ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି : ନିରାଡ଼ମ୍ବରରେ ଫେରିଲେ ଅଭିମାନୀ ମା’ ଲକ୍ଷ୍ମୀ

ରାଗରେ ଭାଙ୍ଗିଲେ ନନ୍ଦିଘୋଷ ରଥ

ପୁରୀ : ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ (ଚତୁର୍ଦ୍ଦଶୀ ତିଥି) ଦିନ ସ୍ନାନବେଦିରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ। ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ ଭାଇ-ଭଉଣୀଙ୍କୁ ଧରି ରତ୍ନବେଦି ଛାଡ଼ି ଜନ୍ମବେଦିକୁ ବୁଲିବାକୁ ଚାଲି ଆସିଛନ୍ତି। ସେପଟେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ଫିଟିନି। ନବବିବାହିତା ମା’ ଲକ୍ଷ୍ମୀ ଠାକୁରାଣୀ ବିରହ ବେଦନା ସହ୍ୟ କରିନପାରି ମା’ ବିମଳାଙ୍କ ପରାମର୍ଶକ୍ରମେ ଆଜି ରାତିରେ ପବିତ୍ର ହେରାପଞ୍ଚମୀରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନଯାତ୍ରା କରିଛନ୍ତି।

ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନପାଇବାରୁ ଅଭିମାନିନୀ ମା’ ଲକ୍ଷ୍ମୀ ଠାକୁରାଣୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି। ପରମ୍ପରା ଅନୁଯାୟୀ, ଆଜି ରାତିରେ ମା’ ସ୍ୱତନ୍ତ୍ର ବିମାନରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରୁ ବାହାରିବା ପରେ ଘଣ୍ଟଘଣ୍ଟା, କାହାଳୀ ସହକାରେ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥିଲେ। ସେଠାରେ ନନ୍ଦିଘୋଷ ରଥ ନିକଟରେ ଦହିପଟି ମଣୋହି ନୀତି ସଂପନ୍ନ ହୋଇଥିଲା। ପରେ ସେଠାରୁ ସିଂହଦ୍ୱାର ଦେଇ ମା’ ଲକ୍ଷ୍ମୀ ଜୟବିଜୟ ଦ୍ୱାର ନିକଟରେ ପହଞ୍ଚିଥିଲେ। ଏହି ସମୟରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଚାଲିଥିବାରୁ ଜୟବିଜୟ ଦ୍ୱାର ନିକଟରେ ମା’ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ଧୂପ ଚାଲିଥିବାରୁ ଦୁଇଟିଯାକ ଦ୍ବାର ବନ୍ଦ କରି ଦିଆଯାଇଥିଲା।

ଯାହା ମା’ଙ୍କୁ ଘୋର ଅପମାନ ଦେଇଥିଲା। ଅପମାନରେ ଜର୍ଜରିତ ମା’ ଲକ୍ଷ୍ମୀ ଠାକୁରାଣୀ ନାକଚଣା ଦ୍ୱାର ଦେଇ ବାହାରି ଆସିବା ବେଳେ ରାଗରେ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଥିଲେ। ଯେଉଁ ଘଣ୍ଟଘଣ୍ଟା, କାହାଳୀ ସହ ଶୋଭାଯାତ୍ରାରେ ଯାଇଥିଲେ, ଫେରିବା ସମୟରେ ଆଉ ସେଭଳି ପରିବେଶ ନଥିଲା। ରାଗରେ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ନ ଆସି ନିରାଡ଼ମ୍ୱର ପରିବେଶ ଭିତରେ ହେରାଗୋହିରି ସାହି ଦେଇ ଫେରିଥିଲେ। ଫେରିବା ବାଟରେ ବିଭିନ୍ନ ସ୍ଥାନରେ ମା’ଙ୍କୁ ପଂନ୍ତି ଭୋଗ ଲାଗି ହୋଇଥିଲା। ବିଳମ୍ୱିତ ରାତିରେ ପୁନର୍ବାର ସିଂହଦ୍ୱାର ଦେଇ ମା’ ଶ୍ରୀମନ୍ଦିରକୁ ଫେରି ଯାଇଥିଲେ।

ହେରାପଞ୍ଚମୀ ପର୍ବ ପାଳନ ପାଇଁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ବଡ଼ଦେଉଳରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଠାକୁରାଣୀଙ୍କ ଗସ୍ତ ପୂର୍ବ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି (ଶ୍ରୀମୁଖ ଶୃଙ୍ଗାର) ହୋଇଥିଲା। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଦକ୍ଷିଣୀ ଘରେ ପରମ୍ପରା ଏବଂ ନୀତି ନିର୍ଘଣ୍ଟ ମୁତାବକ ଭଣ୍ଡାର ଘରେ ବିଜେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନେ ମଜଣା କରିଥିଲେ। ଏହା ପରେ ମା’ଙ୍କ ବନକ ଲାଗି, ପାଟ ଶାଢ଼ୀ, ଅଳଙ୍କାର ଆଭୂଷଣ ହୋଇ ସେବକଙ୍କ ଦ୍ୱାରା ପଂନ୍ତି ଭୋଗ ନୀତି ବଢ଼ିଥିଲା। ଭୋଗ ପରେ ବିମାନରେ ମା’ ଲକ୍ଷ୍ମୀ ଠାକୁରାଣୀ ବଡଦାଣ୍ଡ ଦେଇ ଘଣ୍ଟଛତା ପଟୁଆରରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରିଥିଲେ। ହେରାପଞ୍ଚମୀ ନୀତି ନନ୍ଦିଘୋଷ ରଥ ପାଖରୁ ଆରମ୍ଭ ହୋଇଥିଲା। ରଥ ତଳେ ମା’ଙ୍କ ନୀତି ସଂପନ୍ନ ହୋଇଥିଲା। ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ି ଶାଢ଼ୀ ଲାଗି, ଆଳତି ସରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡରେ ପଞ୍ଚାମୃତ ମହାସ୍ନାନ ଏବଂ ତିନି ବାଡରେ ସର୍ବାଙ୍ଗ ହୋଇ ବେଶ ନୀତି ଶେଷ ହୋଇଥିଲା। ଏହା ପରେ ସଂଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ବିଜେ କରିଥିଲେ। ଶ୍ରୀମନ୍ଦିର ନୀତି ବଢ଼ିବା ପରେ ନାକଚଣା ଦ୍ୱାର ଠାରେ ଭିତରୁଚ୍ଛ ବନ୍ଦାପନା ଓ ଦହିପଟି ମଣୋହି ବଢ଼ାଇଥିଲେ। ବିଧି ମୁତାବକ ବାହୁଡା ଯାତ୍ରା ପାଇଁ ତିନି ରଥକୁ ହେରାପଞ୍ଚମୀ ପରଦିନ ଅର୍ଥାତ୍ ଆସନ୍ତାକାଲି ଶରଧାବାଲିରେ ଦକ୍ଷିଣ ମୋଡ କରାଯିବ। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବା ପରେ ତିନି ରଥ ଦକ୍ଷିଣ ମୋଡ଼ ନେ‌ବେ। ସେପଟେ ଆଜି ବି ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର