର ଗଛ ପ୍ରତିଦିନ ସାମ୍ନା କରୁଛି ସମୁଦ୍ର ଜୁଆରକୁ। ଖାଲି ସେତିକି ନୁହେଁ, ବାତ୍ୟା ଓ ସମୁଦ୍ର ଝଡ଼ ସମୟରେ ଏହି ଜଙ୍ଗଲ ସିପକୁଦ, ମିର୍ଜାପୁର ଗ୍ରାମକୁ ସୁରକ୍ଷା ଦେଉଛି। ସେହି ଜଙ୍ଗଲ ମୂଳରେ ମାଛ, ଚିଙ୍ଗୁଡ଼ି, କଙ୍କଡ଼ାର ବଂଶବୃଦ୍ଧି ବି ହେଉଛି। ମତ୍ସ୍ୟଜୀବୀମାନେ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଧରି ସେମାନଙ୍କର ପରିବାର ପୋଷୁଥିଲେ। ହେଲେ ଏଥର ‘ଫନି’ ମୁହଁରୁ ସେମାନଙ୍କ ଜୀବିକାକୁ ବଞ୍ଚାଇ ଦେଲା ହେନ୍ତାଳ ବଣ। ମିର୍ଜାପୁରର ମିହିରଙ୍କ କହିବା ଅନୁଯାୟୀ, ବାତ୍ୟା ଆସୁଥିବା ଖବର ଆଗୁଆ ମିଳିଗଲା। ସମୁଦ୍ର ମୁହାଣ ମୁହଁର ଗାଁ। କ’ଣ କରିବେ ସେହି ଚିନ୍ତାରେ ସମସ୍ତେ ଥିଲେ। ଶେଷରେ ୭୪ ଜଣ ମତ୍ସ୍ୟଜୀବୀ ତାଙ୍କ ଡଙ୍ଗାକୁ ନେଇ ହେନ୍ତାଳ ବଣ ଭିତରେ ବାନ୍ଧି ଦେଇ ଆସିଲେ। ଏହା ପରେ ଆସିଲା ଭୟଙ୍କର ବାତ୍ୟା। ଗାଁ ଗଣ୍ଡାକୁ ଧୂଳିସାତ୍‌ କରିଦେଲା। ହେଲେ ବଞ୍ଚିଗଲା ସେହି ଡଙ୍ଗା ସବୁ। ସେଥି ପାଇଁ ହେନ୍ତାଳ ବଣକୁ ଏବେ ଗାଁ ଲୋକେ ଭଗବାନ ବୋଲି ମାନୁଛନ୍ତି। ଏ ସମ୍ପର୍କରେ ସିଡିଏର ମୁଖ୍ୟ ନିର୍ବାହୀ ସୁଶାନ୍ତ ନନ୍ଦ କହିଛନ୍ତି, ହେନ୍ତାଳ ବଣ ଅନେକ ସୁରକ୍ଷା ଦେଇଥିବା ଆମ ପାଖରେ ରିପୋର୍ଟ ପହଞ୍ଚିଛି। ଏବେ ଆମେ ଚିଲିକାର ବିଭିନ୍ନ ସ୍ଥାନରେ ହେନ୍ତାଳ ବଣ ସୃଷ୍ଟି କରିବାକୁ ଲୋକମାନଙ୍କୁ ପ୍ରୋତ୍ସାହିତ କରିବୁ।

ସମ୍ବନ୍ଧିତ ଖବର