ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି: ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ଲକ୍ଷ୍ମୀ

ପୁରୀ : ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ସମ୍ପନ୍ନ ପରେ ମହାପ୍ରଭୁ ଚତୁର୍ଥୀ (ଚତୁର୍ଦ୍ଦଶୀ ତିଥି) ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ। ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରାଙ୍କୁ ଧରି ରତ୍ନବେଦି ଛାଡ଼ି ଜନ୍ମବେଦିକୁ ବୁଲିବାକୁ ଚାଲି ଆସିଛନ୍ତି। ସେପଟେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ଫିଟିନି। ନବବିବାହିତା ମା’ ଲକ୍ଷ୍ମୀ ଠାକୁରାଣୀ ବିରହ ବେଦନା ସହ୍ୟ କରିନପାରି ମା’ ବିମଳାଙ୍କ ପରାମର୍ଶ କ୍ରମେ ଆଜି ପବିତ୍ର ହେରାପଞ୍ଚମୀରେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନଯାତ୍ରା କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନୀ ମା’ ଲକ୍ଷ୍ମୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି।

ପରମ୍ପରା ଅନୁଯାୟୀ, ଶୁକ୍ରବାର ରାତିରେ ମା’ ସ୍ୱତନ୍ତ୍ର ବିମାନରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରୁ ବାହାରିବା ପରେ ଘଣ୍ଟଘଣ୍ଟା, କାହାଳୀ ସହକାରେ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥିଲେ। ସେଠାରେ ନନ୍ଦିଘୋଷ ରଥ ନିକଟରେ ଦହିପଟି ମଣୋହୀ ନୀତି ସମ୍ପନ୍ନ ହୋଇଥିଲା। ପରେ ସେଠାରୁ ସିଂହଦ୍ୱାର ଦେଇ ମା’ ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଜୟ-ବିଜୟ ଦ୍ୱାର ନିକଟରେ ପହଞ୍ଚିଥିଲେ। ଏହି ସମୟରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଚାଲିଥିବାରୁ ଜୟ-ବିଜୟ ଦ୍ୱାର ନିକଟରେ ମା’ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ଧୂପ ଚାଲିଥିବାରୁ ଦୁଇଟିଯାକ ଦ୍ବାର ବନ୍ଦ କରି ଦିଆଯାଇଥିଲା। ଯାହା ମା’ଙ୍କୁ ଘୋର ଅପମାନ ଦେଇଥିଲା। ଅପମାନରେ ଜର୍ଜରିତ ମା’ ଲକ୍ଷ୍ମୀ ଠାକୁରାଣୀ ନାକଚଣା ଦ୍ୱାର ଦେଇ ବାହାରି ଆସିବା ବେଳେ ରାଗରେ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଥିଲେ। ରାଗରେ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ନ ଆସି ନିରାଡ଼ମ୍ୱରରେ ହେରାଗୋହିରି ସାହି ଦେଇ ଫେରିଥିଲେ। ଫେରିବା ବାଟରେ ବିଭିନ୍ନ ସ୍ଥାନରେ ମା’ଙ୍କୁ ପନ୍ତି ଭୋଗ ଲାଗି ହୋଇଥିଲା। ବିଳମ୍ୱିତ ରାତିରେ ପୁନର୍ବାର ସିଂହଦ୍ୱାର ଦେଇ ମା’ ଶ୍ରୀମନ୍ଦିରକୁ ଫେରି ଯାଇଥିଲେ।

ହେରାପଞ୍ଚମୀ ପର୍ବ ପାଳନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ବଡ଼ଦେଉଳରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଠାକୁରାଣୀଙ୍କ ଗସ୍ତ ପୂର୍ବ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି(ଶ୍ରୀମୁଖ ଶୃଙ୍ଗାର) ହୋଇଥିଲା। ଅନ୍ୟ ପକ୍ଷରେ ଶ୍ରୀମନ୍ଦିର ଦକ୍ଷିଣୀ ଘରେ ପରମ୍ପରା ଏବଂ ନୀତି ନିର୍ଘଣ୍ଟ ମୁତାବକ ଭଣ୍ଡାର ଘରେ ବିଜେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନେ ମାଜଣା କରିଥିଲେ। ଏହା ପରେ ମା’ଙ୍କ ବନକ ଲାଗି, ପାଟ ଶାଢ଼ି, ଅଳଙ୍କାର ଆଭୂଷଣ ଲାଗି ହୋଇ ସେବକଙ୍କ ଦ୍ୱାରା ପନ୍ତି ଭୋଗ ନୀତି ବିଢ଼ିଥିଲା। ଭୋଗ ପରେ ବିମାନରେ ମା’ ଲକ୍ଷ୍ମୀ ଠାକୁରାଣୀ ପଟୁଆରରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରିଥିଲେ। ହେରାପଞ୍ଚମୀ ନୀତି ନନ୍ଦିଘୋଷ ରଥ ପାଖରୁ ଆରମ୍ଭ ହୋଇଥିଲା। ରଥ ତଳେ ମା’ଙ୍କ ନୀତି ସମ୍ପନ୍ନ ହୋଇଥିଲା। ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ି ଶାଢ଼ି ଲାଗି, ଆଳତି ସରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପଞ୍ଚାମୃତ ମହାସ୍ନାନ ଏବଂ ତିନି ବାଡ଼ରେ ସର୍ବାଙ୍ଗ ହୋଇ ବେଶ ନୀତି ଶେଷ ହୋଇଥିଲା। ଏହା ପରେ ସଂଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ବିଜେ କରିଥିଲେ। ଶ୍ରୀମନ୍ଦିର ନୀତି ବଢ଼ିବା ପରେ ନାକଚଣା ଦ୍ୱାରଠାରେ ଭିତରଚ୍ଛୁ ବନ୍ଦାପନା ଓ ଦହିପଟି ମଣୋହି ବଢ଼ାଇଥିଲେ।

ସମ୍ବନ୍ଧିତ ଖବର