ଆସିଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା: କମିଲା ୭ ପଞ୍ଚାୟତ, ୧୧୧ ୱାର୍ଡ, ଜିଲ୍ଲା ପରିଷଦରେ ପଛୁଆ ବର୍ଗ ସଂରକ୍ଷଣ ୧୨ ପ୍ରତିଶତ

ପଞ୍ଚାୟତ, ପଞ୍ଚାୟତ ସମିତିରେ ବି ପଛୁଆ ବର୍ଗଙ୍କ ସଂରକ୍ଷଣ କମିଲା

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିସନ୍। ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସଂରକ୍ଷଣ ତାଲିକା ସାର୍ବଜନୀନ କରାଯାଇଛି। ନୂଆ ସଂରକ୍ଷଣ ପ୍ରକ୍ରିୟାରେ ପଛୁଆ ବର୍ଗଙ୍କ ସଂରକ୍ଷଣ ହ୍ରାସ ପାଇଛି। ୨୦୧୭ ନିର୍ବାଚନ ତୁଳନାରେ ଏଥର ପଞ୍ଚାୟତ ସଂଖ୍ୟା ୭ଟି ହ୍ରାସ ପାଇଛି। ଏହି ପଞ୍ଚାୟତଗୁଡ଼ିକ ପୌରାଞ୍ଚଳରେ ମିଶିଯାଇଥିବାରୁ ସେଗୁଡ଼ିକୁ ନିର୍ବାଚନ ପ୍ରକ୍ରିୟାରୁ ସବୁଦିନ ପାଇଁ ବାଦ୍ ଦିଆଯାଇଛି। ଏଥର ମୋଟ୍ ୬୭୯୪ ପଞ୍ଚାୟତରେ ୯୧,୯୧୬ଟି ୱାର୍ଡ ପାଇଁ ଭୋଟ୍ ଗ୍ରହଣ କରାଯିବ।

ପୂର୍ବରୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ନିର୍ବାଚନ କମିସନ୍‌ଙ୍କୁ ପ୍ରଦାନ କରିଥିଲେ। ସେହିପରି ଜିଲ୍ଲାୱାରି ଜିଲ୍ଲା ପରିଷଦ ସଭ୍ୟ ସଂରକ୍ଷଣ ତାଲିକା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ରାଜ୍ୟ ନିର୍ବାଚନ କମିସନନ୍‌ଙ୍କୁ ପ୍ରଦାନ କରାଯାଇଥିଲା। ଏସବୁକୁ ଭିତ୍ତି କରି ନିର୍ବାଚନ କମିସନ୍ ଚୂଡ଼ାନ୍ତ ତାଲିକା ଜାରି କରିଛନ୍ତି। ରାଜ୍ୟରେ ମୋଟ ୮୫୩ ଜିଲ୍ଲା ପରିଷଦ ସଭ୍ୟ ପଦ ମଧ୍ୟରୁ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୬୪ଟି ସ୍ଥାନ ସଂରକ୍ଷିତ ରହିଥିଲା ବେଳେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୮୪ଟି ସ୍ଥାନ ସଂରକ୍ଷିତ ରହିଛି। ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୧୦୦ଟି ସ୍ଥାନ ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୧୮ଟି ସ୍ଥାନ ସଂରକ୍ଷିତ ରହିଛି। ପଛୁଆ ବର୍ଗଙ୍କ ପାଇଁ ୪୯ଟି ଓ ପଛୁଆ ବର୍ଗ ମହିଳାଙ୍କ ପାଇଁ ୫୫ଟି ସ୍ଥାନ ସଂରକ୍ଷିତ ରହିଛି। ଅଣସଂରକ୍ଷିତ ବର୍ଗରେ ୨୦୭ଟି ଆସନ ଥିଲା ବେଳେ ମହିଳାଙ୍କ ପାଇଁ ୧୭୬ଟି ଆସନ ସଂରକ୍ଷିତ ରହିଛି। ତେଣୁ ଜିଲ୍ଲା ପରିଷଦରେ ଏଥର ପଛୁଆ ବର୍ଗଙ୍କ ସଂରକ୍ଷଣ ୧୨%କୁ ହ୍ରାସ ପାଇଛି।

ରାଜ୍ୟରେ ମୋଟ୍ ୬୭୯୪ ସରପଞ୍ଚ ପଦ ମଧ୍ୟରୁ ୪୨୬ଟି ଅନୁସୂଚିତ ଜାତି ଓ ୫୨୫ଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଅନୁସୂଚିତ ଜନଜାତିଙ୍କ ପାଇଁ ୧୨୩୭ଟି ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୭୬ଟି ସରପଞ୍ଚ ପଦ ସଂରକ୍ଷଣ କରାଯାଇଛି। ପଛୁଆ ବର୍ଗଙ୍କ ପାଇଁ ୩୪୯ ଓ ପଛୁଆ ବର୍ଗ ମହିଳାଙ୍କ ପାଇଁ ୪୨୯ଟି ପଦ ସଂରକ୍ଷିତ ଅଛି। ଅଣସଂରକ୍ଷିତ ବର୍ଗରେ ୧୨୮୨ ଆସନ ଥିଲା ବେଳେ ମହିଳାଙ୍କ ପାଇଁ ୧୧୭୦ଟି ସ୍ଥାନ ସଂରକ୍ଷିତ ଅଛି।
୬୭୯୩ଟି ସମିତି ସଭ୍ୟ ମଧ୍ୟରୁ ଅନୁସୂଚିତ ଜାତି ବର୍ଗରେ ୫୧୫ଟି ସ୍ଥାନ ସଂରକ୍ଷିତ ଥିଲା ବେଳେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୬୮୨ଟି ସ୍ଥାନ ସଂରକ୍ଷିତ ରହିଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଯଥାକ୍ରମେ ୮୨୪ ଓ ୧୦୩୩ଟି ଆସନ ସଂରକ୍ଷିତ ରହିଛି। ପଛୁଆ ବର୍ଗ ଓ ପଛୁଆ ବର୍ଗ ମହିଳାଙ୍କ ପାଇଁ ଯଥାକ୍ରମେ ୩୯୫ ଓ ୫୧୮ଟି ଆସନ ସଂରକ୍ଷିତ ଅଛି। ଅଣସଂରକ୍ଷିତ ବର୍ଗରେ ୧୫୨୧ଟି ସମିତି ସଭ୍ୟ ପଦ ଥିଲା ବେଳେ ମହିଳାଙ୍କ ପାଇଁ ୧୩୦୫ଟି ପଦ ରହିଛି।
୯୧,୯୧୬ଟି ୱାର୍ଡମେମ୍ବର ମଧ୍ୟରୁ ଅନୁସୂଚିତ ଜାତିଙ୍କ ପାଇଁ ୬,୩୩୬ ଓ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୦,୧୩୪ଟି ଆସନ ସଂରକ୍ଷିତ ରହିଛି। ଅନୁସୂଚିତ ଜନଜାତିଙ୍କ ପାଇଁ ୧୦,୫୫୯ଟି ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୪,୨୩୬ଟି ୱାର୍ଡ ସଂରକ୍ଷିତ ରହିଛି। ପଛୁଆ ବର୍ଗ ଓ ପଛୁଆ ବର୍ଗ ମହିଳାଙ୍କ ପାଇଁ ଯଥାକ୍ରମେ ୪,୮୦୪ ଓ ୭,୨୨୭ ୱାର୍ଡକୁ ସଂରକ୍ଷଣ କରାଯାଇଛି। ଅଣସଂରକ୍ଷିତ ବର୍ଗରେ ୨୦,୭୪୮ ୱାର୍ଡ ଥିଲା ବେଳେ ମହିଳାଙ୍କ ପାଇଁ ୧୭,୮୭୨ଟି ୱାର୍ଡ ସଂରକ୍ଷିତ ଅଛି।

୨୦୧୭ ପଞ୍ଚାୟତ ନିର୍ବାଚନରେ ୬୮୦୧ଟି ଗ୍ରାମ ପଞ୍ଚାୟତ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା ବେଳେ ୨୦୨୨ରେ ଏହି ସଂଖ୍ୟା ୭ଟି ହ୍ରାସ ପାଇ ୬୭୯୪ ରହିଛି। ଏହା ମଧ୍ୟରୁ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍‌ରେ ଥିବା ଶ୍ରୀକୃଷ୍ଣପୁର, ରେମୁଣା, ଗଣିପୁର ଓ ଗଣେଶ୍ବରପୁର ଆଦି ୪ଟି ପଞ୍ଚାୟତ ରେମୁଣା ଏନ୍ଏସିରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାକୁ ଗ୍ରାମପଞ୍ଚାୟତ ତାଲିକାରୁ ବାଦ୍ ଦିଆଯାଇଛି। ସେହିପରି ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଓ ଦଲକ ଗ୍ରାମପଞ୍ଚାୟତ ଓଡ଼ଗାଁ ଏନ୍ଏସିରେ ମିଶିଥିବାରୁ ଏହି ଦୁଇଟି ପଞ୍ଚାୟତକୁ ତାଲିକାରୁ ବାଦ୍ ଦିଆଯାଇଛି। ବଡ଼ଗଡ଼ ଜିଲ୍ଲାର ବିଜେପୁର ଗ୍ରାମ ପଞ୍ଚାୟତ, ବିଜେପୁର ଏନ୍ଏସିରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହା ମଧ୍ୟ ପଞ୍ଚାୟତ ତାଲିକାରୁ ବାଦ୍ ପଡ଼ିଛନ୍ତି।
୨୦୨୨ ନିର୍ବାଚନ ପାଇଁ ୱାର୍ଡ ସଂଖ୍ୟା ମଧ୍ୟ ହ୍ରାସ ପାଇ ୯୧,୯୧୬ ହୋଇଛି। ଗତ ନିର୍ବାଚନରେ ୱାର୍ଡ ସଂଖ୍ୟା ୯୨,୦୨୭ ଥିଲା ଥିଲା ବେଳେ ଏଥର ୧୧୧ ୱାର୍ଡ କମିଛି। ରେମୁଣା ଏନ୍ଏସିରେ ୫୭ଟି ୱାର୍ଡ, ଓଡ଼ଗାଁ ଏନ୍ଏସିରେ ୩୨ଟି ୱାର୍ଡ, ବିଜେପୁର ଏନ୍ଏସିରେ ୧୯ଟି ୱାର୍ଡ ଓ ହିଞ୍ଜିଳିକାଟୁ ପୌରପାଳିକାରେ ୨ଟି ୱାର୍ଡ ଅନ୍ତର୍ଭୁକ୍ତ ହୋଇଥିବାରୁ ସେଗୁଡ଼ିକୁ ଗ୍ରାମପଞ୍ଚାୟତ ୱାର୍ଡ ତାଲିକାରୁ ବାଦ୍ ଦିଆଯାଇଛି। ଭୁବନେଶ୍ବର ବ୍ଲକ୍ ଅନ୍ତର୍ଗତ କଳାରାହାଙ୍ଗ ଗ୍ରାମପଞ୍ଚାୟତର ଉଚ୍ଛେଦ ଓ ନୂଆ ଇଞ୍ଜଣା ଗ୍ରାମପଞ୍ଚାୟତ ଗଠନ ଯୋଗୁ ଏଠାରୁ ମଧ୍ୟ ଗୋଟିଏ ୱାର୍ଡ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର